ବିଧାୟକ ପ୍ରଫୁଲ୍ଲ ସାମଲଙ୍କ ପୁଅଙ୍କ ଘରୁ ମିଳିଲା ଦାମୀ କାର୍‌ ସହ ୧୦ ଲକ୍ଷ ଟଙ୍କା

ଭୁବନେଶ୍ୱର,୧୬।୨: ଭଦ୍ରକ ଜିଲା ଭଣ୍ଡାରିପୋଖରୀ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ସାମଲଙ୍କ ଘରେ ଗୁରୁବାର ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ପକ୍ଷରୁ ଚଢ଼ାଉ ହୋଇଛି। ଭଦ୍ରକ ଜିଲାର ୬ଟି ଓ ଭୁବନେଶ୍ୱରର ୪ଟି ସ୍ଥାନକୁ ମିଶାଇ ରାଜ୍ୟର ମୋଟ ୧୦ଟି ସ୍ଥାନରେ କେନ୍ଦ୍ରୀୟ ସୁରକ୍ଷା ବଳ ସହଯୋଗରେ ଇଡି ଅଧିକାରୀମାନେ ଏକକାଳୀନ ଯାଞ୍ଚ କରିଛନ୍ତି। ଏହି ଯାଞ୍ଚ ବେଳେ ଶୁକ୍ରବାର ପ୍ରଫୁଲ୍ଲ ସାମଲଙ୍କ ପୁଅ ପ୍ରୟାସକାନ୍ତିଙ୍କ ପଳାଶପଲ୍ଲୀ ଘରୁ ଦାମୀ କାର୍‌ ସହ ୧୦ ଲକ୍ଷ ଟଙ୍କା ଇଡି ଜବତ କରିଛି।

ବରପଦା ସ୍କୁଲ ଅଫ୍‌ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜି ଦୁର୍ନୀତି ମାମଲାରେ ଇଡି ପକ୍ଷରୁ ଏହି ପଦକ୍ଷେପ ନିଆଯାଇଥିବା ସୂଚନା ମିଳିଛି। କଲେଜ ନାଁରେ ୨୦କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଦୁର୍ନୀତି ହୋଇଥିବା ପୂର୍ବରୁ ଅଭିଯୋଗ ରହିଥିଲା। ଯାଞ୍ଚ ହେଉଥିବା ସ୍ଥାନ ମଧ୍ୟରେ ଭଦ୍ରକ ସହର ନୂଆବଜାରସ୍ଥିତ ବିଧାୟକଙ୍କ ବାସଭବନ, ସାନ ବଜାରସ୍ଥିତ ଘର, ଭୁବନେଶ୍ୱର ପଳାଶପଲ୍ଲୀସ୍ଥିତ ଘର, ବରପଦା ଇଞ୍ଜିନିୟରିଂ କଲେଜ, ଟ୍ୟାକ୍ସ ଆଡ୍‌ଭୋକେଟ, କଲେଜ ପରିଚାଳନା କମିଟିର ପୂର୍ବତନ ସମ୍ପାଦକ ମନୋଜ ଗୋସ୍ବାମୀଙ୍କ ଅପର୍ତ୍ତିବିନ୍ଧାସ୍ଥିତ ବାସଭବନ ଏବଂ ଦୁର୍ନୀତି ଲିଙ୍କ୍‌ରେ ଥିବା ‘କ୍ରିଷ୍ଣା ସ୍କାଏସ୍କ୍ରାପର୍‌ ଲିଃ’ କମ୍ପାନୀ ନିର୍ଦ୍ଦେଶକଙ୍କ ନୟାପଲ୍ଲୀ ଆଇଆର୍‌ସି ଭିଲେଜସ୍ଥିତ ଘର ଆଦି ରହିଛି। ଯାଞ୍ଚ ସମୟରେ ଇଡି ଅଧିକାରୀମାନେ ମାମଲା ସଂକ୍ରାନ୍ତୀୟ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ଜବତ କରିଥିବା ଜଣାପଡ଼ିଛି।

Share