Categories: ଜାତୀୟ

ଜାଲ୍‌ ଜାତି ପ୍ରମାଣପତ୍ର ବିରୋଧରେ ଉଲଗ୍ନ ପ୍ରତିବାଦ

ରାୟପୁର,୧୯।୭: ଛତିଶଗଡ଼ ରାଜଧାନୀ ରାୟପୁରରେ ମଙ୍ଗଳବାର ଜାଲ୍‌ ଜାତିଗତ ପ୍ରମାଣ ପତ୍ର ବିରୋଧରେ ଅନୁସୂଚିତ ଜାତି ଓ ଜନଜାତି ବର୍ଗର କେତେଜଣ ଉଲଗ୍ନ ହୋଇ ପ୍ରତିବାଦ କରିଛନ୍ତି। ମିଛ ଜାତିଗତ ପ୍ରମାଣପତ୍ରରେ ସରକାରୀ ଚାକିରି ପାଇଥିବା ଲୋକଙ୍କ ବିରୋଧରେ ସରକାର କଡ଼ା କାର୍ଯ୍ୟାନୁଷ୍ଠାନ ନିଅନ୍ତୁ ବୋଲି ସେମାନଙ୍କ ଦାବି ରହିଛି। ଯୁବକଙ୍କ ଉଲଗ୍ନ ପ୍ରତିବାଦ ବେଳର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେବାରେ ଲାଗିଛି। ବିକ୍ଷୋଭକାରୀମାନେ ପ୍ଲାକାର୍ଡ ଧରି ବିଧାନସଭା ଅଭିମୁଖେ ଯାତ୍ରା କରୁଥିବାବେଳେ ପୋଲିସ ସେମାନଙ୍କୁ ଅଟକାଇଥିଲା। ଅମା ସେଓନି ଛକ ନିକଟରେ ୧୨ରୁ ଊର୍ଦ୍ଧ୍ୱ ପ୍ରଦର୍ଶନକାରୀଙ୍କୁ ଗିରଫ କରାଯାଇଛି। ଜାଲ୍‌ ଜାତି ପ୍ରମାଣପତ୍ର ଦ୍ୱାରା ଅନେକ ସରକାରୀ କର୍ମଚାରୀ ଚାକିରି ପାଇବ ନେଇ ଅଭିଯୋଗ ହେବା ପରେ ଏହାର ତଦନ୍ତ ସକାଶେ ସରକାରଙ୍କ ତରଫରୁ ଏକ ଯାଞ୍ଚ ଏଜେନ୍ସି ଗଠନ କରାଯାଇଥିଲା। ୨୬୭ ଜଣ କର୍ମଚାରୀ ମିଛ ଜାତିଗତ ପ୍ରମାଣପତ୍ରରେ ଚାକିରି ପାଇଥିବା ଜଣାପଡ଼ିବା ପରେ ମଧ୍ୟ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନ ଥିବା ଜଣେ ଆନ୍ଦୋଳନକାରୀ କହିଛନ୍ତି। ପୂର୍ବରୁ ମଧ୍ୟ ବିକ୍ଷୋଭକାରୀ ଅନଶନ କରିଥିଲେ। ହେଲେ କୌଣସି କାର୍ଯ୍ୟାନୁଷ୍ଠାନ ନିଆ ଯାଇ ନ ଥିଲା। ଜାଲିଆତି କରି ଚାକିରି ପାଇଥିବା ବ୍ୟକ୍ତିଙ୍କୁ ଗିରଫ ସହ ସେମାନଙ୍କ ସମ୍ପତ୍ତି ବାଜ୍ୟାପ୍ତ କରିବା ବିକ୍ଷୋଭକାରୀଙ୍କ ଦାବି ରହିଛି।

Share