ଆନନ୍ଦ ବଜାର ଓ ମହାପ୍ରସାଦ

ଡ. ପ୍ରମୋଦ କୁମାର ପଣ୍ଡା

ପୁରୀ ଜଗନ୍ନାଥ ଧାମ ବା ପୁରୁଷୋତ୍ତମ ଧାମ ହିନ୍ଦୁମାନଙ୍କର ୪ ମୁଖ୍ୟ ଧାମ ମଧ୍ୟରୁ ଅନ୍ୟତମ। ଅନ୍ୟ ତିନୋଟି ମୁଖ୍ୟ ଧାମ ହେଲା ବଦ୍ରିକା ଧାମ, ଦ୍ୱାରକା ଧାମ ଓ ରାମେଶ୍ୱର । ଶାସ୍ତ୍ର ବିଧି ବିଶ୍ୱାସ ଅନୁସାରେ ଭଗବାନ ବିଷ୍ଣୁ ଏହି ୪ ଧାମକୁ ପ୍ରତିଦିନ ପ୍ରଦକ୍ଷିଣ କରନ୍ତି । ଭକ୍ତ, ଏହି ଚାରି ଧାମ ଦର୍ଶନରେ ଭଗବାନ ଦର୍ଶନ ଲାଭ କରନ୍ତି ଓ ମୋକ୍ଷ ପ୍ରାପ୍ତି କରିଥାନ୍ତି। ସେଥିପାଇଁ ଶଙ୍କରାଚାର୍ଜ୍ୟ ଏହି ଚାରି ଧାମରେ ୪ଟି ମଠ ସ୍ଥାପନା କରିଥିଲେ ଓ ସେଠାରେ ଅବସ୍ଥାନ ମଧ୍ୟ କରୁଥିଲେ। ବିଶ୍ୱାସ ରହିଛି ଯେ ଭଗବାନ ବିଷ୍ଣୁ ବଦ୍ରିକା ଧାମରେ ଶଯ୍ୟା ତ୍ୟାଗ କରନ୍ତି, ଦ୍ୱାରକା ଧାମରେ ସ୍ନାନ କରନ୍ତି, ପୁରୁଷୋତ୍ତମ ଧାମରେ ଭୋଜନ କରନ୍ତି ଓ ରାମେଶ୍ୱରମ୍‌ରେ ଶୟନ କରିଥାନ୍ତି। ଜଗନ୍ନାଥ ଧାମରେ ଭଗବାନ ବିଷ୍ଣୁ ଭୋଜନ କରନ୍ତି ବୋଲି ଏଠାରେ ପ୍ରତିଦିନ ୫୬ ଭୋଗ ରନ୍ଧାଯାଏ ଓ ଭଗବାନଙ୍କୁ ଅର୍ପଣ କରାଯିବାର ବିଧି ରହିଛି; ଯାହା କି ଭାରତ ବର୍ଷର ଅନ୍ୟ କୌଣସି ମନ୍ଦିରରେ ଦେଖିବାକୁ ମିଳେ ନାହିଁ। ପ୍ରତାପରୁଦ୍ରଦେବଙ୍କ ସମୟରେ ବର୍ଷ ସାରା ୪୩୬ ପ୍ରକାରର ସୁସ୍ବାଦୁ ବ୍ୟଞ୍ଜନର ଅର୍ପଣ ବିଧି ଥିଲା ବୋଲି ମାଦଳା ପାଞ୍ଜିରେ ବର୍ଣ୍ଣିତ ଅଛି, ମାତ୍ର ବିଗତ ୫୦୦ ବର୍ଷରେ ଏହା କ୍ରମଶଃ ହ୍ରାସ ପାଇ ବର୍ତ୍ତମାନରେ ମାତ୍ର ୧୫୨ପ୍ରକାରକୁ ଖସି ଆସିଛି। ଭାରତବର୍ଷର ଅନେକ ସୁସ୍ବାଦୁ ବ୍ୟଞ୍ଜନର ଉତ୍ପତ୍ତି ଏହି ଜଗନ୍ନାଥ ମନ୍ଦିରରୁ ହୋଇଛି। ଯେପରି କି ରସଗୋଲା, ଚାଉଳ ଖିରି, ପୁରୀ ଖଜା ଇତ୍ୟାଦି ଅନ୍ୟତମ। ପୁରୀରେ ଏତେ ପ୍ରକାରର ବ୍ୟଞ୍ଜନ ମହଜୁଦ ଥିବାର ପ୍ରମାଣ ହେଉଛି, ବ୍ୟଞ୍ଜନ ଦ୍ୱାଦଶୀରେ କେତେଗୁଡ଼ିିକ ମଠରେ ଏବେ ବି ୬୦୦ରୁ ଊର୍ଦ୍ଧ୍ୱ ବ୍ୟଞ୍ଜନ ପ୍ରସ୍ତୁତ ହୋଇ ଭୋଗ କରାଯାଉଛି। ସମଗ୍ର ଦେଶର ବିଭିନ୍ନ ମନ୍ଦିରରେ ଭଗବାନଙ୍କୁ ଅର୍ପଣ ହେଉଥିବା ଭୋଗକୁ ପ୍ରସାଦ କୁହାଯାଉଥିବା ବେଳେ ପୁରୀରେ ଏହାକୁ ମହାପ୍ରସାଦ କୁହାଯାଏ। କାରଣ ବିଶ୍ୱାସ ଅନୁଯାୟୀ ସ୍ବୟଂଭଗବାନ ଏହାକୁ ଗ୍ରହଣ କରନ୍ତି। କେବଳ ସେତିକି ନୁହେଁ, ମହାପ୍ରସାଦ ବିତରଣ ହେଉଥିବା ସ୍ଥାନର ନାମ ଆନନ୍ଦ ବଜାର।
ମହାପ୍ରସାଦର ପ୍ରସ୍ତୁତିରେ ମଧ୍ୟ ଅନେକ ବୈଚିତ୍ର୍ୟ ପରିଲଖିତ ହୋଇଥାଏ। ସେଥିପାଇଁ ଭକ୍ତମାନଙ୍କର ସର୍ବଦା ଏକ ସ୍ବତନ୍ତ୍ର ଧ୍ୟାନ ରହିଥାଏ ମହାପ୍ରସାଦ ଉପରେ। ପୃଥିବୀର ସବୁଠୁ ପବିତ୍ର ବସ୍ତୁ ବୋଲି ଏହାକୁ ଗ୍ରହଣ କରାଯାଏ। ଭକ୍ତମାନେ ମନ ଖୁସିରେ ଆନନ୍ଦ ବଜାରରେ ଏହାକୁ ସେବନ କରନ୍ତି ଓ ପ୍ରିୟଜନଙ୍କ ପାଇଁ ଘରକୁ ନେଇଥାନ୍ତି କେଉଁ ଆଦିମ କାଳରୁ। ଜନ୍ମ, ମୃତ୍ୟୁ, ବିବାହ, ବ୍ରତ ସବୁଠି ମହାପ୍ରସାଦ ସେବନ ଦ୍ୱାରା ଭକ୍ତମାନେ ପବିତ୍ରତା ଅନୁଭବ କରନ୍ତି I ପାଠକ ବନ୍ଧୁ ! ଆଜି ସମୟ ବଦଳିଛି ? ପରିଷ୍କାରର ସଂଜ୍ଞା ମଧ୍ୟ ବଦଳି ଯାଇଛି। ପରିଷ୍କାର ପରିଚ୍ଛନ୍ନତାରେ କେତେକ ପୀଠ ଯଥା ପଞ୍ଜାବର ସ୍ବର୍ଣ୍ଣ ମନ୍ଦିର ଓ ବ୍ୟକ୍ତିଗତ ମାଲିକାନାରେ ଥିବା ବୃନ୍ଦାବନ ପ୍ରେମ ମନ୍ଦିର ଇତ୍ୟାଦି ଭକ୍ତଙ୍କର ଦୃଷ୍ଟି ଆକର୍ଷିତ କରୁଛନ୍ତି। ବର୍ତ୍ତମାନର ଆନନ୍ଦ ବଜାରର ଅସ୍ବାସ୍ଥ୍ୟକର ପରିବେଶ ବାହାର ରାଜ୍ୟର ଭକ୍ତଙ୍କ ମନରେ କ’ଣ ଆମ ରାଜ୍ୟର ଭକ୍ତଙ୍କ ମନରେ ବି ଅନେକ ସମୟରେ ନାନା ଶଙ୍କା ଉତ୍ପନ୍ନ କରୁଛି। ମହାପ୍ରସାଦ ପ୍ରସ୍ତୁତି ପାଇଁ ନିମ୍ନ ମାନର ଚାଉଳ କିମ୍ବା ଡାଲି ଯୋଗାଣ କଥା ଗଣମାଧ୍ୟମରେ ଅନେକ ଥର ଚର୍ଚ୍ଚା