ଭଙ୍ଗାଘରେ ଦିବ୍ୟାଙ୍ଗ ପୁଅ ସହ ବିତୁଛି ଦିନ, ପକ୍କାଘର ଅପେକ୍ଷାରେ ବୃଦ୍ଧ ଦମ୍ପତି

ତେନ୍ତୁଳିଖୁଣ୍ଟି, ୨୮।୧୨(ଚିଦାନନ୍ଦ ସାହୁ): ଭଙ୍ଗା ଘରେ ଦିବ୍ୟାଙ୍ଗ ପୁଅକୁ ନେଇ ରହୁଛନ୍ତି ବୃଦ୍ଧ ଦମ୍ପତି। ପର ଘରେ କାମ କଲେ କଷ୍ଟମଷ୍ଟେ ଘର ଚଳୁଛି। ଭଙ୍ଗା ଘର ସଜାଡିବାକୁ ସମ୍ବଳ ନାହିଁ। ବାରମ୍ବାର ନୂଆ ଘର ପାଇଁ ଦାବି କରିଲେ ମଧ୍ୟ ଏହି ଦିଗରେ କେହି କର୍ଣ୍ଣପାତ କରୁ ନ ଥିବା ସେମାନେ କହିଛନ୍ତି। ତନ୍ତୁଳିଖୁଣ୍ଟି ବ୍ଲକ ଦିଗି ପଞ୍ଚାୟତ ସଲପା ଗ୍ରାମର କମଲୁ ଗାଦବା (୬୫), ସ୍ତ୍ରୀ ତୁଳସା ଗାଦବା (୬୩) ଗୋଟିଏ ଭଙ୍ଗା ମାଟି କୁଡ଼ିଆରେ ରହିଛନ୍ତି। ତାଙ୍କର ଦୁଇ ପୁଅ। ଜଣେ ମାନସିକ ଭିନ୍ନକ୍ଷମ ହୋଇଥିବାବେଳ ଆଉ ଗୋଟିଏ ପୁଅ ବାହାର ରାଜ୍ୟରେ ଦାଦନ ଖଟୁଛନ୍ତି। କମଲୁଙ୍କୁ ୫୦୦ ଟଙ୍କା ଭତ୍ତା ସହ ୧୦ କେଜି ଚାଉଳ ମିଳୁଛି। ଜମି ବାଡି କିଛି ନାହିଁ। ପର ଘରେ କାମ କଲେ କଷ୍ଟେମଷ୍ଟେ ଚଳନ୍ତି। ଏବେ ବୟାସାଧିକ ଯୋଗୁ କାମ କରି ପାରୁନ ଥିବା କମଲୁ କହିଛନ୍ତି। ଆବାସ ଘର ଖର୍ଡେ ଯୋଗଇ ଦେବାକୁ ବାରବାର କହିଲେ ମଧ୍ୟ କେହି ଶୁଣୁ ନାହାନ୍ତି। ଗାଡି, କୋଠା ଘର ଥିବା ଲୋକଙ୍କୁ ଘର ମିଳୁଛି। କିନ୍ତୁ ଆମେ ବାରମ୍ବାର ଦାବି କଲେ ମଧ୍ୟ କେହି ଶୁଣୁ ନାହାନ୍ତି ବୋଲି ଦୁଃଖ ଓ କ୍ଷୋଭର ସହ ସେ କହିଛନ୍ତି। ପଞ୍ଚାୟତରେ ଯେତେ ମିଟିଂ ହେଉଥିଲା ସବୁବେଳେ ଘର ପାଇଁ ସରପଞ୍ଚ ମେମ୍ବର କହିଛି ଲେଖି ଦେଉଛୁ ବୋଲି ହିଁ ଉତ୍ତର ମିଳିଥିଲା। କିନ୍ତୁ ମରିବାର ବୟସ ହେଲାଣି ଘର କେବେ ମିଳିବ ବୋଲି କମଳୁ ପ୍ରଶ୍ନ କରିଛନ୍ତି।

Share