ସୌଭାଗ୍ୟ ସୁନ୍ଦର ରାୟ
ନୀତି ନିୟମ ମଧ୍ୟରେ କାର୍ଯ୍ୟ କରାଗଲେ ଏହା ସମାଜ ପାଇଁ ଶୁଭଙ୍କର ହୋଇଥାଏ। ସାଧାରଣ ଜନତାଙ୍କ ନିମନ୍ତେ ମଧ୍ୟ ଉଦାହରଣ ହୋଇଥାଏ। ତେବେ ଯଦି ବା କିଛି ଅନୀତି ଅଜାଣତରେ ହୁଏ, ତାହାର ମଧ୍ୟ ଏକ ଲକ୍ଷ୍ମଣରେଖା ରହିବା ଆବଶ୍ୟକ। ନିକଟରେ ଅନୁଷ୍ଠିତ ଚଣ୍ଡିଗଡ଼ ମ୍ୟୁନିସିପାଲ କର୍ପୋରେଶନ ମେୟର ନିର୍ବାଚନରେ ନା ନୀତି ରହିଲା ନା ଅନୀତିର ଲକ୍ଷ୍ମଣରେଖା ମଧ୍ୟ ରହିଲା। ଏ ସବୁକୁ ମାଡ଼ିମକଚି ଦେଇଛନ୍ତି ରିଟର୍ନିଂ ଅଫିସର ଅନିଲ ମସି। ଚଣ୍ଡିଗଡ଼ ମ୍ୟୁନିସିପାଲ କର୍ପୋରେଶନର ମୋଟ କର୍ପୋରେଟରଙ୍କ ସଂଖ୍ୟା ୪୫। ସେଥିମଧ୍ୟରୁ ୩୫ ଜଣ ନିର୍ବାଚିତ କର୍ପୋରେଟର। ୯ ଜଣ ମନୋନୀତ କର୍ପୋରେଟର, ଯେଉଁମାନଙ୍କର ଭୋଟ ପ୍ରଦାନର ଅଧିକାର ନାହିଁ। କେବଳ ସ୍ଥାନୀୟ ଜଣେ ସାଂସଦଙ୍କର ଭୋଟଦାନ ଅଧିକାର ରହିଛି। ମେୟର ନିର୍ବାଚନ ପାଇଁ ଚଳିତ ଥର କଂଗ୍ରେସ- ଆପ୍ ମଧ୍ୟରେ ମେଣ୍ଟ ହୋଇଥିଲା। ଆପ୍ର ୧୨ ଜଣ କର୍ପୋରେଟର ଥିଲା ବେଳେ କଂଗ୍ରେସର ୭ ଜଣ କର୍ପୋରେଟର ଅଛନ୍ତି। ସଂଖ୍ୟାଗରିଷ୍ଠତା ଦୃଷ୍ଟିରୁ ମେଣ୍ଟ ପ୍ରାର୍ଥୀ ସୁରୁଖୁରରେ ବିଜୟୀ ହେବା ଆଶା କରାଯାଉଥିଲା। କିନ୍ତୁ ରିଟର୍ନିଂ ଅଫିସର ଅସ୍ବାଭାବିକ ଭାବେ ୮ଟି ଭୋଟ ନାକଚ କରି ମେୟର ପଦବୀ ଭାଜପା ସପକ୍ଷକୁ ନେଇଯାଇଥିଲେ। ଭୋଟ ଦିଆଯାଇଥିବା ବାଲଟ ପେପର ମଧ୍ୟରୁ ରିଟର୍ନିଂ ଅଫିସର ଏହି ୮ଟିକୁ ବିକୃତ କରି ଭୋଟ ନାକଚ କରିଥିଲେ। ତାଙ୍କର ଏ ପ୍ରକାର ଆଚରଣ ନିଶ୍ଚିତ ଜଘନ୍ୟ। ଏହି ପରିପ୍ରେକ୍ଷୀରେ ରିଟର୍ନିଂ ଅଫିସରଙ୍କ ଆଚରଣର ଲକ୍ଷ୍ମଣରେଖା କ’ଣ ତାହା ଏବେ ନିର୍ଣ୍ଣୟ କରିବେ ସୁପ୍ରିମକୋର୍ଟ। ଅନିଲ ମସି ଭାଜପାର ସକ୍ରିୟ କର୍ମୀ ଓ ଜଣେ ମନୋନୀତ କର୍ପୋରେଟର। ସେ ସଂଖ୍ୟାଲଘୁ ମୋର୍ଚ୍ଚାର ସାଧାରଣ ସମ୍ପାଦକ ଭାବେ ୨୦୨୧ରୁ ଦାୟିତ୍ୱ ତୁଲାଉଛନ୍ତି। ଏହି ଘଟଣାରେ ସୁପ୍ରିମକୋର୍ଟଙ୍କ କଟୁ ମନ୍ତବ୍ୟ ସତ୍ତ୍ୱେ ଭାରତୀୟ ଜନତା ପାର୍ଟି ଶୀର୍ଷ ନେତୃତ୍ୱର କୌଣସି ପ୍ରତିକ୍ରିୟା ନାହିଁ। ଘଟଣାକୁ ‘ଗଣତନ୍ତ୍ରର ହତ୍ୟା’ ବୋଲି ଅଦାଲତ ମନ୍ତବ୍ୟ ଦେଇଛନ୍ତି। ଦଳୀୟ ପ୍ରାର୍ଥୀଙ୍କୁ କ୍ଷମତାସୀନ କରିବା ନିମନ୍ତେ ମସି ଯେଉଁ ପନ୍ଥା ଆପଣେଇଲେ ତାହା ନୀତି ବିବର୍ଜିତ। ନୀତି ନୈତିକତାର ବକ୍ତବ୍ୟ ରଖୁଥିବା ଦଳର ଜଣେ ସଦସ୍ୟଙ୍କ ଏହି ଆଚରଣ ପ୍ରତି ଭାଜପା ନୀରବ ରହିଥିବା ଆଶ୍ଚର୍ଯ୍ୟଜନକ।
ଏବେ ଆସିବା ବିଲ୍କିସ୍ ବାନୋ ଘଟଣାକୁ। ବିଲ୍କିସ୍ ଜଣେ ମୁସଲିମ୍ ମହିଳା। ଗର୍ଭବତୀ ଥିବା ସମୟରେ ୨୦୦୨ ମସିହା ଗୋଧ୍ରା ଦଙ୍ଗାରେ ସେ ଗଣବଳାତ୍କାରର ଶିକାର ହେଲେ। ତାଙ୍କ ପରିବାରର ୧୪ ଜଣ ସଦସ୍ୟ ଦଙ୍ଗାରେ ନିହତ ହେଲେ। ଏହି ଘଟଣାରେ ୧୧ ଜଣ ଦୋଷୀ ସାବ୍ୟସ୍ତ ହୋଇ ଆଜୀବନ କାରାବାସରେ ଦଣ୍ଡିତ ହେଲେ। ତେବେ ୨୦୨୨ ରେ ଗୁଜରାଟ ସରକାର ଦୋଷୀମାନଙ୍କର ଦଣ୍ଡାଦେଶ କୋହଳ କରିବା ପାଇଁ ନିଷ୍ପତ୍ତି ନେଇ ସମସ୍ତଙ୍କୁ କାରାମୁକ୍ତ କରିଥିଲେ। ନିକଟରେ ସୁପ୍ରିମକୋର୍ଟ ଏହି ମାମଲାରେ ଗୁଜରାଟ ସରକାର ନିଜ କ୍ଷମତାର ଦୁରୁପଯୋଗ କରି ଅଭିଯୁକ୍ତଙ୍କ ଦଣ୍ଡାଦେଶ କୋହଳ କରିଛନ୍ତି ବୋଲି ମନ୍ତବ୍ୟ ଦେଇ ସରକାରଙ୍କ ନିଷ୍ପତ୍ତିକୁ ରଦ୍ଦ କରି ଦେଇଛନ୍ତି। ଫଳରେ ଅଭିଯୁକ୍ତ ପୁନର୍ବାର ଜେଲ ଯାଇଛନ୍ତି। ବିଲ୍କିସ୍ ବାନୋ ମାମଲାର ଶୁଣାଣି ଗୁଜରାଟରେ ନ ହୋଇ ମହାରାଷ୍ଟ୍ରରେ ଚାଲିଥିଲା। ମହାରାଷ୍ଟ୍ର ଅଦାଲତ ଦଣ୍ଡାଦେଶ ଘୋଷଣା କରିଥିଲେ। ଏଣୁ ଦଣ୍ଡାଦେଶ କୋହଳ କରିବାର କ୍ଷମତା କେବଳ ମହାରାଷ୍ଟ୍ର ସରକାରଙ୍କର ରହିଛି। କିନ୍ତୁ ଗୁଜରାଟ ସରକାର ଓ ଅଭିଯୁକ୍ତ ସୁପ୍ରିମକୋର୍ଟରେ କେତେକ ତଥ୍ୟ ଲୁକ୍କାୟିତ ରଖି ଦଣ୍ଡାଦେଶ କୋହଳ କରିବାରେ ସମର୍ଥ ହୋଇଥିଲେ। ଏଣୁ ଏ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ଆଚରଣ ଆଇନକୁ ଆଖିମିଟିକା ମାରିବା ସଦୃଶ ହୋଇଛି ବୋଲି ସୁପ୍ରିମକୋର୍ଟ କହିଛନ୍ତି। ଏ କ୍ଷେତ୍ରରେ ମହାରାଷ୍ଟ୍ର ସରକାରଙ୍କ କ୍ଷମତାକୁ ଗୁଜରାଟ ସରକାର ଅପହରଣ କରିଥିବା ପରି ମନେହୁଏ। ବିଲ୍କିସ୍ ବାନୋ ଅଘଟଣ ସମୟରେ ଗୁଜରାଟରେ ଭାଜପା ସରକାର ଥିଲା। ଏବେବି ଗୁଜରାଟରେ ଭାଜପା ସରକାର ରହିଛି। ତେବେ ଯେଉଁ ପରିସ୍ଥିତିରେ ଗୁଜରାଟ ସରକାର ନୀତି ନିୟମକୁ ଜଳାଞ୍ଜଳି ଦେଇ ସମସ୍ତ ଅଭିଯୁକ୍ତଙ୍କ ସଜା ସମୟ କୋହଳ କଲେ, ସେଥିନେଇ ସନ୍ଦେହ ଉପୁଜିବା ସ୍ବାଭାବିକ। ପ୍ରଥମତଃ ଦେଖିଲେ ଏମାନେ ୧୧ ଜଣ ଭିନ୍ନ ବ୍ୟକ୍ତି। ସେମାନଙ୍କ ମାନସିକତା ଓ ଚରିତ୍ର ନିଶ୍ଚୟ ଭିନ୍ନ ହୋଇଥିବ। ତାହାଲେ ସେମାନଙ୍କ ଜେଲ ସମୟର ଆଚରଣ କିପରି ଗୋଟିଏ ସମୟରେ ପରିବର୍ତ୍ତନ ହୋଇଗଲା, ଯଦ୍ଦ୍ବାରା ସରକାର ଗୋଟିଏ ସମୟରେ ସମସ୍ତଙ୍କ ସଜା କୋହଳ କରି ସେମାନଙ୍କୁ ମୁକ୍ତ କରିଦେଲେ। ସଜା ସମୀକ୍ଷା ପାଇଁ ଗୁଜରାଟ ସରକାର ଯେଉଁ କମିଟି ଗଠନ କରିଥିଲେ, ସେଥିରେ ଦୁଇ ଜଣ ସଦସ୍ୟ ଶାସନ କ୍ଷମତାରେ ଥିବା ଭାଜପା ବିଧାୟକ ଥିଲେ। ଏହା ନିର୍ବାଚନରେ ସହାୟକ ହେବ ବୋଲି ଆଶା କରି ସଜା କୋହଳ କରାଯାଇଥିବା ମନେକରାଯାଏ। ଏହା ପରେ ୨୦୨୨ ଡିସେମ୍ବରରେ ଗୁଜରାଟରେ ବିଧାନସଭା ପାଇଁ ନିର୍ବାଚନ ହେଲା। ଭାଜପା ପୁନର୍ବାର କ୍ଷମତାସୀନ ହେଲା। ଏହି ଅପରାଧୀଙ୍କର ସଜା କୋହଳ ରାଜନୈତିକ ଦୃଷ୍ଟିକୋଣରୁ କରାଯାଇଥିଲା ବୋଲି ଜଣାପଡ଼ୁଛି, ଯାହା ଆଇନ ବ୍ୟବସ୍ଥା ପ୍ରତି କୁଠାରାଘାତ ସଦୃଶ।
