ଦୁଃଖରେ ଦିନ କାଟୁଛନ୍ତି ବୃଦ୍ଧ ଦମ୍ପତି

ମାଲକାନଗିରି,୨୭ା୩(ଡି.ଏନ.ଏ.):ପରିଣତ ବୟସରେ ସାହାରା ଖୋଜୁଛନ୍ତି ବୃଦ୍ଧ ଦମ୍ପତି। ନିରାଶ୍ରୟ ଅବସ୍ଥାରେ ସେମାନେ ଜିଇଁବାକୁ ୮୦ ବର୍ଷ ବୟସରେ କରୁଛନ୍ତି ସଂଘର୍ଷ ା ଏହି ବୃଦ୍ଧ ଦମ୍ପତି ହେଲେ ମାଲକାନଗିରି ଜିଲା କାଲିମେଳା ବ୍ଲକ ପୁଲିମେଟଲା ପଞ୍ଚାୟତ ଏମ୍‌ପିଭି-୬ ଗ୍ରାମର ମହେନ୍ଦ୍ର ମଣ୍ଡଳ ଏବଂ ତାଙ୍କ ସ୍ତ୍ରୀ କହ୍ନା। ଏମ୍‌ପିଭି-୬ ଗ୍ରାମରେ ମହେନ୍ଦ୍ରଙ୍କ ୩ ଝିଅ, ସ୍ତ୍ରୀଙ୍କୁ ନେଇ ସଂସାର। ଝିଅମାନେ ବାହା ହୋଇଗଲେଣି। ବୃଦ୍ଧ ଦମ୍ପତିଙ୍କ ଦେଖାରଖା କରିବାକୁ କେହି ନାହାନ୍ତି। ନିଜପାଇଁ ଖାଦ୍ୟ ମୁଠାଏ ଯୋଗାଡ କରିବା ସେମାନଙ୍କ ପାଇଁ ହୋଇପଡୁଛି କଷ୍ଟକର। ସରକାରୀ ଯୋଜନାର ଶିଡି ଚଢି ପାରୁନାହିଁ ଏମାନେ। ଫଳରେ ଭାଗ୍ୟକୁ ଆଦରି ପରିଣତ ବୟସରେ ଓଳିଏ ଖାଇ ଓଳିଏ ଉପାସ ରହି ଦିନ କାଟୁଛନ୍ତି ମହେନ୍ଦ୍ର ଓ କହ୍ନା। ଗ୍ରାମବାସୀ କରିଦେଇଥିବା ଘରେ ରହୁଥିବା ଏହି ଦମ୍ପତିଙ୍କ ଉପରେ ଏଯାଏ ପ୍ରଶାସନର ନଜର ପଡିନି। ଜାଗା ଓ ଜମି ଅନ୍ୟ ଲୋକେ ମାଡି ବସିଲେ, ଘର ଖଣ୍ଡେ ପାଇଁ ବାରମ୍ବାର ପ୍ରଶାସନର ଦ୍ୱାରସ୍ଥ ହୋଇ କିଛି ସୁଫଳ ମିଳିନି ସେମାନଙ୍କୁ। ଚଲାବୁଲା କରିପାରୁ ନ ଥିବା ମହେନ୍ଦ୍ର ମିଳୁଥିବା ସରକାରୀ ଚାଉଳ ଆଣିପାରୁନାହାନ୍ତି। ପ୍ରାୟ ୪ ମାସ ହେଲା ଭତ୍ତା ଟଙ୍କା ମଧ୍ୟ ମିଳିନି। ଏହି ବୃଦ୍ଧ ଦମ୍ପତିଙ୍କୁ ମୁଣ୍ଡ ଗୁଞ୍ଜିବାକୁ ଘର ଖଣ୍ଡେ ଯୋଗାଇ ଦେବା ସହ ଭତ୍ତା ଓ ରାଶନ ସାମଗ୍ରୀ ସେମାନଙ୍କ ନିକଟରେ ପହଞ୍ଚାଇବା ଲାଗି ବ୍ୟବସ୍ଥା କରିବାକୁ ଗ୍ରାମବାସୀ ଦାବି କରିଛନ୍ତି।

Share