ହୋଇଛି। ଏହି ପରିପ୍ରେକ୍ଷୀରେ ଆନନ୍ଦ ବଜାର ସଂସ୍କାର ଅତ୍ୟନ୍ତ ଆବଶ୍ୟକ; ଯଦ୍ଦ୍ବାରା ଏକ ସୁସ୍ଥ ପରିବେଶରେ ସୁସ୍ବାଦୁ ମହାପ୍ରସାଦ ପରିବେଷଣ କରାଯାଇପାରିବ। ଆମେ ବିଶ୍ୱବାସୀଙ୍କୁ ଦେଖାଇଦେଇ ପାରିବା ଯେ ପୃଥିବୀର ପବିତ୍ରତମ ପଦାର୍ଥ ମହାପ୍ରସାଦକୁ ଏକ ସୁନ୍ଦର, ପରିଷ୍କାର ଓ ମନୋରମ ପରିବେଶରେ ସାତ୍ତ୍ୱିକ ଭାବନାରେ ପରିବେଷଣ କରିବାରେ ଓଡ଼ିଆମାନେ ସର୍ବଦା ଆଗରେ ଅଛନ୍ତି।
ଆମର ଦୃଢ଼ ଇଚ୍ଛାଶକ୍ତି ରହିଲେ କୌଣସି କାର୍ଯ୍ୟ ଅସମ୍ଭବ ରହିବ ନାହଁି। ଆସନ୍ତୁ କିପରି ଏହା କାହାର ସ୍ବାର୍ଥହାନି ନ କରି ସାଧନ ହୋଇପାରିବ ସେ ବିଷୟରେ ଆଲୋଚନା କରିବା। ପ୍ରଥମତଃ ଆନନ୍ଦ ବଜାରରେ ଯେତେଜଣ ଅଂଶୀଦାର ଅଛନ୍ତି (ମହାପ୍ରସାଦ ଯୋଗାଣ, ବିକ୍ରୟ ଓ ଭୋଜନ ବ୍ୟବସ୍ଥା) ସମସ୍ତଙ୍କର ଆୟୁକୁ ସୁରକ୍ଷା ଦେବା ଆବଶ୍ୟକ। ମହାପ୍ରସାଦ ସେବନ ଓ ବିତରଣ କେନ୍ଦ୍ରୀଭୂତ (centralized) ସିଷ୍ଟମରେ ହେବା ଆବଶ୍ୟକ। ସମସ୍ତ ଅଂଶୀଦାର ସେଠାରେ ବିଭିନ୍ନ କାର୍ଯ୍ୟ କରିବା ଦରକାର ଓ କିଛିଦିନ ପରେ ସେମାନଙ୍କର କାର୍ଯ୍ୟ ରୋଟେସନ ମାଧ୍ୟମରେ ପରିବର୍ତ୍ତିତ ହେବା ଆବଶ୍ୟକ। ପ୍ରସାଦ ବିକ୍ରିରୁ ଉପଲବ୍ଧ ଅର୍ଥ ସେମାନଙ୍କ ମଧ୍ୟରେ ପ୍ରାପ୍ୟ ଅନୁସାରେ ବଣ୍ଟା ହେବା ଦରକାର। ତା’ ଛଡା କୌଣସି ଏକ ଦିନରେ ମହାପ୍ରସାଦ ବିକ୍ରି ନ ହୋଇ ବଳି ପଡ଼ିଲେ, ତାକୁ ନଷ୍ଟ କରିଦେବା ଆବଶ୍ୟକ କିମ୍ବା ତା’ର ବିକଳ୍ପ ବିନିଯୋଗ କରାଯିବା ଆବଶ୍ୟକ। ମହାପ୍ରସାଦ ବିତରଣ ଦୁଇଟି ବିଭାଗରେ କରାଯିବା ଉଚିତ। ପ୍ରଥମଟି ହେଲା ପାର୍ସଲ ବିଭାଗ ଓ ଦ୍ୱିତୀୟଟି ହେଲା ଭୋଜନ ବିଭାଗ। ଭୋଜନ ବିଭାଗରେ ପରିଷ୍କାର ଚଟାଣ ଉପରେ ଗାଲିଚା ବିଛା ହେବା ଆବଶ୍ୟକ। କଦଳୀ ପତ୍ରରେ ମହାପ୍ରସାଦ ପରଷା