ଇଡଲି ଆମ୍ମାଙ୍କୁ ବଡ଼ ଉପହାର ଦେଲେ ଆନନ୍ଦ ମହିନ୍ଦ୍ରା

ଚେନ୍ନାଇ,୮।୫: ତାମିଲନାଡୁର ଭାଡିଭେଲାମପାଲାୟାମର ବାସିନ୍ଦା ଏମ କମଲାଥଲଙ୍କୁ ମାତୃ ଦିବସରେ ବଡ଼ ଉପହାର ମିଳିଛି। ଇଡଲି ଆମ୍ମା ନାମରେ ଜଣାଶୁଣା କମଲାଥଲଙ୍କୁ ଦେଶର ପ୍ରତିଷ୍ଠିତ ବ୍ୟବସାୟୀ ଆନନ୍ଦ ମହିନ୍ଦ୍ରା ଏକ ଘର ଭେଟି ଦେଇଛନ୍ତି। ଏନେଇ ମହିନ୍ଦ୍ରା ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି। ଫଳରେ ଆଜିର ମହଙ୍ଗା ଯୁଗରେ ମାତ୍ର ୧ ଟଙ୍କାରେ ଇଡ୍‌ଲି ବିକ୍ରି କରୁଥିବା କମଲାଥଲଙ୍କ ଜୀବନ ସମ୍ପୂର୍ଣ୍ଣ ବଦଳିଯାଇଛି।
ମହିନ୍ଦ୍ରା ଟୁଇଟ୍‌ ଯୋଗେ କହିଛନ୍ତି, ସମସ୍ତଙ୍କୁ ଖୁସି ଦେବା ପାଇଁ ନିଜ ଜୀବନକୁ ଉତ୍ସର୍ଗ କରିଥିବା ବ୍ୟକ୍ତିଙ୍କୁ ଛୋଟ ଖୁସି ଦେବାକୁ ଚେଷ୍ଟା କରିବାଠାରୁ ଅଧିକ ବଡ଼ ଖୁସି ଆଉ କିଛି ହୋଇ ନ ପାରେ। ଗତ ୩୭ ବର୍ଷ ଧରି ଇଡଲି ଆମ୍ମା ଅଭାବୀ ଲୋକଙ୍କୁ କେବଳ ଗୋଟିଏ ଟଙ୍କାରେ ଇଡଲି ଦେଉଛନ୍ତି।
ଆନନ୍ଦ ମହିନ୍ଦ୍ରା ମଧ୍ୟ ଏହି ଟୁଇଟ ସହ ଏକ ଭିଡିଓ ଶେୟାର କରିଛନ୍ତି। ଏହି ଭିଡିଓରେ ଇଡଲି ଆମ୍ମା କୁହନ୍ତି ଯେ, ମହିନ୍ଦ୍ରାଙ୍କର ଜଣେ ଅଧିକାରୀ ପୁଗାଲ୍‌, ମୋ ଝୁମ୍ପୁଡିକୁ ଆସିଥିଲେ। ଏହି ଝୁମ୍ପୁଡିଟି ବହୁତ ଛୋଟ ଥିଲା। ମୁଁ ନିଜ ପାଇଁ ଏକ ନୂତନ ଘର ପାଇଁ ତାଙ୍କୁ ଅନୁରୋଧ କଲି। ଅଧିକାରୀ ଜଣଙ୍କ ତାଙ୍କୁ ଘର ଦେବାକୁ ଶତ ଚେଷ୍ଟା କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ।
ଭିଡିଓ ଅନୁଯାୟୀ, ଇଡଲି ଆମ୍ମାଙ୍କ ନୂଆ ଘର ପାଇଁ ପ୍ରଥମ ଜମି ଚିହ୍ନଟ ପ୍ରକ୍ରିୟା ଶେଷ ହୋଇଥିଲା। ପରେ ମହିନ୍ଦ୍ରା ଲାଇଫସ୍ପେସ ଏକ ଘର ଯୋଜନା ପ୍ରସ୍ତୁତ କଲା। ଭୂମି ପୂଜା ପରେ ଗୃହ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ଆଜି ମାତୃ ଦିବସ ଅବସରରେ ଇଡଲି ଆମ୍ମା ଗୃହ ପ୍ରବେଶ କରିଥିଲେ। ଏହି ଘରେ ଆମ୍ମାଙ୍କ ପାଇଁ ଏକ ସ୍ବତନ୍ତ୍ର ରୋଷେଇ ଘର ତିଆରି କରାଯାଇଛି।
ଆନନ୍ଦ ମହିନ୍ଦ୍ରାଙ୍କ ଏହି ପଦକ୍ଷେପକୁ ସୋସିଆଲ ମିଡିଆରେ ଉଚ୍ଚ ପ୍ରଶଂସା କରାଯାଉଛି। ୟୁଜର୍ସମାନେ ମହିନ୍ଦ୍ରାଙ୍କୁ ଦେଶର ଗର୍ବ ବୋଲି କହୁଛନ୍ତି।

Share