Categories: ଜାତୀୟ

ଜମ୍ମୁ-କଶ୍ମୀର ଏକ ଖୋଲା ଜେଲ୍‌, ଅନୁଚ୍ଛେଦ ୩୭୦ ପୁନଃସ୍ଥାପିତ ନ ହେବା ପର୍ଯ୍ୟନ୍ତ ଲଢ଼ିବିନି ନିର୍ବାଚନ: ମେହବୁବା…

ବେଙ୍ଗାଲୁରୁ,୨୧।୫ : ଜମ୍ମୁ-କଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ମେହବୁବା ମୁଫତି ରବିବାର କହିଛନ୍ତି ସମ୍ବିଧାନର ଧାରା ୩୬୦ ପୁନଃସ୍ଥାପିତ ନ ହେବା ପର୍ଯ୍ୟନ୍ତ ସେ ଜମ୍ମୁ-କଶ୍ମୀର ବିଧାନସଭା ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବେ ନାହିଁ। ତେବେ ତାଙ୍କ ଦଳ ନିଶ୍ଚିତ ଭାବେ ନିର୍ବାଚନରେ ପ୍ରତିଦ୍ୱନ୍ଦ୍ୱିତା କରିବ। ପିପୁଲ୍ସ ଡେମୋକ୍ରାଟିକ ପାର୍ଟି (ପିଡିପି) ର ଅଧ୍ୟକ୍ଷା ମେହବୁବା ମୁଫତି କହିଛନ୍ତି ଜମ୍ମୁ-କଶ୍ମୀରର ସ୍ବତନ୍ତ୍ର ସ୍ଥିତି ସଂଘବାଦର ସର୍ବୋତ୍ତମ ଉଦାହରଣ ଥିଲା, କିନ୍ତୁ ଧାରା ୩୭୦ ରଦ୍ଦ କରି ରାଜ୍ୟକୁ ବିଭାଜିତ କରି ଅକ୍ଷମ କରାଯାଇଥିଲା।

ଚାଇନା ବର୍ତ୍ତମାନ ଜମ୍ମୁ-କଶ୍ମୀରର କାର୍ଯ୍ୟରେ ହସ୍ତକ୍ଷେପ କରୁଛି। ପୂର୍ବରୁ କେବଳ ପାକିସ୍ତାନ ଏହା କରୁଥିଲା। ଏହା ହେଉଛି ଭାଜପା ଦ୍ୱାରା ଧାରା ୩୭୦ ରଦ୍ଦ କରିବାର ଫଳାଫଳ।

ଜମ୍ମୁ-କଶ୍ମୀର ବର୍ତ୍ତମାନର ପରିସ୍ଥିତିରେ ଏକ ଖୋଲା ଜେଲ ପାଲଟିଛି। ଆମର ସମସ୍ତ ପାସପୋର୍ଟ ଜବତ କରାଯାଇଛି। ଯଦି ଏହା ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପରିବାର ସହିତ ହୋଇପାରେ, ତେବେ ଏହା ଅନ୍ୟ କାହା ସହିତ ନ ହୋଇପାରେ ବୋଲି ଚିନ୍ତା କରିବା ବୃଥା ବୋଲି ସେ କହିଛନ୍ତି।

କର୍ନାଟକ ନିର୍ବାଚନରେ ଭାଜପାର ପରାଜୟ ସମ୍ପର୍କରେ ପିଡିପି ନେତା ମଧ୍ୟ ନିଜର ମତ ପ୍ରକାଶ କରିଛନ୍ତି। ରାହୁଲ ଗାନ୍ଧୀଙ୍କ ’ଭାରତ ଯୋଡୋ ଯାତ୍ରା’ କର୍ନାଟକରେ କଂଗ୍ରେସର ବିଜୟର ମୂଳଦୁଆ ପକାଇଛି। ସେ କହିଛନ୍ତି, କର୍ନାଟକ ସମଗ୍ର ଦେଶକୁ ଆଶାର କିରଣ ଦେଖାଇଛି ଯେତେବେଳେ ସମସ୍ତେ ହାର ମାନିଥିଲେ। ଗତ ପାଞ୍ଚ ବର୍ଷ ମଧ୍ୟରେ କର୍ନାଟକ ମଧ୍ୟ ଘୃଣା ତଥା ସାମ୍ପ୍ରଦାୟିକ ରାଜନୀତିର ଶିକାର ହୋଇଥିଲା, କିନ୍ତୁ ରାଜ୍ୟ ଗଣତନ୍ତ୍ରକୁ ପୁଣିଥରେ ସୁଯୋଗ ଦେଇଛି। କେତେକ ବିରୋଧୀ ଦଳ ନେତାଙ୍କୁ ଶପଥ ଗ୍ରହଣ ଉତ୍ସବକୁ ଆମନ୍ତ୍ରଣ ନ କରାଯିବା ନେଇ ସେ ମତପୋଷଣ କରିଛନ୍ତି କଂଗ୍ରେସ ଅଧିକ ତ୍ୟାଗ ଦେବା ଉଚିତ, ନଚେତ ଅନ୍ୟାନ୍ୟ ବିକଳ୍ପ ମଧ୍ୟ ଖୋଲା ଅଛି ।

ଦିଲ୍ଲୀର ଆମ ଆଦମୀ ପାର୍ଟି (ଏଏପି) ସରକାର ଏବଂ କେନ୍ଦ୍ର ମଧ୍ୟରେ ଥିବା ଅଧିକାର ସମ୍ପର୍କରେ ମେହବୁବା ମୁଫତି କହିଛନ୍ତି, ’ଦିଲ୍ଲୀରେ ଯାହା ଘଟିଲା ତାହା ସମସ୍ତଙ୍କ ପାଇଁ ସତକର୍ର୍ ଘଣ୍ଟି। ଭାରତୀୟ ଜନତା ପାର୍ଟି କୌଣସି ବିରୋଧ ଚାହୁଁନାହିଁ। ଦିଲ୍ଲୀ ସରକାରଙ୍କୁ ଶକ୍ତିହୀନ କରାଯାଇଛି। ଏହା ସମସ୍ତଙ୍କ ସହିତ ଘଟିବାକୁ ଯାଉଛି।

 

Share