ପିତୃପୁରୁଷଗଣ ଅନୁଶରଣ୍ୟ

ଜନାର୍ଦ୍ଦନ ବନ୍ଦ୍ୟୋପାଧ୍ୟାୟ

ପୂର୍ବ ପ୍ରବନ୍ଧ (୧୭ା୩ା୨୦)ରେ ଆମେ ଆର୍ଯ୍ୟ ‘ପଞ୍ଚବର୍ହିଃ’ର ଦ୍ୱିତୀୟ ଶ୍ଳୋକଟି ଆଲୋଚନା କରିଛୁ। ପଞ୍ଚବର୍ହିଃର ତୃତୀୟ ଶ୍ଳୋକଟି ହେଲା- ‘ତଦ୍‌ବର୍ତ୍ମାନୁବର୍ତ୍ତିନଃ ପିତରଃ ଶରଣମ୍‌’। ଅର୍ଥାତ୍‌ ସେମାନଙ୍କ (ପ୍ରବୁଦ୍ଧ ଋଷିମାନଙ୍କ)ର ପନ୍ଥା ଅନୁସରଣକାରୀ ପିତୃଗଣଙ୍କର ଶରଣ ନେଉଅଛି। ଋଷି ଏବଂ ମହାପୁରୁଷମାନେ ସର୍ବଭୂତର ମଙ୍ଗଳ ନିମନ୍ତେ ଯେଉଁ ଜୀବନୀୟ ଜ୍ଞାନ ସମାଜରେ ପରିବେଷଣ କରନ୍ତି ତାହାକୁ ବାସ୍ତବ ଜୀବନରେ ଆଚରଣ ମାଧ୍ୟମରେ ରୂପାୟିତ କରିବା ଦ୍ୱାରା ହିଁ ମଣିଷ ତାହାର ସୁଫଳ ଲାଭ କରି ଧନ୍ୟ ହୁଏ ଏବଂ ଏହି ଭାବରେ ପୁରୁଷାନୁକ୍ରମେ ମଣିଷ ସମାଜ ବ୍ରାହ୍ମୀବିବର୍ତ୍ତନ ପଥରେ ଅଗ୍ରସର ହୁଏ। ଆମର ପୂର୍ବ ପୁରୁଷଗଣ, ପିତୃ-ମାତୃଗଣ ସେହି ଋଷିପ୍ରଦତ୍ତ ଧର୍ମଜ୍ଞାନକୁ ସ୍ବୀୟ ଜୀବନରେ ଆଚରଣକରି, ତାହାର ଉପାଦେୟତା ଉପଲବ୍ଧି କରି ସେଗୁଡ଼ିକୁ ନିଜର ଭବିଷ୍ୟତ ବଂଶଧରମାନଙ୍କ ମଧ୍ୟରେ ସଞ୍ଚାରିତ କରି ଦେଇଛନ୍ତି। ସେହି ସମସ୍ତ ଜୀବନୀୟ ଜ୍ଞାନର କର୍ଷଣ ମଧ୍ୟ ଦେଇ ଗଢ଼ିଉଠିଛି ଆମର କୃଷ୍ଟି, ସଂସ୍କୃତି ଏବଂ ଐତିହ୍ୟ। ସେହି ଜୀବନୀୟ କୃଷ୍ଟି ଏବଂ ପରମ୍ପରା ମଧ୍ୟରେ ଜନ୍ମଗ୍ରହଣ କରି, ଆଶୈଶବ ସେସବୁର ଆଚରଣ କରି ଆମେ ମଣିଷ ହୋଇ ଛିଡା ହୋଇଛୁ। ତେଣୁ ଆମର ପିତୃପୁରୁଷଗଣ ସର୍ବଥା ଶରଣୀୟ, ସର୍ବଥା ବନ୍ଦନୀୟ, ସର୍ବଥା