Categories: ଜାତୀୟ

ସୁପ୍ରିମକୋର୍ଟରେ ହେବ ଜରୁରୀ ଶୁଣାଣି

ନୂଆଦିଲ୍ଲୀ,୩।୩(ପି.ଟି.): ନିର୍ବାଚନ ବେଳେ ଭୋଟରମାନଙ୍କୁ ପ୍ରଲୋଭିତ କରିବା ଲାଗି ବିଭିନ୍ନ ଦଳ ପକ୍ଷରୁ ମାଗଣା ଉପହାର ପ୍ରତିଶ୍ରୁତି ଦିଆଯାଉଛି। ଉକ୍ତ ରାଜନୈତିକ ଦଳଗୁଡ଼ିକ ବିରୋଧରେ ଏତଲା ଦାଏର ଲାଗି ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟରେ ଜନସ୍ବାର୍ଥ ମାମଲା (ପିଆଇଏଲ୍‌) ଦାଏର ହୋଇଥିଲା। ଏହାର ଜରୁରୀ ଶୁଣାଣି ପାଇଁ ସର୍ବୋଚ୍ଚ ଅଦାଲତ ବୁଧବାର ରାଜି ହୋଇଛନ୍ତି। ହିନ୍ଦୁ ସେନା ଉପାଧ୍ୟକ୍ଷ ସୁର୍ଜିତ ସିଂ ଯାଦବଙ୍କ ପକ୍ଷରୁ ଦାଏର ହୋଇଥିବା ଜନସ୍ବାର୍ଥ ମାମଲା ଉପରେ ଆଇନଜୀବୀ ବରୁଣ କୁମାର ସିହ୍ନା କହିଥିଲେ, ୫ ରାଜ୍ୟରେ ନିର୍ବାଚନ ଶେଷ ହେବାକୁ ଯାଉଥିବାରୁ ମାମଲାର ଜରୁରୀ ଶୁଣାଣି ହେବା ଆବଶ୍ୟକ। ଭାରତର ପ୍ରଧାନ ବିଚାରପତି (ସିଜେଆଇ) ଏନ୍‌.ଭି. ରମନ୍ନାଙ୍କ ଅଧ୍ୟକ୍ଷତାରେ ଜଷ୍ଟିସ୍‌ ଏ.ଏସ୍‌. ବୋପନ୍ନା ଏବଂ ହିମା କୋହଲିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏଥିରେ ସମ୍ମତ ହେବା ସହ ଜରୁରୀ ଶୁଣାଣି ଲାଗି ତାଲିକାଭୁକ୍ତ କରାଯିବ ବୋଲି କହିଥିଲେ।
ଯାଦବ ତାଙ୍କ ପିଟିଶନରେ ଦର୍ଶାଇଥିଲେ ନିର୍ବାଚନ ହେଉଥିବା ୫ ରାଜ୍ୟରେ କଂଗ୍ରେସ, ସମାଜବାଦୀ ପାର୍ଟି, ବିଏସ୍‌ପି, ଆମ୍‌ ଆଦ୍‌ମୀ ପାର୍ଟି ପକ୍ଷରୁ ଭୋଟରଙ୍କୁ ବିଭିନ୍ନ ଜିନିଷ ମାଗଣାରେ ଯୋଗାଇ ଦିଆଯିବାର ପ୍ରତିଶ୍ରୁତି ଦିଆଯାଉଛି। ରାଜନୈତିକ ଦଳ, ଏହାର ନେତା ଓ ପ୍ରାର୍ଥୀଙ୍କ ଦ୍ୱାରା ଏଭଳି ପ୍ରତିଶ୍ରୁତି ଜନପ୍ରତିନିଧି ଆଇନ, ୧୯୫୧ ଅନୁଯାୟୀ ଦୁର୍ନୀତି ଓ ଲାଞ୍ଚ ଭାବେ ଘୋଷଣଶ କରାଯାଇପାରେ। ଏଥିସହିତ ଉକ୍ତ ଦଳ ପକ୍ଷରୁ ଦିଆଯାଇଥିବା ପ୍ରାର୍ଥୀଙ୍କୁ ନିର୍ବାଚନ ଲଢ଼ିବାରୁ ଅଯୋଗ୍ୟ ଘୋଷଣା କରାଯାଇପାରେ। ସ୍ବଚ୍ଛ ଓ ଅବାଧ ମତଦାନ ଲାଗି ଏହା ଗୁରୁତ୍ୱପୂର୍ଣ୍ଣ। ନିର୍ବାଚନ ବେଳେ ଅସାଧୁ ଉପାୟ ଅବଲମ୍ବନ କରୁଥିବା ଦଳ, ପ୍ରାର୍ଥୀ ଓ ନେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବା ଆବଶ୍ୟକ ବୋଲି ଆବେଦନକାରୀ କହିଛନ୍ତି।

Share