ମହିଳାଙ୍କୁ ଇଙ୍ଗିତକରି ଅଶ୍ଳୀଳ ଗୀତ

ଜୟପୁର/ସୁନାବେଡ଼ା, ୧୬ା୯(ନି.ପ୍ର./ସ୍ବ.ପ୍ର.): ପ୍ରତ୍ୟେକ ଜିଲାର ମହିଳା ଓ ଯୁବତୀଙ୍କୁ ଅଶାଳୀନ ଭାଷା ପ୍ରୟୋଗକରି ଗୀତ ଗାଇଥିବା କଳାକାରଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଗୁରୁବାର କଳାକାର, ଛାତ୍ରୀ ଓ ମହିଳାମାନେ ଏକତ୍ରିତ ହୋଇ ଟାଉନ ଥାନା ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରି ଏତଲା ଦେଇଛନ୍ତି। ଏସ୍‌ଡିପିଓ ଅରୂପ ଅଭିଷେକ ବେହେରା ସେମାନଙ୍କ ଏତଲା ଗ୍ରହଣ କରିଛନ୍ତି। ଜୟପୁରର କୁସୁମାଞ୍ଜଳି ମହିଳା ଗ୍ରୁପ୍‌, ସଚେତନ ମହିଳା ସଂଘ, ସଚେତନ ଛାତ୍ରୀ ସଂଘ, ସ୍ବର ଘୁଙ୍ଗୁର, କୋରାପୁଟର ଇଣ୍ଟରନ୍ୟାଶନାଲ ହ୍ୟୁମାନରାଇଟ୍ସ ଶାଖା ଏବଂ କୋରାପୁଟିଆ କଳା ଓ କଳାକାରମାନେ ଏଥିରେ ସାମିଲ ହୋଇଥିଲେ। ବାଲେଶ୍ୱରର ଶଙ୍କର ଓମ୍‌ ଶାରନ ଓରଫ ଉମାକାନ୍ତ ନାମକ ବ୍ୟକ୍ତି ଓଡ଼ିଶାର ସମସ୍ତ ଜିଲାର ନାରୀମାନଙ୍କ ପ୍ରତି ଅଶ୍ଳୀଳ ଆକ୍ଷେପ କରି ଗୀତ ରଚନା କରି ୟୁ ଟ୍ୟୁବ୍‌ ପ୍ଲାଟ୍‌ଫର୍ମରେ ଛାଡ଼ିଛନ୍ତି। ଏହାକୁ ବିରୋଧକରି ଜୟପୁରରେ ଉପରୋକ୍ତ ଅନୁଷ୍ଠାନ, ଛାତ୍ରୀଛାତ୍ର ଓ ଜନସାଧାରଣଙ୍କ ପକ୍ଷରୁ ଏତଲା ହୋଇଛି। ସମ୍ପୃକ୍ତ ଗୀତିକାରଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରାଯାଇଛି। ତାଙ୍କ ୟୁଟୁବ୍‌ ଚାନେଲକୁ ରଦ୍ଦକରି ଏଥିରେ ସମ୍ପୃକ୍ତ ଥିବା ବ୍ୟକ୍ତିବିଶେଷଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବିପତ୍ରରେ ଉଲ୍ଲେଖ ରହିଛି। ଏତଲା ଦେବା ସମୟରେ ଧୀରେନ ମୋହନ ପଟ୍ଟନାୟକ, ମନୋଜ ପାତ୍ର, ହିମାଂଶୁ ମହାପାତ୍ର, ରାହୁଲ ସାମନ୍ତରାୟ, ବାଦଲ ସାମନ୍ତରାପାତ୍ର, ଜି. ରାମବାବୁ, ସାଗରିକା ପଟ୍ଟନାୟକ,ସସ୍ମିତା ମିଶ୍ର, ଶିଳ୍ପା ପାଣି, ସାଗରିକା ମହାପାତ୍ର,ସଞ୍ଜିବନୀ ପଣ୍ଡା, କୃଷ୍ଣଚନ୍ଦ୍ର ହୋତା, ସୁଶାନ୍ତ ପଣ୍ଡା, ଶ୍ରୀକାନ୍ତ ଦାସ, ଦିବାକର ପଟ୍ଟନାୟକ, ଜୟନ୍ତ ଦାସ,ପୀୟୂଷ ପଟ୍ଟନାୟକ,କୃଷ୍ଣ ଦାସ, ଏମ୍‌. ସତ୍ୟନାରାୟଣ, ଦୁର୍ଗା ଶର୍ମାଙ୍କ ସହ ଅନ୍ୟମାନେ ଉପସ୍ଥିତ ଥିଲେ l
ଗୀତିକାର ଓ ଗାୟକ ବିରୁଦ୍ଧରେ ଥାନାରେ ଏତଲା । ସୁନାବେଡାରେ ମଧ୍ୟ ଏହା ବିରୋଧରେ ସେମିଳିଗୁଡାର ସ୍ବେଚ୍ଛାସେବୀ ସଂସ୍ଥା ଲିଭ ଫର ଅଦର୍ସର ସଭାନେତ୍ରୀ ସ୍ନିଗ୍ଧାରାଣୀ ମିଶ୍ରଙ୍କ ସମେତ ଅନ୍ୟ କର୍ମକର୍ତ୍ତାମାନେ ଥାନାରେ ଅଭିଯୋଗ କରିଛନ୍ତି। ଏନେଇ ସେମାନେ ଏସ୍‌ଆଇ ଦୀପକ ବାରିକଙ୍କୁ ଅଭିଯୋଗପତ୍ର ଦେଇଛନ୍ତି। ସମ୍ପୃକ୍ତ ଗୀତିକାର ଓ ଗାୟଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି କରାଯାଇଛି।