ଯାଇପାରିବ। ଆମେ ମହାପ୍ରସାଦକୁ ଛୋଟ ଛୋଟ ମାଟି କୁଡୁଆରେ ପରଷି ପାରିଲେ ଭକ୍ତମାନଙ୍କ ମନରେ ଏକ ନୂତନ ଅନୁଭବ ସୃଷ୍ଟି ହେବ। ମାଟି କୁଡୁଆର ଆବଶ୍ୟକତା ବଢ଼ିବ ଓ ଆମ କୁମ୍ଭକାରଙ୍କ ରୋଜଗାର ମଧ୍ୟ ବଢ଼ିବ। ତା’ ସହିତ ଭକ୍ତମାନଙ୍କୁ ତମ୍ବା ଗ୍ଲାସରେ ପାଣି ଦିଆଯିବା ଦରକାର। ଭକ୍ତମାନେ କାଉଣ୍ଟରରୁ ଟିକେଟ କାଟି ଆସିବେ, ତଦନୁସାରେ ତାଙ୍କୁ ପ୍ରସାଦ ମିଳିବ ଆରାମରେ ବସି ଖାଇବା ପାଇଁ। ଏକା ସଙ୍ଗେ ଶହ ଶହ ଭକ୍ତ ବସି ମହାପ୍ରସାଦ ଖାଇପାରିବେ। ଏକ ପରିଷ୍କାର ପରିବେଶରେ ସୁସ୍ବାଦୁ ମହାପ୍ରସାଦ ଖାଇ ବାସ୍ତବରେ ସେମାନେ ଆନନ୍ଦ ଅନୁଭବ କରିପାରିବେ। ଖାଇ ସାରିବା ପରେ ସେମାନେ ପାର୍ସଲ ବିଭାଗରୁ ମହାପ୍ରସାଦ ନେଇ ଘରକୁ ଫେରିବେ। ଏପ୍ରକାର ବ୍ୟବସ୍ଥା ଆମ ମହାପ୍ରସାଦ ବିତରଣକୁ ଆହୁରି ପାରଦର୍ଶୀ କରିବ ଓ ବିଶ୍ବରେ ଏହାର ମହତ୍ତ୍ୱ ବଢ଼ାଇବ।
ଅତୀତରେ ଓଡ଼ିଆ ଜାତି ବହୁ ବଡ଼ ବଡ଼ ସ୍ବପ୍ନ ଦେଖିଛି ଓ ସେଗୁଡ଼ିକୁ ସାକାର ମଧ୍ୟ କରିଛି। ଯେପରି କି ବଡ଼ ଦେଉଳ, ବଡ଼ ରଥ, ବଡ଼ ଦାଣ୍ଡ, ବଡ଼ ପରମ୍ପରା ଇତ୍ୟାଦି, ଇତ୍ୟାଦି। ସମସ୍ତେ ମିଶି ଏକ ସ୍ବଚ୍ଛ ପରିବେଶରେ ସୁସ୍ବାଦୁ ମହାପ୍ରସାଦ ପରିବେଷଣ ପାଇଁ ପଦକ୍ଷେପ ନେଲେ, ଜଗନ୍ନାଥ ସଂସ୍କୃତି ପ୍ରତି ଏହା ବର୍ତ୍ତମାନ ପିଢ଼ିର ଏକ ଶ୍ରେଷ୍ଠ ଅବଦାନ ହୋଇପାରିବ। ଆମ ଦେଶରେ ମଧ୍ୟ ବିଭିନ୍ନ ମଠ ମନ୍ଦିରରେ ପରିଷ୍କାର ପରିବେଶରେ ଏକାବେଳେ ଶହ ଶହ ଭକ୍ତ ପ୍ରସାଦ ଖାଇବାର ବ୍ୟବସ୍ଥା ରହିଛି। ମୋର ପ୍ରସ୍ତାବ ଏକମାତ୍ର ବିକଳ୍ପ ନୁହେଁ। ମାନସ ମନ୍ଥନ କଲେ ଆହୁରି ଅନେକ ସୁନ୍ଦର ବିକଳ୍ପ ବାହାରିପାରିବ। ସମସ୍ତେ ଏଦିଗରେ ଧ୍ୟାନ ଦେବା ଆବଶ୍ୟକ।
ମୈତ୍ରୀବିହାର, ଭୁବନେଶ୍ୱର
ମୋ: ୮୯୧୭୪୨୬୪୪୦