Categories: ଜାତୀୟ

ପ୍ରିୟଙ୍କା ନ ହେଲେ ଦଳିତ ଚେହେରା

ନୂଆଦିଲ୍ଲୀ,୨୦ା୮: କଂଗ୍ରେସ ଅଧ୍ୟକ୍ଷ ପଦ ପାଇଁ ଅଗଷ୍ଟ ୨୧ରୁ ସେପ୍ଟେମ୍ବର ୨୦ ମଧ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ। କିନ୍ତୁ ପୁଣି ଥରେ ଦଳର ଅଧ୍ୟକ୍ଷ ହେବା ଲାଗି କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ କୌଣସି ଆଗ୍ରହ ଦେଖିବାକୁ ମିଳୁନାହିଁ। ଫଳରେ ଜଣେ ଅଣଗାନ୍ଧୀଙ୍କୁ କଂଗ୍ରେସ ଅଧ୍ୟକ୍ଷ କରାଇବାକୁ ଦଳର ରଣନୀତିକାର ଓ ବରିଷ୍ଠ ନେତାମାନେ ବିଚାର କରୁଥିବା ଜଣାପଡ଼ିଛି।
ବରିଷ୍ଠ କଂଗ୍ରେସ ନେତାମାନଙ୍କ ମତରେ ବର୍ତ୍ତମାନର ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ନିଜ ବୟସ ଓ ସ୍ବାସ୍ଥ୍ୟଗତ କାରଣରୁ ଆଉ ୫ ବର୍ଷ ପାଇଁ ଅଧ୍ୟକ୍ଷା ହେବାକୁ ଚାହିଁ ନ ପାରନ୍ତି, ଯାହାର ସଙ୍କେତ ସେ ୨୦୨୦ ଅଗଷ୍ଟ ୨୪ରେ ଅନୁଷ୍ଠିତ କଂଗ୍ରେସ କାର୍ଯ୍ୟକାରୀ କମିଟି (ସିଡବ୍ଲ୍ୟୁସି) ବୈଠକରେ ଦେଇଥିଲେ। କଂଗ୍ରେସ ନେତା ରାହୁଲ ଗାନ୍ଧୀ ୨୦୧୭ ଡିସେମ୍ବର ୧୬ରୁ ୨୦୧୯ ଅଗଷ୍ଟ ୧୦ ପର୍ଯ୍ୟନ୍ତ ଦଳର ଅଧ୍ୟକ୍ଷ ଥିଲେ। ୨୦୧୯ ସାଧାରଣ ନିର୍ବାଚନରେ କଂଗ୍ରେସର ଶୋଚନୀୟ ପରାଜୟ ପରେ ସେ ଏହି ପଦ ଛାଡ଼ିଥିଲେ। ଆସନ୍ତା ନିର୍ବାଚନରେ ଅଧିକାଂଶ ନେତା ତାଙ୍କୁ ପୁନର୍ବାର ଏହି ପଦରେ ଅବସ୍ଥାପିତ କରିବାକୁ ଚାହୁଁଛନ୍ତି। ହେଲେ ଗତ ଜୁନ୍‌ରେ ରାଜସ୍ଥାନର ଜୟପୁର ଚିନ୍ତନ ଶିବିରରେ ରାହୁଲ କଂଗ୍ରେସ ଅଧ୍ୟକ୍ଷ ହେବା ପରିବର୍ତ୍ତେ ଲୋକଙ୍କ ପାଖରେ ପହଞ୍ଚତ୍ବାକୁ ଚାହୁଁ ଥିବା ନେଇ ନିଜ ଅନୁଗତମାନଙ୍କୁ କହିଥିଲେ। କଶ୍ମୀରରୁ କନ୍ୟାକୁମାରୀ ପର୍ଯ୍ୟନ୍ତ ‘ଭାରତ ଯୋଡ଼ୋ ଯାତ୍ରା’ କରିବାକୁ ରାହୁଲ ଉତ୍ସାହୀ ଥିବା ଦେଖିବାକୁ ମିଳିଛି। ପୂର୍ବରୁ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀ ମଧ୍ୟ ଏଥିପ୍ରତି ଅନାଗ୍ରହ ପ୍ରକାଶ କରିଥିଲେ। ତେବେ ଏ.କେ. ଆଣ୍ଟୋନିଙ୍କ ଭଳି ବରିଷ୍ଠ ନେତାମାନେ ସୋନିଆଙ୍କୁ ଅଧ୍ୟକ୍ଷ ପଦରେ ରହିବାକୁ ବୁଝାଇବାରେ ସଫଳ ହୋଇଥିଲେ। ଆଗକୁ ଉଭୟ ସୋନିଆ ଓ ରାହୁଲ ସର୍ବପୁରାତନ ଦଳର ମୁଖ୍ୟ ହେବାକୁ ନ ଚାହିଁଲେ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଅଧ୍ୟକ୍ଷା କରାଇବାକୁ ବରିଷ୍ଠ ନେତାମାନେ ଉଦ୍ୟମ କରିପାରନ୍ତି। ତେବେ ପ୍ରିୟଙ୍କା ମଧ୍ୟ ପୂର୍ବରୁ ଏପରି କଳ୍ପନାଜଳ୍ପନାକୁ ଖଣ୍ଡନ କରିସାରିଛନ୍ତି। ଏଥିଲାଗି ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ଦଳିତ ଚେହେରା ସୁଶୀଲ କୁମାର ଶିନ୍ଦେ, ରାଜ୍ୟ ସଭାରେ ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖାର୍ଗେ କିମ୍ବା ଲୋକ ସଭାର ପୂର୍ବତନ ବାଚସ୍ପତି ମୈରା କୁମାରଙ୍କ ମଧ୍ୟରୁ ଜଣକୁ କଂଗ୍ରେସର ପରବର୍ତ୍ତୀ ଅଧ୍ୟକ୍ଷ କରିବା ପାଇଁ ବରିଷ୍ଠ ନେତାମାନେ ଚିନ୍ତା କରୁଛନ୍ତି। ସେହିପରି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଏବଂ ସାଧାରଣ ସମ୍ପାଦକ ଜୟରାମ ରମେଶଙ୍କ ନାମ ମଧ୍ୟ ଚର୍ଚ୍ଚାରେ ରହିଛି। ବରିଷ୍ଠ ନେତ୍ରୀ ଅମ୍ବିକା ସୋନି ସ୍ବାଧୀନତା ଦିବସରେ ଏଆଇସିସି ମୁଖ୍ୟାଳୟରେ ଜାତୀୟ ପତାକା ଉତ୍ତୋଳନ କରିବା ପରେ ସେ ଏହା ମାଧ୍ୟମରେ ଭବିଷ୍ୟତ ପାଇଁ କିଛି ସନ୍ଦେଶ ଦେବାକୁ ଚାହିଁଥିବା ଆଲୋଚନା ହେଉଛି।

Share