ୟୁକ୍ରେନରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ

କ୍ୱିଭ,୧।୩: ରୁଷିଆ ଓ ୟୁକ୍ରେନ ଯୁଦ୍ଧର ୬ଷ୍ଠ ଦିନରେ ବି ଭୟଙ୍କର ଗୁଳିଗୋଳା ଜାରି ରହିଛି। ଇତିମଧ୍ୟରେ ୟୁକ୍ରେନରେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଖାର୍କ୍ୱିଭରେ ରୁଷିଆ ପକ୍ଷରୁ ହୋଇଥିବା ଗୁଳିବିନିମୟରେ ମଙ୍ଗଳବାର ସକାଳେ ଜଣେ ଭାରତୀୟ ଛାତ୍ରଙ୍କ ମୃତ୍ୟୁ ହୋଇଛି। ଏନେଇ ବର୍ହିବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚି ଟୁଇଟ କରି ସୂଚନା ଦେଇଛନ୍ତି। ଛାତ୍ରଙ୍କ ବିୟୋଗରେ ବର୍ହିବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଶୋକ ପ୍ରକାଶ କରାଯାଇଛି। ପରିବାର ଲୋକଙ୍କ ପ୍ରତି ଗଭୀର ସମବେଦନା ଜଣାଇ ତାଙ୍କ ସହ ଯୋଗାଯୋଗରେ ରହିଛୁ ବୋଲି ଅରିନ୍ଦମ ବାଗଚି କହିଛନ୍ତି। ତେବେ ମୃତ ଛାତ୍ର ଜଣକ ହେଉଛନ୍ତି କର୍ନାଟକର ହାବେରୀ ଜିଲା ଚଲାଗେରୀର ୨୧ ବର୍ଷୀୟ ନବୀନ ଏସ୍‌ଜି। ଅନ୍ୟପଟେ ୟୁକ୍ରେନରେ ଅଟକି ରହିଥିବା ଭାରତୀୟ ଛାତ୍ର ଓ ନାଗରିକଙ୍କୁ ନେଇ ମନ୍ତ୍ରଣାଳୟ ଚିନ୍ତା ପ୍ରକାଟ କରିଛି। ଏଥିପାଇଁ ରୁଷିଆ ବୈଦେଶିକ ସଚିବ ଓ ୟୁକ୍ରେନର ରାଷ୍ଟ୍ରଦୂତଙ୍କ ସହ ଆଲୋଚନା କରି ଭାରତୀୟ ନାଗରିକଙ୍କୁ ତୁରନ୍ତ ନିରାପଦ ମାର୍ଗରେ ସ୍ବଦେଶ ଫେରାଇ ଆଣିବାକୁ ଉଦ୍ୟମ କରାଯାଉଛି ବୋଲି ବାଗଚି କହିଛନ୍ତି।

Share