ପାଟଣା,୨୭।୧୨(ସ୍ବ. ପ୍ର.) କେନ୍ଦୁଝର ଜିଲା ପାଟଣା ରେଞ୍ଜ୍ରେ ୪ ଦିନ ତଳେ ଗୋଠ ଛଡା ଦନ୍ତା ହାତୀ ଉପଦ୍ରବ କରି ସଦର ରେଞ୍ଜ୍ରେ ଡେରା ପକାଇଥିଲା। ଶନିବାର ରାତିରେ ଏହି ଗୋଠ ଛଡା ଦନ୍ତା ହାତୀ ସଦର ରେଞ୍ଜରୁ ଆସି ପାଟଣା ରେଞ୍ଜ ପୋଇପାଣି ବିଟ୍ର ଖୁଦ ପୁଟଳି ଗାଁର ବିଦ୍ୟାଧର ମହାନ୍ତଙ୍କ ୩ ବଖରା ଆଜବେଷ୍ଟସ ଘର ଭାଙ୍ଗିଦେଇଥିଲା। ପରେ ବାରିଗାଁରେ ଜଣକ ଘରେ ଥିବା ହାଣ୍ଡିଆ ପିଇ ମାତାଲ ହେବାପରେ ଲକ୍ଷ୍ମୀପଶି ଗାଁରେ ଧାନ ଖାଇସାରି ଗୋବରାବେଡ଼ାରେ ବାଘା ନାଏକଙ୍କ ପାଚେରୀ ଭାଙ୍ଗି ଦେଇଛି। ଏହାପରେ ହାତୀଟି ରବିବାର ସକାଳୁ ଇତସ୍ତତଃ ଭାବେ ଗାଁ ଦାଣ୍ଡରେ ବୁଲୁଥିଲା। ସରାସକଲା ପଞ୍ଚାୟତ ତୁଳସୀପୁର ଗାଁରେ ୨ ଜଣକ ବାଡ଼ିରେ ପଶି ଖଳାରେ ଥିବା ଧାନ କଳେଇ ସହ ଅମଳ ହୋଇ ଥିବା ଧାନ ଖାଇ ବୁଲିବା ଫଳରେ ଲୋକେ ଆତଙ୍କିତ ହୋଇ ପଡ଼ିଥିଲେ । ଦନ୍ତା ହାତୀ ରବିବାର ପାଟଣା ବିଟ୍ ଭିମାପଡା ହୁଡ଼ିରେ ରହିଥିବା ରେଞ୍ଜର ଟିକେଶ୍ୱର ମହାନ୍ତ କହିଛନ୍ତି। ଉକ୍ତ ହାତୀକୁ ଅଞ୍ଚଳରୁ ଘଉଡ଼ାଇ ସୁରକ୍ଷିତ ଜଙ୍ଗଲରେ ପହଞ୍ଚାଇବା ସହ କ୍ଷତିଗ୍ରସ୍ତଙ୍କୁ କ୍ଷତି ପୂରଣ ଯୋଗାଇ ଦେବାକୁ ଦାବି ହେଉଥିଲେ ହେଁ ହାତୀକୁ ବନବିଭାଗ ହାତୀ ପଲରେ ମିଶ୍ରଣ କରିବାରେ ସଫଳ ହୋଇନି। ଏଣେ ସ୍ଥାନୀୟ ଲୋକଙ୍କ ସୂଚନା ଅନୁଯାୟୀ ହାତୀ ଦେହରେ କ୍ଷତ ହୋଇଥିବାରୁ ସେ ଉଗ୍ର ହୋଇ ହୋଇ ଉଠିଛି। ତୁରନ୍ତ ଚିକିତ୍ସା କରିବା ଦରକାର ବୋଲି ସ୍ଥାନୀୟ ଲୋକେ କହିଛନ୍ତି।