ପୂଜନୀୟ। ଥରେ ଚିନ୍ତା କରି ଦେଖନ୍ତୁ- ଜଣେ ମଣିଷର ଉପଯୋଗୀ ଖାଦ୍ୟ-ପାନୀୟ, ବେଶ-ପୋଷାକ, ଆଚାର-ବ୍ୟବହାର, ଚିନ୍ତା-ଚେତନା ଇତ୍ୟାଦି ସବୁକିଛି ଆମେ ପୁରୁଷ ପରମ୍ପରାଗତ କୌଳିକ ସଂସ୍କାର ମଧ୍ୟରୁ ଅନାୟାସରେ ପ୍ରାପ୍ତ ହୋଇଥାଉ। ଆମକୁ ଆଉ ଏଥିପାଇଁ ନୂତନ ଭାବେ ପରୀକ୍ଷା ନିରୀକ୍ଷା କରି ଭଲ-ମନ୍ଦ,ଉଚିତ-ଅନୁଚିତ ବିଚାର କରିବାକୁ ପଡ଼େନାହିଁ।
ଆମର ପୂର୍ବ ପିଢ଼ିର ମାତାପିତାମାନେ ନିଜ ଜୀବନର ଅଭିଜ୍ଞତା ଭିତର ଦେଇ ତିଳ ତିଳ କରି ଏହି ସମସ୍ତ ଜୀବନୀୟ ସଂସ୍କାର ସୃଷ୍ଟି କରିଛନ୍ତି, ଯାହାର ଆମେ ଫଳଭାଗୀ ହୋଇଥାଉ। ଏପରି କି ଯେଉଁ ମାନବୀୟ ଗୁଣଗୁଡ଼ିକ ଯଥା ଶ୍ରଦ୍ଧା-ବିଶ୍ୱାସ, ନିଷ୍ଠା, ସ୍ନେହ-ପ୍ରୀତି, କର୍ମପଟୁତା, କର୍ତ୍ତବ୍ୟପରାୟଣତା, ସହ୍ୟ-ଧୈର୍ଯ୍ୟ, ଉଦ୍ୟମ-ଅଧ୍ୟବସାୟ ଇତ୍ୟାଦି ସବୁକିଛି ଆମେ ସେହି ଋଷି-କୃଷ୍ଟି-ବାହୀ ମାତାପିତାଙ୍କଠାରୁ ହିଁ ଉତ୍ତରାଧିକାର ସୂତ୍ରରେ ଲାଭ କରିଛୁ। ଶ୍ରୀ ଶ୍ରୀ ଠାକୁର ଅନୁକୂଳଚନ୍ଦ୍ର କହିଛନ୍ତି- ‘ମାତାଙ୍କର ଦାନ ନିଷ୍ଠା-କୃତି/ପିତୃ-ତପରେ ବୋଧ-ଦୀପ୍ତି’, ଅର୍ଥାତ୍‌ ମାତୃଭକ୍ତିର ପ୍ରସାଦ ସ୍ବରୂପ ଆମେ ଜୀବନରେ ନିଷ୍ଠା ଏବଂ କୃତିତ୍ୱ ପ୍ରାପ୍ତ ହୋଇଥାଉ ଏବଂ ପିତାଙ୍କୁ ଶ୍ରଦ୍ଧାର ସହିତ ଅନୁସରଣ ଭିତର ଦେଇ ଆସେ ଜ୍ଞାନଦୀପ୍ତି। ତେଣୁ ‘ପିତା ଠଁୁ ଶ୍ରଦ୍ଧା ମା’ ଠିଁ ଟାଣ/ସେହି ପିଲା ହୁଏ ସାମ୍ୟ-ପ୍ରାଣୀ।’