ସେହିପରି ବଳାତ୍କାର ଓ ହତ୍ୟା ଘଟଣାରେ ଅଭିଯୁକ୍ତ ଡେରା ସଚ୍ଚା ସୌଦା ମୁଖ୍ୟ ଗୁରୁମିତ ରାମ ରହିମ ସିଂହଙ୍କୁ ନିକଟରେ ହରିୟାଣା ସରକାର ୫୦ ଦିନ ପାଇଁ ପାରୋଲ ଅନୁମତି ପ୍ରଦାନ କରିଛନ୍ତି। ଗତ ୨ ବର୍ଷରେ ୭ ପର୍ଯ୍ୟାୟରେ ରାମ ରହିମ ୨୩୨ ଦିନ ପାଇଁ ପାରୋଲ ପାଇଲେଣି। ୨୦୨୨ରୁ ଏହି ଧାରା ଆରମ୍ଭ ହୋଇ ଜାରି ରହିଛି। ପଞ୍ଜାବ ବିଧାନସଭା ନିର୍ବାଚନ, ହରିୟାଣା ମ୍ୟୁନିସିପାଲ ନିର୍ବାଚନ, ହରିୟାଣା ପଞ୍ଚାୟତ ନିର୍ବାଚନ, ରାଜସ୍ଥାନ ବିଧାନସଭା ନିର୍ବାଚନ ସମୟରେ ସେ ପାରୋଲ ପାଇଛନ୍ତି। ଏବେ ଯେଉଁ ଅବଧିର ପାରୋଲ ସେ ପାଇଛନ୍ତି, ସେହି ସମୟ ମଧ୍ୟରେ ଦେଶରେ ସାଧାରଣ ନିର୍ବାଚନ ହେବାକୁ ଯାଉଛି। ସାଧାରଣତଃ ସଜା କାଟୁଥିବା ଜଣେ ଅଭିଯୁକ୍ତକୁ କେତେକ ଜରୁରିକାଳୀନ ପରିସ୍ଥିତିରେ ପାରୋଲ ବା ଫର୍ଲୋ ଦିଆଯାଇଥାଏ। ଏହା ଏକ ଆଇନଗତ ବ୍ୟବସ୍ଥା। ନିର୍ଦ୍ଦିଷ୍ଟ ସମୟର ସଜା ଭୋଗ କରିସାରିବା ପରେ ରାଜ୍ୟର ଜେଲ ନିୟମାବଳୀ ଅନୁଯାୟୀ ଏହି ବ୍ୟବସ୍ଥା ଲାଗୁ ହୋଇଥାଏ। ଏଥିପାଇଁ ସଜା ସମୟରେ ଦୋଷୀର ଆଚରଣ ଓ ଚରିତ୍ରକୁ ମୁଖ୍ୟତଃ ବିଚାରକୁ ନିଆଯାଇଥାଏ ଓ କିଛି ସର୍ତ୍ତ ରଖାଯାଇଥାଏ। ପାରୋଲ ପାଇଁ ଅଭିଯୁକ୍ତ ଦାବି କରିଥାଏ। କିନ୍ତୁ ଏହା ତାହାର ଏକ ଅଧିକାର ନୁହେଁ। ପାରୋଲରେ ଯିବା ପାଇଁ ଅଭିଯୁକ୍ତ ଯୋଗ୍ୟ ବୋଲି ସରକାରଙ୍କ ହୃଦ୍ବୋଧ ହେବା ପରେ ଏଥିପାଇଁ ଅନୁମତି ମିଳିଥାଏ। ରାମ ରହିମ୍ଙ୍କ କ୍ଷେତ୍ରରେ କେଉଁ କାରଣରୁ ଏକାଧିକ ଥର ପାରୋଲ ଅନୁମତି ପ୍ରଦାନ କରାଯାଉଛି ? ଏହାର ପ୍ରମୁଖ କାରଣ ହେଉଛି ରାଜନୈତିକ ଆଭିମୁଖ୍ୟ। ନିର୍ବାଚନ ସମୟରେ ହିଁ ତାଙ୍କୁ ପାରୋଲ ଅନୁମତି ପ୍ରଦାନ କରାଯାଉଥିବା ପୂର୍ବରୁ ଦେଖାଯାଇଛି। ଚଳିତ ଥର