ଆନନ୍ଦ ବଜାରରେ ଲାଗିବ ରେଟ୍‌ ଚାର୍ଟ: ହଟିବେ ଅଣସେବାୟତ

ପୁରୀ,୧୫।୭(ଅଜିତ୍‌ ମହାନ୍ତି): ଗତ କିଛିଦିନ ହେଲା ଶ୍ରୀମନ୍ଦିର ଆନନ୍ଦବଜାରରେ ବିଶୃଙ୍ଖଳା ଦେଖାଦେଉଥିଲା। ଆନନ୍ଦ ବଜାରରେ ଭକ୍ତମାନେ ଅନେକ ସମୟରେ ଦଲାଲଙ୍କ ଶିକାର ହେବା ଖବର ବାରମ୍ବାର ସାମ୍ନାକୁ ଆସୁଥିଲା। ଏହାକୁ ନେଇ ଜଗନ୍ନାଥପ୍ରେମୀ ଅସନ୍ତୋଷ ପ୍ରକାଶ କରୁଥିଲେ। ତେଣୁ ଆନନ୍ଦବଜାରରେ ଶୃଙ୍ଖଳା ଆଣିବା ପାଇଁ ଶୁକ୍ରବାର ଶ୍ରୀମନ୍ଦିର ପ୍ରଶାସନିକ କାର୍ଯ୍ୟାଳୟରେ ମୁଖ୍ୟ ପ୍ରଶାସକ ରଞ୍ଜନ କୁମାର ଦାସଙ୍କ ଅଧ୍ୟକ୍ଷତାରେ ଶୃଙ୍ଖଳା କମିଟି ବୈଠକ ଅନୁଷ୍ଠିତ ହୋଇଥିଲା। ଏଥିରେ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଥିବାବେଳେ ସୁଆର ମହାସୁଆର ନିଯୋଗ ପକ୍ଷରୁ ବିଭିନ୍ନ ଦାବି ଉପସ୍ଥାପନ କରାଯାଇଥିଲା। ଗଠନ ହୋଇଥିବା କୋର୍‌ କମିଟି ଆସନ୍ତା ୭ଦିନ ମଧ୍ୟରେ ରିପୋର୍ଟ ଦେବ ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ବୈଠକରେ ସୁଆର ମହାସୁଆର ନିଯୋଗ, ପରିଚାଳନା କମିଟି ସଦସ୍ୟ, ଶ୍ରୀମନ୍ଦିର ପ୍ରଶାସନ ଏବଂ ପୋଲିସ ପ୍ରଶାସନର ୧୧ଜଣଙ୍କୁ ନେଇ ଏକ କୋର୍‌ କମିଟି ଗଠନ କରାଯାଇଛି। ଏହି କୋର୍‌ କମିଟି ଆନନ୍ଦ ବଜାରରେ ହେଉଥିବା ବିଶୃଙ୍ଖଳା ଉପରେ ନଜର ରଖିବା ସହ ଆବଶ୍ୟକ ସ୍ଥଳେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ।
ଆନନ୍ଦ ବଜାରରେ ଅଣସୁଆରଙ୍କୁ ଚିହ୍ନଟ କରି ବାହାର କରିବା, ଭକ୍ତଙ୍କ ପାଇଁ ମହାପ୍ରସାଦ ରେଟ୍‌ ଚାର୍ଟ ଲଗାଇବା, ପର୍ଯ୍ୟାପ୍ତ ପାନୀୟଜଳ ବ୍ୟବସ୍ଥା, ହେଲ୍ପ ଡେସ୍କ ଗଠନ, ସଫେଇ ଓ ସ୍ବଚ୍ଛତା ପ୍ରତି ଗୁରୁତ୍ୱ ଦେବା, ଜରି କାଢ଼ି ଶେଡ୍‌ ବ୍ୟବସ୍ଥା, ଉତ୍ତର ଦ୍ୱାରରେ ଭକ୍ତଙ୍କୁ ଶୁଖିଲା ମହାପ୍ରସାଦ ଯୋଗାଇବା ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରିବାକୁ ସୁଆର ମହାସୁଆର ନିଯୋଗ ପକ୍ଷରୁ ଦାବି କରାଯାଇଥିଲା। ସମସ୍ତ ଦାବିକୁ ପ୍ରଶାସନ ଗ୍ରହଣ କରିବା ସହ ଗଠିତ କୋର୍‌ କମିଟି ଆସନ୍ତା ୭ଦିନ ଭିତରେ ରିପୋର୍ଟ ଦେବ ବୋଲି ସୂଚନା ମିଳିଛି। ବିଶେଷକରି ଅଣସୂପକାର ଓ ଅଣସେବାୟତଙ୍କ ଆନନ୍ଦବଜାର ପ୍ରବେଶ ଉପରେ କଟକଣାକୁ ଗୁରୁତ୍ୱ ଦିଆଯାଇଛି।