ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ: ଉପଜିଲାପାଳଙ୍କୁ ଭେଟିଲେ…

ଦିଗପହଣ୍ଡି,୧୮ା୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲ୍ଳକ ଅନ୍ତର୍ଗତ ମୌଳାଭଞ୍ଜା ପଞ୍ଚାୟତର ସରପଞ୍ଚ ବର୍ଷା ସେଠୀଙ୍କ ବିରୋଧରେ ୧୫ ଜଣ ୱାର୍ଡ ସଭ୍ୟାସଭ୍ୟ ଅନାସ୍ଥା ପ୍ରସ୍ତାବ ଆଗତ କରିଛନ୍ତି। ସରପଞ୍ଚ ନିର୍ବାଚିତ ହେବା ପରଠାରୁ ପଞ୍ଚାୟତ କାର୍ଯ୍ୟାଳୟକୁ ନ ଆସିବା, ବିଭିନ୍ନ ଦୁର୍ନୀତି ମାମଲାରେ ଜଡିତ ରହିବା, ମନୋମୁଖୀ ଭାବେ ବିଭିନ୍ନ ନିଷ୍ପତ୍ତି ନେବା, ପଞ୍ଚାୟତର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଆସୁଥିବା ବିଭିନ୍ନ ଯୋଜନାକୁ କାର୍ଯ୍ୟକାରୀ ନ କରିବା, ୱାର୍ଡ ସଭ୍ୟାସଭ୍ୟ ଓ ନାଏବ ସରପଞ୍ଚଙ୍କୁ ଅଣଦେଖା କରିବା ସହ କୌଣସି ସରକାରୀ କାର୍ଯ୍ୟକ୍ରମରେ ସେମାନଙ୍କୁ ସାମିଲ କରା ନ ଯିବା, ପଞ୍ଚାୟତରେ ପଲ୍ଲୀସଭା ଗ୍ରାମସଭା ଆୟୋଜନ ନ କରିବା ନେଇ ୧୮ ୱାର୍ଡ ସଭ୍ୟାସଭ୍ୟଙ୍କ ମଧ୍ୟରୁ ୧୫ ଜଣ ସରପଞ୍ଚଙ୍କ ଏପରି ମନୋମୁଖୀ କାର୍ଯ୍ୟ ବିରୋଧରେ ଏକ ବୈଠକରେ ଏକାଠି ହୋଇଥିଲେ। ନାଏବ ସରପଞ୍ଚ ବିଟୁ ଗୌଡଙ୍କ ସଭାପତିତ୍ୱରେ ନୂଅର ମୌଳାଭଞ୍ଜାସ୍ଥିତ କୋଠଘର ଗୃହରେ ଅନୁଷ୍ଠିତ ବୈଠକରେ ସରପଞ୍ଚଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଗତ କରି ସର୍ବସମ୍ମତକ୍ରମେ ନିଷ୍ପତ୍ତି ନେଇଥିଲେ। ସେହି ଅନୁସାରେ ୧୫ ୱାର୍ଡ ସଭ୍ୟାସଭ୍ୟ ଶୁକ୍ରବାର ବ୍ରହ୍ମପୁର ଉପଜିଲାପାଳ ଧୀନା ଦସ୍ତାଗିରଙ୍କୁ ଭେଟି ଆଲୋଚନା କରି ଅନାସ୍ଥା ପ୍ରସ୍ତାବ ସପକ୍ଷରେ ଗୃହୀତ ନିଷ୍ପତ୍ତିର ନକଲ ଓ ଦସ୍ତଖତ ସମ୍ବଳିତ ଦାବିପତ୍ର ପ୍ରଦାନ କରିଥିଲେ। ସରପଞ୍ଚ ତାଙ୍କ ସ୍ବାମୀ ପିଣ୍ଟୁ ସେଠୀଙ୍କ ସହାୟତାରେ ପଞ୍ଚାୟତର ସମସ୍ତ କାର୍ଯ୍ୟ ତୁଲାଉଥିବା ନେଇ ସେମାନେ ଅଭିଯୋଗ କରିଥିଲେ। ବିଭିନ୍ନ ଗ୍ରାମର ସାହି ଆଲୁଅ ବ୍ୟବସ୍ଥା ସମ୍ପର୍କିତ ଖର୍ଚ୍ଚ, ଦୀର୍ଘ ଦିନରୁ ଭତ୍ତା ପାଉ ନ ଥିବା ଯୋଗ୍ୟ ହିତାଧିକାରୀଙ୍କୁ ଅଣଦେଖା କରି ନିଜ ଶାଶୁ ଶ୍ୱଶୁର ଏବଂ ସମ୍ପର୍କୀୟମାନଙ୍କୁ ମଧୁବାବୁ ପେନସନ ଯୋଜନାରେ ଅନ୍ତର୍ଭୁକ୍ତ କରିବା, ହରିଶ୍ଚନ୍ଦ୍ର ଯୋଜନାରେ ହିତାଧିକାରୀଙ୍କ ସହାୟତା ରାଶିକୁ ଚେକ୍‌ ମାଧ୍ୟମରେ ସରପଞ୍ଚଙ୍କ ସ୍ବାମୀ ପିଣ୍ଟୁ ବ୍ୟାଙ୍କରୁ ଟଙ୍କା ଉଠାଣ କରିବା ୱାର୍ଡ ସଭ୍ୟାସଭ୍ୟମାନେ ଉପଜିଲାପାଳଙ୍କୁ ଅବଗତ କରାଇଥିଲେ। ଏପରିକି ପଞ୍ଚାୟତ କାର୍ଯ୍ୟାଳୟରେ ଥିବା ଜେରକ୍ସ ମେଶିନକୁ ନିଜ ଘରେ ରଖି ତାହା ପରବର୍ତ୍ତୀ ସମୟରେ ପଞ୍ଚାୟତକୁ ଫେରାଉ ନାହାନ୍ତି ବୋଲି ସେମାନେ ଅନ୍ୟାନ୍ୟ ଅଭିଯୋଗ ସହ ସେଥିରେ ଉଲ୍ଲେଖ କରିଛନ୍ତି। ଅପରପକ୍ଷରେ ସରପଞ୍ଚଙ୍କୁ ଏନେଇ ପଚାରିବାରୁ ତାଙ୍କ ନାଁରେ ଅଣାଯାଇଥିବା ସମସ୍ତ ଅଭିଯୋଗ ଭିତ୍ତିହୀନ ଓ କପୋଳକଳ୍ପିତ ବୋଲି କହିଛନ୍ତି। କିଛି ୱାର୍ଡ ସଭ୍ୟ ତାଙ୍କୁ କଣ୍ଢେଇ କରି ନ ଚାଇବାକୁ ଉଦ୍ୟମ କରି ବିଫଳ ହେବା ପରେ ସେମାନଙ୍କ ବ୍ୟକ୍ତିଗତ ସ୍ବାର୍ଥ ହାସଲ ପାଇଁ ତାଙ୍କ ବିରୋଧରେ ଷଡଯନ୍ତ୍ର ଚଳାଇଛନ୍ତି ବୋଲି ସରପଞ୍ଚ କହିଛନ୍ତି। ଅନାସ୍ଥା ପ୍ରସ୍ତାବ ନେଇ ତାଙ୍କୁ କୌଣସି ୱାର୍ଡ ସଭ୍ୟାସଭ୍ୟ ପୂର୍ବରୁ ଲିଖିତ ଭାବେ ଜଣାଇ ନ ଥିବା ପ୍ରକାଶ କରିଛନ୍ତି। ସାନଖେମୁଣ୍ଡି ବିଡ଼ିଓ ଜିତେନ୍ଦ୍ର ମିଶ୍ରଙ୍କୁ ପଚାରିବାରୁ ଏନେଇ ତାଙ୍କୁ କୌଣସି ପକ୍ଷ ଅବଗତ କରି ନ ଥିବା ଅବା ଲିଖିତ ଭାବେ ଅଭିଯୋଗପତ୍ର ଦେଇ ନ ଥିବା କହିଛନ୍ତି।

Share