ଲକ୍ଷ୍ନୌ, ୭।୩: ସନ୍ତାନମାନଙ୍କ ଦ୍ୱାରା ନିର୍ଯାତିତ ହେବା ପରେ ଉତ୍ତର ପ୍ରଦେଶର ୮୫ ବର୍ଷୀୟ ନାଥୁ ସିଂ ଦେଢ଼ କୋଟିର ସମ୍ପତ୍ତିକୁ ରାଜ୍ୟ ସରକାରଙ୍କ ନାଁରେ କରିଦେଇଛନ୍ତି। ଏହାଛଡ଼ା ସେ ତାଙ୍କ ଶରୀରକୁ ମେଡିକାଲ କଲେଜକୁ ଦାନ କରିବା ସହ ଅନ୍ତିମ ସଂସ୍କାରରେ ଯୋଗଦେବା ପାଇଁ ତାଙ୍କ ୪ ଝିଅ ଓ ପୁଅଙ୍କୁ ଅନୁମତି ନ ଦେବାକୁ କହିଛନ୍ତି। ମୁଜାଫରନଗରର ନାଥୁ ସିଂଙ୍କ ପୁଅ ସାହରନପୁରରେ ଶିକ୍ଷକ ଭାବେ କାର୍ଯ୍ୟ କରୁଥିବାବେଳେ ୪ ଝିଅ ବାହା ହୋଇସାରିଛନ୍ତି। ସ୍ତ୍ରୀଙ୍କ ବିୟୋଗ ପରେ ନାଥୁ ଘରେ ଏକୁଟିଆ ରହୁଥିଲେ। ଗତ ୭ ମାସ ହେବ ଗାଁର ଏକ ବୃଦ୍ଧାଶ୍ରମରେ ସେ ରହୁଛନ୍ତି। ନାଥୁଙ୍କୁ ଭେଟିବା ପାଇଁ କିମ୍ବା ତାଙ୍କ କଥା ବଝିବା ଲାଗି ପୁଅ କି ଝିଅ ଆସୁ ନ ଥିବାବେଳେ ନାଥୁ ତାଙ୍କ ସମ୍ପତ୍ତିର ଓ୍ବିଲ୍ ସରକାରଙ୍କ ନାଁରେ କରିଛନ୍ତି। ନାଥୁଙ୍କ ମୃତ୍ୟୁ ପରେ ତାଙ୍କ ଜମିରେ ଡାକ୍ତରଖାନା କିମ୍ବା ସ୍କୁଲ ନିର୍ମାଣ ପାଇଁ ସେ ସରକାରଙ୍କୁ ପ୍ରସ୍ଥାବ ଦେଇଛନ୍ତି।