ତତ୍କାଳୀନ ଓଡ଼ିଶାର ବୁଦ୍ଧିଜୀବୀ ଏବଂ କାରିଗରମାନେ ବୌଦ୍ଧିକସ୍ତରରେ କେତେ ଉଚ୍ଚ ଥିଲେ, ତାହାର ବଳିଷ୍ଠ ପ୍ରମାଣ ହେଉଛି ଶ୍ରୀପଦ୍ମକେଶର ମନ୍ଦିର। ଯାହା ସମୟକ୍ରମେ ଆଜି ପ୍ରସିଦ୍ଧ ହୋଇଯାଇଛି କୋଣାର୍କ ମନ୍ଦିର ନାମରେ। ଏହାସହ ଜଡ଼ିତ ହୋଇଥିବା ମେଘର ଆବାହନୀ ଐତିହ୍ୟକୁ ଆଜି ଆମେ ବଳକା ଖାଦ୍ୟ ସହିତ ହାଣ୍ଡିବାଡ଼ିଆ ପରମ୍ପରାରେ ବଞ୍ଚେଇ ରଖିଛେ ଚନ୍ଦ୍ରଭାଗା ବୁଡ଼ର ପୂର୍ବ ରାତିରେ। ସମର୍ପିତ କରୁଛେ ଅର୍କାସୁରକୁ। ଏକ ଯଜ୍ଞର ତତ୍ତ୍ୱକୁ ଅର୍କାସୁର ଐତିହ୍ୟ କଥାରେ ଆମେ ବଞ୍ଚେଇ ରଖିଛେ। ତୀର୍ଥରେ ଯେବେ ପଦ୍ମକେଶର ମନ୍ଦିର ତୋଳା ହେବାର ଆଦ୍ୟ ବିଚାରବିମର୍ଶ ଆରମ୍ଭ ହୋଇଥିଲା, ଆମର ମହାଜନମାନେ ମନ୍ଦିରର ନାମକରଣକୁ ନେଇ ଏକ ଚମତ୍କାର ସିଦ୍ଧାନ୍ତରେ ପହଞ୍ଚତ୍ଥିଲେ। ତାହା ଥିଲା ୧୨୪୧-୪୨ ମସିହା କଥା। ଇୟେ ପଦ୍ମକ୍ଷେତ୍ର। ‘ସଂଜ୍ଞା’ ଦେବୀ ଧାରଣ କରିଥିଲେ ପଦ୍ମିନୀରୂପ। ବେଦର ରହସ୍ୟ ବିଷ୍ଣୁ ଉପାସନାରେ ସମୀକରଣ ନ ହେଲେ ପିଣ୍ଡଦାନ ସମ୍ଭବ ନୁହେଁ। ସ୍ନାନ-ତର୍ପଣ-ପିଣ୍ଡଦାନର ମନୋବିଜ୍ଞାନ ଭିତ୍ତିଭୂମିରେ ‘ତୀର୍ଥ’ ନାମ ବହନ କରିଥିଲା ପଦ୍ମକ୍ଷେତ୍ର। ଆରମ୍ଭ ହୋଇଥିଲା ପଦ୍ମକ୍ଷେତ୍ରର ପଦ୍ମତୋଳା ଗଣ୍ଡରେ ଶ୍ରୀପଦ୍ମକେଶର ମନ୍ଦିର।
ସେମିତି ଐତିହ୍ୟ ବଞ୍ଚତ୍ରହିଛି ଶାମ୍ବଙ୍କ ଉପାସନା ପ୍ରସଙ୍ଗରେ। ଶାସ୍ତ୍ରରେ ଆଉ ଏକ ନାମରେ ପରିଚିତ ହେଲା ଏହି କ୍ଷେତ୍ର। ମିତ୍ରବନ ତଥା ମୈତ୍ରେୟବନ। ଶ୍ରୀପଦ୍ମକେଶର ମନ୍ଦିର ତୋଳା ହେବାର ଶହ ଶହ ବର୍ଷ ପୂର୍ବେ ମିତ୍ରବନ ପରିଚିତ ଥିଲା ତପସ୍ୟା ଭୂମି ଭାବରେ।
କୋଣାଦିତ୍ୟରେ ଶ୍ରୀପଦ୍ମକେଶର ମନ୍ଦିର ନିରାକାର ଉପାସନାର ପ୍ରଥମ ମନ୍ଦିର ନୁହେଁ। ଶାସ୍ତ୍ର ମତକୁ ଯଦି ଆଧାର କରିବା, ତେବେ ଏହା ତୃତୀୟ ମନ୍ଦିର। ତେଣୁ ବହୁ ପୂର୍ବରୁ ତୀର୍ଥରେ ୫ଟି ତୀର୍ଥଦ୍ୱାରା ଏ ମାଟି ପବିତ୍ର ହୋଇ ସାରିଥିଲା। ମଣିମୟ ବିଗ୍ରହଙ୍କର ପ୍ରତିଷ୍ଠା ପୂର୍ବରୁ ଗଢ଼ି ଉଠିଥିଲା ମଣିକର୍ଣ୍ଣିକା ତୀର୍ଥ, ଚନ୍ଦ୍ରଭାଗା ତୀର୍ଥ, ଅର୍କ ତୀର୍ଥ ଓ ମଙ୍ଗଳ ତୀର୍ଥ। ସର୍ବମଙ୍ଗଳ ତୀର୍ଥଟି ଥିଲା ଶ୍ରୀମଙ୍ଗଳେଶ୍ୱର ମହାଦେବଙ୍କ ନିକଟରେ, ତହସିଲ ଦସ୍ତାବିଜରେ ଠାର ଅଛି। ତୀର୍ଥଟିକୁ ପୁଣି ଚଳଚଞ୍ଚଳ କରେଇବା ଆମ ପାଇଁ ବଡ଼ କଥା ନୁହେଁ। ୟା ସହିତ ପରେ ଜଡ଼ିତ ହେଲା ଜୟଦେବ ତୀର୍ଥ।
