ଟ୍ରେନରେ ଯୁବତୀଙ୍କୁ ପିଟିବା ଘଟଣାର ତଦନ୍ତ ଆରମ୍ଭ

ରାଉରକେଲା ଅଫିସ, ୩।୧୦: ଗୀତାଞ୍ଜଳି ଏକ୍ସପ୍ରେସରେ ଯାଉଥିବା ବେଳେ ଜଣେ ମହିଳା ଇଞ୍ଜିନିୟରଙ୍କୁ ମାଡ଼ ଘଟଣାରେ ରାଉରକେଲା ଜିଆର୍‌ପିର ୫ଜଣିଆ ସ୍ବତନ୍ତ୍ର ଟିମ୍‌ ରବିବାର ଟାଟା ଗସ୍ତ କରିଛନ୍ତି। ଏହି ଟିମ୍‌ ଟାଟା ରେଲୱେ କଲୋନୀରେ ରହୁଥିବା ଆର୍‌ପିଏଫ୍‌ କନଷ୍ଟେବଳ ଅଜିତ କୁମାର ନାୟକଙ୍କୁ ଘଟଣା ସମ୍ପର୍କରେ ଅଧିକ ପଚରାଉଚରା କରିବେ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, କର୍ଣ୍ଣାଟକ ରାଜ୍ୟ ଧନବାଦ ଜିଲା ନରେନ୍ଦ୍ର ଗ୍ରାମରେ ଅନୀତା ରାଜଶ୍ରେଷ୍ଠ(୩୦) ସପରିବାର ରୁହନ୍ତି। ସେ କୌଣସି କାମ ପାଇଁ ମହାରାଷ୍ଟ୍ରର ଗୁନ୍ଧିଆ ଷ୍ଟେଶନରୁ ଗୀତାଞ୍ଜଳି ଏକ୍ସପ୍ରେସ ଯୋଗେ ହାୱଡ଼ା ବାହାରିଥିଲେ। ଅନୀତା ବିନା ଟିକେଟରେ ଗୀତାଞ୍ଜଳି ଏକ୍ସପ୍ରେସ୍‌ର ଏସ୍‌-୩ ବଗିରେ ଥିବା ଏକ ସିଟ୍‌ରେ ବସିଥିଲେ। ଶନିବାର ଟ୍ରେନ୍‌ଟି ରାଉରକେଲା ପାନପୋଷ ଷ୍ଟେଶନରେ ପହଞ୍ଚିବା ବେଳେ ଆର୍‌ପିଏଫ୍‌ କନଷ୍ଟେବଳ ନାୟକ ତାଙ୍କୁ ଟିକେଟ ମାଗିଥିଲେ। ମହିଳା ଜଣଙ୍କ ଟିକେଟ କରି ନ ଥିବା କଥା ସ୍ବୀକାର କରି ତାଙ୍କୁ କୌଣସି ଟିକେଟ ଦେଖାଇ ନ ଥିଲେ। ଫଳରେ ଅଜିତ ମହିଳା ଜଣଙ୍କୁ ସିଟ୍‌ ଛାଡ଼ିବା ପାଇଁ କହିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ମହିଳାଙ୍କ ବ୍ୟବହାରରେ ଅତିଷ୍ଠ ହୋଇ ଅଜିତ ବାଡ଼ିରେ ଅନୀତାଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏଥିରେ ଅନୀତାଙ୍କ ମୁଣ୍ଡ ଫାଟି ଯାଇଥିଲା। ଟ୍ରେନ୍‌ଟି ରାଉରକେଲା ଷ୍ଟେଶନରେ ପହଞ୍ଚିବା ପରେ ମହିଳା ଜଣକ ଜିଆର୍‌ପି ଥାନାରେ ଏ ନେଇ ଅଭିଯୋଗ କରିଥିଲେ। ତେବେ ଏହି ଘଟଣାର ଅଧିକ ତଦନ୍ତ ପାଇଁ ପୋଲିସ ଟାଟା ଯାଇଥିବା ଜିଆର୍‌ପି ସବଇନ୍ସପେକ୍ଟର ଦେବେନ୍ଦ୍ର ନାୟକ ସୂଚନା ଦେଇଛନ୍ତି।