ଏସ୍‌ଡିଜେ ଆଡ଼କୁ ଭାରତର ଯାତ୍ରା ଏକ ପ୍ରେରଣାଦାୟୀ ଦୃଷ୍ଟାନ୍ତ: କାମ୍ବୋଜ

ନ୍ୟୁୟର୍କ, ୨୬।୯:ଭାରତ ଅଧ୍ୟକ୍ଷତାରେ ଜି୨୦ ସମ୍ମିଳନୀ ଆୟୋଜନ ନିରନ୍ତର ବିକାଶ ଲକ୍ଷ୍ୟ (ଏସ୍‌ଡିଜେ) ହାସଲ ଦିଗରେ ବେଶ୍‌ ସହାୟକ ହୋଇ ଏକ ପ୍ରେରଣାଦାୟୀ ଦୃଷ୍ଟାନ୍ତ ସୃଷ୍ଟି କରିଛି ବୋଲି ଜାତିସଂଘରେ ଭାରତର ସ୍ଥାୟୀ ପ୍ରତିନିଧି ରୁଚିରା କାମ୍ବୋଜ କହିଛନ୍ତି। ଜାତିସଂଘ ସାଧାରଣ ସଭାର ୭୮ତମ ଅଧିବେଶନ ପୃଷ୍ଠଭୂମିରେ ଜାତିସଂଘରେ ଭାରତର ସ୍ଥାୟୀ ମିଶନ, ଅବଜର୍ଭର ରିସର୍ଚ୍ଚ ଫାଉଣ୍ଡେଶନ ଏବଂ ରିଲାଏନ୍ସ ଫାଉଣ୍ଡେଶନର ମିଳିତ ସହଯୋଗରେ ଆୟୋଜିତ ‘ଇଣ୍ଡିଆ ରାଉଣ୍ଡ୍‌ଟେବୁଲ: ଡେଲିଭରିଂ ଡେଭଲପ୍‌ମେଣ୍ଟ: ଜର୍ନିଂଜ୍‌, ଡିରେକ୍‌ସନ୍ସ ଆଣ୍ଡ୍‌ ଲାଇଟ୍‌ହାଉସେସ୍‌’ ଶୀର୍ଷକ ଆଲୋଚନାରେ ଭାଗ ନେଇ କାମ୍ବୋଜ ଏଭଳି ମତ ଦେଇଛନ୍ତି। ସେ ଏସ୍‌ଡିଜେ ପ୍ରଗତି ରିପୋର୍ଟକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ବିଶ୍ୱସ୍ତରରେ ଅଦ୍ୟାବଧି କେବଳ ନିରନ୍ତର ବିକାଶ ଲକ୍ଷ୍ୟର ୧୨%କୁ ଚିହ୍ନଟ କରାଯାଇଛି, ୫୦% କାର୍ଯ୍ୟ ଦୁର୍ବଳ ରହିଥିବା ବେଳେ ୩୦% ଉପରେ ଗୁରୁତ୍ୱ ଦିଆଯାଇପାରି ନାହିଁ। ବର୍ତ୍ତମାନ ଅତି ଗରିବ ଲୋକଙ୍କ ସଂଖ୍ୟା ବିଗତ ୪ ବର୍ଷଠାରୁ ଅଧିକ ରହିଛି। ୨୦୩୦ ସୁଦ୍ଧା ସବୁ ଦେଶ କେବଳ ୩୦ ପ୍ରତିଶତ ଏସ୍‌ଡିଜେ-୧ରେ ଥିବା ବିନା ଦାରିଦ୍ର୍ୟ ଲକ୍ଷ୍ୟ ହାସଲ ଦିଗରେ କାମ କରୁଛନ୍ତି। ତେବେ ଏସ୍‌ଡିଜେ-୧ ହାସଲ ଦିଗରେ ଭାରତର ପ୍ରଦର୍ଶନ ଭଲ ରହିଛି। ୨୦୩୦ ପୂର୍ବରୁ ଭାରତ ଅତି କମ୍‌ରେ ତା’ର ଅଧା ଲକ୍ଷ୍ୟ ପୂରଣରେ ସକ୍ଷମ ହେବ ବୋଲି କାମ୍ବୋଜ ଆଶାବ୍ୟକ୍ତ କରିଛନ୍ତି। ଭାରତର ଜି୨୦ ସମ୍ମିଳନୀ ଆୟୋଜନ ଏ ଦିଗରେ ଏକ ବୃହତ୍‌ ସଫଳତା ଆଣିଦେଇଛି, ଯେଉଁଥିରେ ବିଶ୍ୱ ନେତାମାନେ ୨୦୨୩ ଆକ୍ସନ ପ୍ଲାନ୍‌ କ୍ଷେତ୍ରରେ ନୂଆଦିଲ୍ଲୀର ସକାରାତ୍ମକ ଦୃଷ୍ଟିକୋଣକୁ ମାନ୍ୟତା ଦେଇଛନ୍ତି।

Share