ଶହୀଦଙ୍କ ପ୍ରତିମୂର୍ତ୍ତି ପ୍ରତି ଅପମାନ

ଚଣ୍ଡିଖୋଲ,୨୪ା୩(ଡି.ଏନ.ଏ.): ଗୁରୁବାର ଥିଲା ଶହୀଦ ଭଗତ ସିଂହଙ୍କ ବଳିଦାନ ଦିବସ। ଉକ୍ତ ଦିବସରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବାକୁ ଉଦୀୟମାନ ସ୍ବେଚ୍ଛାସେବୀ ସଙ୍ଗଠନର କର୍ମକର୍ତ୍ତା ବଡ଼ଚଣା ବ୍ଲକ୍‌ ଅଧୀନ ଚଣ୍ଡିଖୋଲ ସରକାରୀ ବିଦ୍ୟାଳୟ ପରିସରରେ ଥିବା ପ୍ରତିମୂର୍ତ୍ତି ନିକଟକୁ ଯିବାବେଳେ ଦୁର୍ବୃତ୍ତ ଭଗତ୍‌ ସିଂହଙ୍କ ପ୍ରତିମୂର୍ତ୍ତିର ନାକ, କାନ ଓ ମୁଁହକୁ ପଥରରେ ଛେଚି ଖଣ୍ଡିଆ ଖାବରା କରି ଦେଇଥିବା ଦେଖିବାକୁ ପାଇଥିଲେ। କେବଳ ଭଗତ୍‌ ସିଂହଙ୍କ ନୁହେଁ ନେତାଜୀଙ୍କ ପ୍ରତିମୂର୍ତ୍ତିକୁ ମଧ୍ୟ ପଥରରେ ଛେଚି ଖଣ୍ଡିଆ ଖାବରା କରାଯାଇଛି। ଏନେଇ ସଙ୍ଗଠନର ସମ୍ପାଦକ ଅନିଲ କୁମାର ଦାସ କ୍ଷୋଭ ପ୍ରକାଶ କରିଛନ୍ତି। ସେ କହିଛନ୍ତି, ଚଣ୍ଡିଖୋଲ ସରକାରୀ ବିଦ୍ୟାଳୟ ପରିସରରେ ଆମ ଅନୁଷ୍ଠାନ ପକ୍ଷରୁ ସମସ୍ତ ମହାପୁରୁଷଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଇଛି। ମାତ୍ର ଦୁଃଖର କଥା ପ୍ରତ୍ୟେକ ସମୟରେ ଦୁର୍ବୃତ୍ତ ମହାପୁରୁଷଙ୍କ ଜୟନ୍ତୀ କିମ୍ବା ଶ୍ରାଦ୍ଧ ଦିବସରେ ପ୍ରତିମୂର୍ତ୍ତି ଭାଙ୍ଗିଥାଆନ୍ତି। ପୂର୍ବରୁ ମହାତ୍ମା ଗାନ୍ଧୀ ଓ ନେହେରୁଙ୍କ ପ୍ରତିମୂର୍ତ୍ତି ଭାଙ୍ଗିଥିବାବେଳେ ଏବେ ଦୁଇଟି ପ୍ରତିମୂର୍ତ୍ତି ନଷ୍ଟ କରିଛନ୍ତି। ଏ ସମ୍ପର୍କରେ ବିଦ୍ୟାଳୟ ପ୍ରଧାନଶିକ୍ଷକ ଦେବପ୍ରସାଦ ମଲ୍ଲଙ୍କୁ ପଚାରିବାରୁ ସେ କହିଛନ୍ତି, କେହି ପ୍ରତିମୂର୍ତ୍ତି ଖଣ୍ଡିଆ ଖାବରା କରି ଦେଇଛନ୍ତି। ପୁରା ଭାଙ୍ଗି ନାହିଁ। ଏ ବିଷୟରେ ପୋଲିସରେ ଅଭିଯୋଗ ହୋଇ ନ ଥିବା ଜଣାପଡ଼ିଛି।

Share