ମଧ୍ୟ ତାହା ହୋଇଛି। ଲୋକ ସଭା ନିର୍ବାଚନ ପାଇଁ ମାର୍ଚ୍ଚ ମାସରେ ପ୍ରାୟତଃ ଆନୁଷ୍ଠାନିକ ଘୋଷଣାନାମା ପ୍ରକାଶ ପାଇ ଆଚରଣବିଧି ଲାଗୁ ହେବାର ସମ୍ଭାବନା ରହିଛି। ଏହାର ଅବ୍ୟବହିତ ପୂର୍ବରୁ ଡେରା ସୌଚା ସୌଦା ମୁଖ୍ୟଙ୍କୁ ହରିୟାଣା ସରକାର ବାହାରକୁ ଆଣିବା ପାଇଁ ପଦକ୍ଷେପ ନେଲେ। ଡେରାର ଅନୁଗାମୀ ବିଭିନ୍ନ ରାଜ୍ୟରେ ଭାଜପା ପାଇଁ କାର୍ଯ୍ୟରେ ନିୟୋଜିତ ହୋଇପାରିବେ, ଯାହା ପୂର୍ବ ନିର୍ବାଚନରେ ହୋଇଥିଲା। ପାରୋଲରେ ଆସିବା ପରେ ରାମ ରହିମ ଏବେ ପ୍ରବଚନ ଦେଉଛନ୍ତି।
ଉପରୋକ୍ତ ଘଟଣା ସମୂହ ଗୋଟିଏ ସଙ୍କେତ ଦେଉଛି ଯେ ରାଜନୀତି ନିଜକୁ ସୁହାଇବା ପରି ଏକ ନୀତିରେ ପରିଣତ ହୋଇଗଲାଣି। ଏହି ନୀତି ନିଜ ଦଳ ପାଇଁ ଗୋଟିଏ ହୋଇଥିବାବେଳେ ଅନ୍ୟ ଦଳ ପାଇଁ ଭିନ୍ନ ଭାବେ ଲାଗୁ ହୋଇଥାଏ। ଅର୍ଥାତ୍ ସମାନ ଆଚରଣ ପାଇଁ ନିଜ ଦଳ ନିମନ୍ତେ ଯାହା ଲାଗୁ ହୋଇଥାଏ, ଅନ୍ୟ ଦଳ ପାଇଁ ତାହା ଲାଗୁ ହୋଇନଥାଏ। ଉଭୟ କ୍ଷେତ୍ରରେ ତାହାର ତର୍ଜମା ଭିନ୍ନ ହୋଇଥାଏ। ରାଷ୍ଟ୍ରର ବିକାଶ ଓ ଆଇନଶୃଙ୍ଖଳା ବଜାୟ ରଖିବା ପାଇଁ ପ୍ରତିଶ୍ରୁତିବଦ୍ଧ ଥିବା ଭାଜପାର ଦୁଇ ରାଜ୍ୟ ସରକାର ଓ ଚଣ୍ଡିଗଡ଼ ମ୍ୟୁନିସିପାଲ କର୍ପୋରେଶନ ନିର୍ବାଚନରେ ଦଳୀୟ ସଦସ୍ୟଙ୍କ ଉପରୋକ୍ତ ଆଚରଣକୁ ଗ୍ରହଣ କରିହେଉ ନାହିଁ। ଯେ କୌଣସିମତେ ବିରୋଧୀ ପକ୍ଷଙ୍କୁ ହଟାଇ କ୍ଷମତାରେ ରହିବା ପାଇଁ ଭାଜପା ପ୍ରତିଶ୍ରୁତିବଦ୍ଧ ଥିବା ପରି ମନେହେଉଛି। ଏଥିପାଇଁ ନୀତି, ନୈତିକତା ଆଦିକୁ ଜଳାଞ୍ଜଳି ଦିଆଯାଇପାରେ। ମାମଲା ଅଦାଲତକୁ ଯାଇ ରାୟ ଆସିବାରେ ବିଳମ୍ବ ହେବ। ସେହି ସମୟ ମଧ୍ୟରେ ଦଳ ନିଜର ଲକ୍ଷ୍ୟ ଅନେକାଂଶରେ ହାସଲ କରିସାରିଥିବ। ଏହା ଗଣତନ୍ତ୍ର ପାଇଁ ହିତ ନୁହେଁ।
ମୋ: ୯୪୩୭୨୨୯୨୩୩