ତୀର୍ଥ ଓ କ୍ଷେତ୍ରକୁ ନେଇ ସାଧୁ-ସନ୍ଥ-ଯୋଗୀ ୟେ ମାଟିରେ ଚଳଚଞ୍ଚଳ ଥିଲେ। ନିରାକାର ଉପାସନା ପାଇଁ ନିର୍ବିକାର ଭାବରେ ସେମାନେ ତପସ୍ୟାରତ ଥିଲେ। ଖୋଲା ଆକାଶ ଓ ବାଲିବନ୍ତ ଥିଲା ତାଙ୍କ ସାଧନାର ମୂଳାଧାର। ଅବନ୍ତୀବନ୍ତ, ବେଣୁସାଗରବନ୍ତ, ନାରାୟଣୀବନ୍ତ ପରେ ଆବିଷ୍କାର ହୋଇଥିଲା ଦର୍ଶନୀବନ୍ତ। ଆଉ ଏଇ ବନ୍ତ ପରେ ପରେ ପ୍ରଥମକରି ବୈଦିକ ଆଶ୍ରମ ପରମ୍ପରାରେ ଗଢ଼ି ଉଠିଥିଲା ଅଗସ୍ତି ଆଶ୍ରମ।
ନିରାକାର ଉପାସନା କାଳକ୍ରମେ ‘ସାକାର ଉପାସନା’ରେ ରୂପାନ୍ତରିତ ହେଲା। ନିରାକାର ସାଧନାସ୍ଥଳ ଆଶ୍ରମର ମାଧ୍ୟମ ଦେଇ ଏଇ ମାଟିରେ ସାକାର ଉପାସନା ପାଇଁ ଗଢ଼ିଉଠିଲା ପଞ୍ଚତୀର୍ଥ ଓ ପଞ୍ଚବନ୍ତ ପରି ପଞ୍ଚ ମଠ। ଅବଧୂତ ମଠର ଧୂନି ଏ ମାଟିର ଅନ୍ତରୀକ୍ଷ ମଣ୍ଡଳକୁ ପବିତ୍ର କରିବା ଯେବେ ଆରମ୍ଭ କରିଥିଲା, ସେତେବେଳେ ଗଜପତି ଲାଙ୍ଗୁଳା ନରସିଂହ ଦେବ ରାଜଗାଦୀ ଆରୋହଣ କରି ନ ଥିଲେ। ନିରାକାର ସୂର୍ଯ୍ୟ ଉପାସନାର ଆଦି ଆସ୍ଥାନ ଥିଲା ଏହି କ୍ଷେତ୍ର। ଆଦିତ୍ୟଦେବ ଏଠି ନିରାକାର ବ୍ରହ୍ମ। ଓଁ ହେଉଛି ଏହି ଉପାସନାର ପ୍ରତୀକ। ଅଗ୍ନିଙ୍କୁ ଏଠାରେ ନିର୍ବାପିତ କରାଯାଏ ନାହିଁ। ତେଣୁ ଅଖଣ୍ଡ ଧୂନି ପରମ୍ପରା ଆଜି ବି ବଞ୍ଚତ୍ରହିଛି। ଦିନେ ଗଜପତି ଅନଙ୍ଗଭୀମ ଦେବଙ୍କ ସାନ ରାଣୀ କସ୍ତୁରୀ ଦେବୀ ଏହି ମଠରେ ପଦାର୍ପଣ କରିଥିଲେ। ମହାବୀରଙ୍କ ପାଖରେ ମାନସିକ କରି ପାଇଥିଲେ ଦିଗ୍ବିଜୟୀ ଗଜପତି ଲାଙ୍ଗୁଳା ନରସିଂହ ଦେବଙ୍କୁ। ଅବଧୂତ ମଠ ପରି ରୋହିଣୀକୁଣ୍ଡ ମଠ, ପଞ୍ଚବଟୀ ମଠ ଓ ଦେଉଳି ମଠ ୟେ ମାଟିର ପାଞ୍ଚକୋଶ ପରିମିତ ଜଳ-ସ୍ଥଳ-ଆକାଶକୁ ପବିତ୍ରତାର ବଳୟରେ ବିମୁଗ୍ଧ କରିଦେଇଥିଲେ। ସାଧନାରେ ଯେତେବେଳେ ଭକ୍ତିର ମିଶ୍ରଣ ହେଲା, ସେବେ ଗଢ଼ିଉଠିଥିଲା ଲିଆଖିଆ ଆଶ୍ରମ।
ଡ. ସୁରେନ୍ଦ୍ର କୁମାର ମିଶ୍ର