(ଅନୁଶ୍ରୁତି)। ପ୍ରତିଟି ମାତା-ପିତା ସର୍ବଦା ଚେଷ୍ଟା କରନ୍ତି ସେମାନଙ୍କର ସନ୍ତାନସନ୍ତତିଙ୍କୁ ନିଜ ଅପେକ୍ଷା ଅଧିକ ଯୋଗ୍ୟ, ସମୃଦ୍ଧ, ପାରଙ୍ଗମ ଏବଂ ଉନ୍ନତ କରି ଗଢ଼ିତୋଳିବାକୁ। ଏହିପରି ଭାବରେ ପୁରୁଷାନୁକ୍ରମେ ମାନବ ସଭ୍ୟତା କ୍ରମାଗତ ଉତ୍କର୍ଷ ଏବଂ ବିବର୍ତ୍ତନ ପଥରେ ଅଗ୍ରଗତି କରିଚାଲିଛି।
ମାତା-ପିତା ଙ୍କୁ ଶ୍ରଦ୍ଧାର ସହିତ ଅନୁସରଣ କରି ସେବାରେ ସେମାନଙ୍କୁ ତୃପ୍ତ କରିପାରିଲେ ତାଙ୍କର ସଦ୍‌ଗୁଣଗୁଡ଼ିକ ଆମେ ଅଧିଗତ କରିପାରୁ,ଏହାର ବ୍ୟତ୍ୟୟରେ ଆସେ ଅଧଃପତନ। ତେଣୁ ମାତା-ପିତାଙ୍କ ପ୍ରତି ଅକୃତଜ୍ଞ ହେବାର ଅର୍ଥ ନିଜେ ହିଁ ନିଜ ଜୀବନର ଶତ୍ରୁ ହୋଇ ଉଠିବା। ତେଣୁ ଆମର ଶାସ୍ତ୍ର ମୌଳିକ ମାନବ ଧର୍ମ ଭାବରେ କମ୍ବୁକଣ୍ଠରେ ଘୋଷଣା କରିଛନ୍ତି- ‘ପିତୃ ଦେବ ଭବ/ ମାତୃ ଦେବ ଭବ’। କହିବା ବାହୁଲ୍ୟ ଆମର ନୈତିକ ଅଧଃପତନର ପ୍ରଧାନ କାରଣ ହେଲା ପିତୃନିଷ୍ଠା ଏବଂ ମାତୃଭକ୍ତିର ଅଭାବ, ଯେଉଁ ଦୋଷରୁ ଆମର ଜାତୀୟ ଚରିତ୍ର କ୍ରମାଗତ ଭାବରେ ନିମ୍ନଗାମୀ ହୋଇ ଚାଲିଛି। ଆଜି ଆମକୁ ଦେଖି କିଏ ବିଶ୍ୱାସ କରିବ ଯେ ଆମେ ସବୁ ବ୍ୟାସ, ବଶିଷ୍ଠ, ବିଶ୍ୱାମିତ୍ର, ଗୌତମ, ଭରଦ୍ୱାଜଙ୍କ ଭଳି ମହାନ୍‌ ଋଷିଙ୍କର ଅମର ସୃଷ୍ଟିର ଦାୟାଦ ବୋଲି? ଭାରତବର୍ଷର ପ୍ରାଚୀନ ଇତିହାସ କହେ- ଭଗବାନ ବୁଦ୍ଧଙ୍କ ଆବିର୍ଭାବ ପୂର୍ବରୁ ମଧ୍ୟ ଭାରତୀୟମାନଙ୍କର ଚରିତ୍ର ଏବଂ ବୀର୍ଯ୍ୟବତ୍ତା ଏତେ ଉନ୍ନତ ଥିଲା ଯେ ବିଦେଶୀ ସଭ୍ୟଜାତିମାନେ ସେମାନଙ୍କୁ ଶ୍ରଦ୍ଧା ଏବଂ ସମ୍ମାନ ଦୃଷ୍ଟିରେ ଦେଖୁଥିଲେ। ଭାରତବର୍ଷକୁ ପୂଜା କରିବା ଛଡ଼ା ଆକ୍ରମଣ କରିବାର ପରିକଳ୍ପନା ସେମାନଙ୍କ ମନରେ ସ୍ଥାନ ପାଉ ନ ଥିଲା। ମାତ୍ର ଭାରତୀୟମାନେ ଯେତେବେଳେ ଯୁଗାଦର୍ଶ(ଯୁଗ ପୁରୁଷୋତ୍ତମ)ଙ୍କ ପ୍ରଭାବରେ ବିସ୍ମିତ ହୋଇ ସଂକୀର୍ଣ୍ଣ ବୃତ୍ତିମାଫିକ ଚଳନରେ ଚାଲିବାକୁ ଲାଗିଲେ ସେତେବେଳେ ହିଁ ଆସିଲା ଅଧଃପତନ ଏବଂ ଆମତ୍-କଳହ। ଅନ୍ୟ ସଭ୍ୟଜାତିମାନେ ଭାରତୀୟ ସମାଜ ପ୍ରତି ଶ୍ରଦ୍ଧା-ଭକ୍ତି ହରାଇ ଭାରତକୁ ଆକ୍ରମଣ କରିବାକୁ ଆରମ୍ଭ କଲେ। ଆମର ପ୍ରାଚୀନ ଋଷିମାନେ ଆବିଷ୍କାର କରିଥିଲେ ଯେ, ପିତୃକୃଷ୍ଟି ବା ପ୍ରତିଟି ବ୍ୟକ୍ତିର କୁଳ-କୃଷ୍ଟି ହିଁ ତାହାର ବୈଶିଷ୍ଟ୍ୟ ବା ଜଗତରେ ତାହାର ବିଶେଷ ସ୍ଥିତିର ଉତ୍ସ ହୋଇଥାଏ। ପିତୃ କୃଷ୍ଟି ହିଁ ତାହାର ଦେହ-ମନ-ପ୍ରାଣକୁ ପ୍ରଭାବିତ କରି ଜଗତରେ ତାହାକୁ ଏକ ବିଶେଷ ପରିଚୟ ପ୍ରଦାନ କରେ। ତେଣୁ ଆର୍ଯ୍ୟଋଷିଗଣ ଭାରତବର୍ଷରେ ପିତୃକୃଷ୍ଟିକୁ ସୁସଂଗଠିତ, ମର୍ଯ୍ୟାଦାପୂର୍ଣ୍ଣ ଏବଂ ଚିରନ୍ତନ କରି ରଖିବାର ବ୍ୟବସ୍ଥା କରିଛନ୍ତି।
ଆମ ସମାଜର ଗୋତ୍ର ବା ବଂଶ ପରିଚୟ ଏହାର ସୁସ୍ପଷ୍ଟ ପ୍ରମାଣ। ଅନେକ ପରିବାରରେ ପୁରୁଷାନୁକ୍ରମେ ବଂଶ ପରିଚୟ ବା ବଂଶପଞ୍ଜି ଲେଖିବାର ପରମ୍ପରା ରହିଛି। ଏଭଳି ସୁବିନ୍ୟସ୍ତ ପିତୃକୃଷ୍ଟି ସଂରକ୍ଷଣର ପରମ୍ପରା ପୃଥିବୀର ଅନ୍ୟ କୌଣସି ଦେଶରେ ନାହିଁ। ଏ ଦେଶରେ ଜଣେ ସାଧାରଣ ମଣିଷ ମଧ୍ୟ ପୁରୀ, ଗୟା ପ୍ରଭୃତି ତୀର୍ଥସ୍ଥାନକୁ ଯାଇ ନିଜର ଦଶପୁରୁଷର ବଂଶ ପରିଚୟ ଜାଣିପାରେ, ଯାହା କି ଇଂଲଣ୍ଡର ରାଜପରିବାରରେ ମଧ୍ୟ ନାହିଁ। ଖାଲି ସେତିକି ନୁହେଁ ପରଲୋକରେ ଥିବା ପିତୃପୁରୁଷଙ୍କୁ (ପିତୃଲୋକ) ଶ୍ରଦ୍ଧା-ଭକ୍ତି ନିବେଦନର ମଧ୍ୟ ପରମ୍ପରା ରହିଛି ଆମର। ପିତୃକୃଷ୍ଟି ବା ପିତୃପରିଚୟ ହିଁ ମଣିଷର ଚରିତ୍ରରେ ଗୌରବବୋଧ ଏବଂ ଦୃଢ଼ତା ଆଣିଦିଏ, କିନ୍ତୁ ଆଜିକାଲି ଅନେକ ଉଚ୍ଚଶିକ୍ଷିତ ଯୁବକ ନିଜର ନାମ ସହିତ ପିତୃ ପରିଚୟ ବା ସାଙ୍ଗିଆ ଲେଖିବାକୁ ମଧ୍ୟ ଲଜ୍ଜାବୋଧ କରୁଛନ୍ତି। ମାତାପିତାଙ୍କୁ ଶ୍ରଦ୍ଧାର ସହିତ ଭରଣପୋଷଣ କରିବା ଯେ ପୁତ୍ରର ପ୍ରଥମ ଦାୟିତ୍ୱ ତାହା ସମସ୍ତେ ଭୁଲି ଗଲେଣି। ଶ୍ରୀ ଶ୍ରୀ ଠାକୁର କହନ୍ତି, ”ଜନକ-ଜନନୀ ଜନ୍ମଭୂମିରେ ନିଷ୍ଠା-ଶ୍ରଦ୍ଧା ନାହିଁ, ଯାହାର/ଦୁଷ୍ଟକ୍ରମୀ ହୋଇ ଚାଲେ ଅନ୍ତର ବାହାର ପ୍ରାୟ ହିଁ ତାହାର।“ ସମ୍ପ୍ରତି ଭାରତ ସରକାର ଏକ ନୂତନ ଆଇନ ପ୍ରଣୟନ କରିଛନ୍ତି, ଯାହାଦ୍ୱାରା ମାତାପିତାଙ୍କ ଭରଣପୋଷଣରେ ଅବହେଳା କରୁଥିବା ବ୍ୟକ୍ତିଙ୍କୁ ଦଣ୍ଡିତ କରିବାର ବ୍ୟବସ୍ଥା କରାଯାଇଛି। ଏକ ସ୍ବାଗତଯୋଗ୍ୟ ପଦକ୍ଷେପ ନିଶ୍ଚୟ। କାରଣ ପିତୃକୃଷ୍ଟିର ପୁନର୍ଜାଗରଣ ନ ହେଲେ, ଆଦର୍ଶ ପିତୃଭକ୍ତ, ଆଦର୍ଶ ମାତୃଭକ୍ତ ସୃଷ୍ଟି ନ ହେଲେ ଭାରତବର୍ଷ ତାହାର ପୂର୍ବ ଗୌରବ ଫେରିପାଇବ ନାହିଁ।
ପ୍ଲଟ ନଂ. ୫୦୬, ନୟାପଲ୍ଲୀ, ଭୁବନେଶ୍ୱର
ମୋ- ୯୪୩୭୨୮୭୯୬୪


