ବାର୍ଦ୍ଧକ୍ୟରେ ଖଲି ଚଉତି ବିକି ଚଳୁଛନ୍ତି ବୃଦ୍ଧା

କେନ୍ଦୁଝର,୭ା୮(ନରେଶ ଚନ୍ଦ୍ର ପଟ୍ଟନାୟକ): ପୁଅ, ବୋହୂ ଓ ନାତି-ନାତୁଣୀ ସମସ୍ତେ ଅଛନ୍ତି। କିନ୍ତୁ କେହି ପଚାରୁନାହାନ୍ତି। ପୁଅ ବାହାରେ ରହି କାମ କରୁଥିବା ବେଳେ ବୋହୂ ପିଲାଙ୍କୁ ଧରି ନିଜ ବାପଘରେ ରହୁଛନ୍ତି। ପରିବାରର ସମସ୍ତେ ଥାଇ ମଧ୍ୟ ଏକୁଟିଆ ଜୀବନ କାଟିବାକୁ ପଡ଼ୁଛି। ବର୍ଷା, ଖରା ସବୁ ସମୟରେ ମୁଣ୍ଡରେ ଖଲିପତ୍ର ଚଉତିର ବୋଝ, ହାତରେ ଛତା ଓ ବାଡ଼ି ଧରି କେନ୍ଦୁଝର ସହରକୁ ବିକ୍ରି କରିବାକୁ ଆସିଥାଆନ୍ତି। ଖଲି ଚଉତି ବିକ୍ରି କରି ଯାହା ମିଳେ ସେଥିରେ ପେଟ ପୋଷୁଛନ୍ତି।
ସଦର ବ୍ଲକ୍‌ ଜାମୁନାଳିଆ ଗ୍ରାମର ବଚୁଆଣି ଦେହୁରୀ(୭୫)। ସ୍ବାମୀ, ଏକ ମାତ୍ର ପୁଅ, ବୋହୂ, ଦୁଇ ନାତୁଣୀ ଓ ଗୋଟିଏ ନାତିକୁ ନେଇ ସଂସାର ଭଲରେ ଚାଲିଥିଲା। ସ୍ବାମୀ ଓ ପୁଅ ରୋଜଗାର କରୁଥିଲେ। ସେଥିରେ ପରିବାର ଗୁଜୁରାଶ ମେଣ୍ଟୁଥିଲା। ୩ ବର୍ଷ ପୂର୍ବେ ସ୍ବାମୀଙ୍କ ମୃତ୍ୟୁ ପରେ ସବୁ ବଦଳିଗଲା। ବୋହୂ ନାତିନାତୁଣୀଙ୍କୁ ଧରି ନିଜ ବାପଘରକୁ ପଳାଇଥିବା ବେଳେ ପୁଅ କାମ କରିବାକୁ ବାହାରକୁ ଚାଲିଗଲା। ଏଣୁ ସମସ୍ତେ ଥାଇ ମଧ୍ୟ ପରିଣତ ବୟସରେ ଏକୁଟିଆ ଜୀବନ କାଟୁଛି ବୋଲି ସେ କହିଥିଲେ। ଯେଉଁ ବୟସରେ ଘରେ ରହି ନାତି ନାତୁଣୀଙ୍କ ସହିତ ଅତିବାହିତ କରିବା କଥା, ସେ ବୟସରେ ଜଙ୍ଗଲରୁ ଶାଳପତ୍ର ସଂଗ୍ରହ କରି ଖଲି ଚଉତି ପ୍ରସ୍ତୁତ କରିବାକୁ ପଡ଼ୁଛି। ଚାଲିଚାଲି ୬ କି.ମି କେନ୍ଦୁଝର ସହରକୁ ଆଣି ସେ ସବୁ ବିକ୍ରି କଲେ ଦୁଇ ପଇସା ମିଳୁଛି। ଥରେ ଆସିଲେ ଶହେ ଟଙ୍କା ରୋଜଗାର ହୋଇଯାଏ। ପଞ୍ଚାୟତରୁ ଚାଉଳ ମିଳୁଛି। ଭତ୍ତା ଟଙ୍କା ବ୍ୟାଙ୍କ ଖାତାକୁ ଆସୁଛି। ଥରେ ରୋଷେଇ କଲେ ୩ ଓଳି ଖାଉଛି। ବାର୍ଦ୍ଧ୍ୟକ ବୟସରେ ପରିଶ୍ରମ କରୁଥିଲେ ବି କିଛି ଅସୁବିଧା ନାହିଁ କିନ୍ତୁ ଏକୁଟିଆ ଜୀବନ ଅଧିକ ଦୁଃଖ ଦେଉଛି ବୋଲି କହିଥିଲେ। ପୁଅ କାମରୁ ଫେରିଲେ ଦେଖାହୁଏ। ନାତିନାତୁଣୀ ବଡ଼ ବଡ଼ ହୋଇଗଲେଣି କିନ୍ତୁ ଦେଖିବାକୁ ଇଚ୍ଛା ହେଉଥିଲେ ହେଁ ଆସୁ ନ ଥିବାରୁ ଦେଖିପାରୁନାହିଁ ବୋଲି ଆଖି ଛଳ ଛଳ କରି ଦୁଃଖ ପ୍ରକାଶ କରିଥିଲେ। ବୃଦ୍ଧାଜଣଙ୍କ ଭାରି ସ୍ନେହୀ। ତାଙ୍କ ନାତି ବୟସର ଯାହାକୁ ଦେଖିଲେ ଖୁସିରେ କଥା ହୋଇଥାନ୍ତି। ସମସ୍ତଙ୍କୁ ଶ୍ରଦ୍ଧା କରିଥାଆନ୍ତି ବୋଲି ବୃଦ୍ଧାଙ୍କଠାରୁ ଖଲିପତ୍ର ଚଉତି କିଣୁଥିବା ଅନୀଲ ସୋନକାର କହିଛନ୍ତି।

Share