ସାମଗ୍ରୀ ଉତ୍ପାଦନ ବ୍ୟବସାୟରେ ଭ୍ରଷ୍ଟାଚାରକୁ ରୋକିବା ସହିତ ଏହାକୁ କାର୍ଯ୍ୟକାରୀ କରିବା ପାଇଁ ଅବକାରୀ ବିଭାଗର ଗୁରୁ ଦାୟିତ୍ୱ ରହିଛି। ଦେଶର ବିକାଶରେ ଏହି ବିଭାଗର ଯୋଗଦାନ ସମ୍ପର୍କରେ ସଚେତନତା ସୃଷ୍ଟି ସହିତ କର୍ମଚାରୀମାନଙ୍କ ଉତ୍ସାହ ବୃଦ୍ଧି ଲାଗି ପ୍ରତିବର୍ଷ ଫେବୃୟାରୀ ୨୪ରେ କେନ୍ଦ୍ରୀୟ ଅବକାରୀ ଦିବସ (ସେଣ୍ଟ୍ରାଲ ଏକ୍ସାଇଜ୍ ଡେ) ପାଳନ କରାଯାଇଥାଏ।
୧୯୪୪ ଫେବୃୟାରୀ ୨୪ରେ ସେଣ୍ଟ୍ରାଲ ଏକ୍ସାଇଜ୍ ଏବଂ ସଲ୍ଟ ଆକ୍ଟ ପ୍ରଣୟନକୁ ସ୍ମରଣ କରିବା ପାଇଁ ଏହି ଦିବସ ପାଳନ କରାଯାଇଥାଏ। ଭାରତରେ ଉନ୍ନତି ସାମାଜିକ-ଅର୍ଥନୈତିକ ବିକାଶ କ୍ଷେତ୍ରରେ କେନ୍ଦ୍ରୀୟ ଅବକାରୀ ଶୁଳ୍କର ପ୍ରମୁଖ ଯୋଗଦାନ ରହିଛି। ଏହି ଶୁଳ୍କ ଦେଶର ଆର୍ଥିକ ବିକାଶର ଗୁରୁତ୍ୱପୂର୍ଣ୍ଣ ଉତ୍ସ ହୋଇପାରିଛି। କେନ୍ଦ୍ରୀୟ ଅବକାରୀ ବିଭାଗର ଉନ୍ନତ ତଥା ଏକନିଷ୍ଠ ସେବା ଦ୍ୱାରା ଦେଶର ରାଜସ୍ବ ବହୁଗୁଣିତ ହୋଇ ପାରିଛି। କେନ୍ଦ୍ରୀୟ ଅବକାରୀ ବିଭାଗ ଦ୍ୱାରା ସଂଗୃହୀତ ରାଜସ୍ବ ଶିକ୍ଷା, ସ୍ବାସ୍ଥ୍ୟ କ୍ଷେତ୍ର ସମେତ ବହୁବିଧ ଯୋଜନାର ସଫଳ ପ୍ରଣୟନ ହୋଇପାରିଥାଏ। ଭାରତକୁ ଏକ ସମୃଦ୍ଧ, ସୁସ୍ଥ ତଥା ବିକଶିତ ଦେଶ ଭାବେ ସୁଦୃଢ଼ କରିବା ଏବଂ ଦାରିଦ୍ର୍ୟ ତଥା ନିରକ୍ଷରତା ଦୂର କରିବା ସହିତ ଭାରତୀୟ ଅର୍ଥନୀତିରେ ଉନ୍ନତି ଆଣିବା ପାଇଁ କେନ୍ଦ୍ରୀୟ ଅବକାରୀ ବିଭାଗ ଅତି ଦାୟିତ୍ୱସମ୍ପନ୍ନ ଭାବେ କାର୍ଯ୍ୟ ଜାରି ରଖିଛି।
ଭାରତକୁ ୧୦ଟି ଜୋନ୍ରେ ବିଭକ୍ତ କରାଯାଇଛି। ପ୍ରତି ଜୋନ୍ର ଦାୟିତ୍ୱ ଚିଫ୍ କମିଶନରଙ୍କ ଉପରେ ନ୍ୟସ୍ତ ଥାଏ। ସମସ୍ତ ଜୋନ୍ରେ ପ୍ରାୟ ୬୧ଟି କମିଶନରେଟ୍ ଜୋନ୍ ସେଣ୍ଟ୍ରାଲ ଏକ୍ସାଇଜ୍ କମିଶନରଙ୍କ ଦ୍ୱାରା ପରିଚାଳିତ ହୋଇଥାଏ। ସମଗ୍ର ଦେଶରେ ଲୋକମାନଙ୍କ ଦ୍ୱାରା ଦିଆଯାଉଥିବା ଟ୍ୟାକ୍ସ ଏବଂ ଏହାର ସଂଗ୍ରହ ସମ୍ବନ୍ଧୀୟ ନୀତି ପ୍ରସ୍ତୁତି ଏବଂ କାର୍ଯ୍ୟକାରୀ କରିବା ପାଇଁ ସେଣ୍ଟ୍ରାଲ ବୋର୍ଡ ଅଫ୍ ଏକ୍ସାଇଜ ଏବଂ କଷ୍ଟମ୍ସ ବିଭାଗ ପ୍ରତିଷ୍ଠା କରାଯାଇଛି ।
ଦେଶର ବିଭିନ୍ନ ରାଜ୍ୟରେ ବିଭିନ୍ନ ଥିମଭିତ୍ତିକ କାର୍ଯ୍ୟକ୍ରମ, ସାଂସ୍କୃତିକ କାର୍ଯ୍ୟକ୍ରମ, କର୍ମଶାଳା, ସଚେତନତା କାର୍ଯ୍ୟକ୍ରମ, ପ୍ରତିଯୋଗିତା ଏବଂ ସେମିନାର୍ ଆୟୋଜନ କରି କେନ୍ଦ୍ରୀୟ ଏକ୍ସାଇଜ ଦିବସ ପାଳନ କରାଯାଏ। ଏହି ଦିନ ଆନ୍ତରିକତାର ସହ ଏବଂ ସଚ୍ଚୋଟ ଭାବରେ କାର୍ଯ୍ୟ କରୁଥିବା କର୍ମଚାରୀଙ୍କୁ ସରକାର ପୁରସ୍କୃତ କରିଥାଆନ୍ତି।