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

କେଶ କାଟିବାକୁ ହେଲେ ସେଲୁନ୍‌ ଯିବାକୁ ପଡେ। ହେଲେ ସେଲୁନ୍‌ କେବେ ଲୋକଙ୍କ ପାଖକୁ ଆସିବା ଦେଖିଛନ୍ତି! ଅଜବ କଥା ଭଳି ଲାଗୁଥିଲେ ବି ଏମିତି...

ରୋବୋ ଯୁଦ୍ଧ

ଣସି ଯୁଦ୍ଧ ପାଇଁ ସୈନିକ ଏବଂ ଅସ୍ତ୍ରଶସ୍ତ୍ର ହେଉଛି ଅତି ଗୁରୁତ୍ୱପୂର୍ଣ୍ଣ। ପ୍ରାଚୀନ କାଳରେ ଖଣ୍ଡା, ତରବାରି ସାହାଯ୍ୟରେ ଯୁଦ୍ଧ ହେଉଥିଲା। ଏହା ଥିଲା ପ୍ରତ୍ୟକ୍ଷ...

ସନ୍ଦେହଘେରରେ ୟୁପିଏସ୍‌

କେନ୍ଦ୍ରୀୟ ଶ୍ରମିକ ସଙ୍ଗଠନଗୁଡ଼ିକର ସମର୍ଥନ ଓ ଭାଗୀଦାରିରେ ଜାତୀୟ ଯୁଗ୍ମ କାର୍ଯ୍ୟକାରିଣୀ ପରିଷଦ (ଏନ୍‌ଜେସିଏ) ଭଳି ଏକ ବୃହତ୍‌କାୟ ସର୍ବଭାରତୀୟ ମିଳିତ ମଞ୍ଚ ଅଧୀନରେ ରେଳ...

ପରିସ୍ଥିତିର ଦାସ

ରୁଷିଆ-ୟୁକ୍ରେନ ଯୁଦ୍ଧ ଡିସେମ୍ବର ୨୧ରେ ଏକ ଭିନ୍ନ ଚିତ୍ର ତୋଳିଛି। ୨୦୦୧ ସେପ୍ଟେମ୍ବର ୧୧ (୯/୧୧)ରେ ଓସମା ବିନ୍‌ ଲାଡେନ୍‌ଙ୍କ ସଙ୍ଗଠନ ଅଲ୍‌-କାଏଦା ଆମେରିକାର ବିଶ୍ୱ...

ଏଇ ଭାରତରେ

ବୟସ ୨୫, ହେଲେ ଜାସ୍‌ କାଲ୍‌ରାଙ୍କ କାର୍ଯ୍ୟ ଅତ୍ୟନ୍ତ ପ୍ରଶଂସନୀୟ ତଥା ପ୍ରେରଣାଦାୟକ। ଏହି ବୟସରେ ଜାସ୍‌ ଗୁରୁଗ୍ରାମରେ ଏକ ଆଶ୍ରୟସ୍ଥଳୀରେ ୧,୨୦୦ ଅସହାୟ ଲୋକଙ୍କୁ...

ନାଗା ସୃଜନ ନାୟିକା

ଏବେ ସାହିତ୍ୟରେ ଗୋଟେ ନୂଆ ଫର୍ମାଟ୍‌ ବିକଶିତ ହୋଇଛି। ପୁରୁଣା କଥାବସ୍ତୁ, ପୌରାଣିକ ଆଖ୍ୟାୟିକା, ଐତିହାସିକ ଘଟଣାବଳୀକୁ ଲେଖକମାନେ ନୂତନ ଢଙ୍ଗରେ ବ୍ୟାଖ୍ୟାନ କରି ବଡ଼...

ଗଣତନ୍ତ୍ରରେ ଦଳ ଓ ସରକାର

ଆମ ଦେଶ ଯେ ବିଶ୍ୱରେ ଏକ ସର୍ବବୃହତ୍‌ ଗଣତାନ୍ତ୍ରିକ ରାଷ୍ଟ୍ର ଭାବରେ ପରିଚିତ ଏଥିରେ ତିଳେମାତ୍ର ସନ୍ଦେହ ନାହିଁ। ୭୮ ବର୍ଷ ଧରି ନିରବଚ୍ଛିନ୍ନ ଭାବେ...

ଆଗକୁ କ’ଣ ଘଟିବ

୨୦୨୫ ବର୍ଷଟି ବିଭିନ୍ନ ଉପାୟରେ ଏକ ଗୁରୁତ୍ୱପୂର୍ଣ୍ଣ ବର୍ଷ ହେବ। ଡୋନାଲ୍ଡ ଟ୍ରମ୍ପ ଆସନ୍ତା ମାସରେ ପୁନର୍ବାର ଆମେରିକାର ରାଷ୍ଟ୍ରପତି ଭାବରେ ଦାୟିତ୍ୱ ଗ୍ରହଣ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri