ଅନନ୍ତନାଗ,୧୭ା୯: ଜମ୍ମୁ-କଶ୍ମୀରର ଅନନ୍ତନାଗ ଜିଲାରେ ଆତଙ୍କବାଦୀଙ୍କ ସହ ସୁରକ୍ଷା ବଳର ଗୁଳି ବିନିମୟ ରବିବାର ପଞ୍ଚମ ଦିନରେ ମଧ୍ୟ ଜାରି ରହିଛି। ଗାଡୋଲର ଘଞ୍ଚ ଜଙ୍ଗଲରେ ଚାଲିଥିବା ଅଭିଯାନରେ ଅର୍ଦ୍ଧସାମରିକ କମାଣ୍ଡେଙ୍କ ସହ ହଜାରେରୁ ଊର୍ଦ୍ଧ୍ୱ ଯବାନ ସାମିଲ ହୋଇଛନ୍ତି। ତେବେ ବିପଜ୍ଜନକ ଅଞ୍ଚଳ ଏବଂ ଘଞ୍ଚ ଜଙ୍ଗଲର ସୁଯୋଗ ନେଇ ଆତଙ୍କବାଦୀମାନେ ନିଜକୁ ଦୂରେଇ ରଖି ଏନ୍କାଉଣ୍ଟରକୁ ଶେଷ ହେବାକୁ ଦେଉ ନାହାନ୍ତି। ଫଳରେ ବୁଧବାର ଠାରୁ ଆରମ୍ଭ ହୋଇଥିବା ଗୁଳି ବିନିମୟ ଜାରି ରହିଛି। ଆତଙ୍କବାଦୀଙ୍କ ଗୁଳିରେ ଦୁଇ ସେନା ଅଧିକାରୀ, ଜଣେ ପୋଲିସ ଅଧିକାରୀଙ୍କ ସମେତ ୪ ଜଣ ଶହୀଦ ହୋଇଛନ୍ତି। ଅନ୍ୟପକ୍ଷେ ସେନା ନର୍ଦ୍ଦର୍ନ କମାଣ୍ଡ ମୁଖ୍ୟ ଲ୍ୟୁଟ୍ନାଣ୍ଟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ ଏନ୍କାଉଣ୍ଟର ସ୍ଥଳକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି।