ଜୀବିତ ରହିବା ପାଇଁ ପ୍ରାଚୀନ ମାନବ ଖାଉଥିଲା ଅନ୍ୟ ମାନବଙ୍କ ମାଂସ: ୧୫ ଲକ୍ଷ ବର୍ଷ ପୂରାତନ ହାଡ଼ରେ ଦାନ୍ତ ଚିହ୍ନ…

ନାଇରୋବି,୨୭।୬ : ଏକ ପ୍ରାଚୀନ ମାନବ ପ୍ରଜାତିର ହାଡ଼ରେ ମିଳିଥିବା କଟା ଦାଗ ସୂଚିତ କରୁଛି ଏହାକୁ ୧୫ ଲକ୍ଷ ବର୍ଷ ପୂର୍ବେ ଅନ୍ୟ ଜଣେ ମଣିଷ ଖାଇଥିଲା। ଏହା ମାନବ ନିଜ ଦଳର ଅନ୍ୟ ସଦସ୍ୟଙ୍କ ମାଂସ ଖାଇବା’ର ସର୍ବ ପୁରାତନ ପ୍ରମାଣ ବୋଲି ବିଶ୍ୱାସ କରାଯାଉଛି। ସ୍ମିଥସୋନିଆନ ନ୍ୟାଶନାଲ ମ୍ୟୁଜିୟମ ଅଫ ନାଚୁରାଲ ହିଷ୍ଟ୍ରିର ଗବେଷକମାନେ ହୋମୋ ସାପିଏନ୍ସ ସହିତ ଜଡିତ ପ୍ରଜାତିର ବାମ ଟିବିଆରେ ଏହି ଚିହ୍ନଗୁଡିକ ଆବିଷ୍କାର କରିଥିଲେ। ଏହି ପ୍ରଜାତି ବର୍ତ୍ତମାନର କେନିଆରେ ବାସ କରୁଥିଲେ। ୧୧ ଟି କଟା ଦାଗ ମଧ୍ୟରୁ ପ୍ରାୟ ୯ ଟି ପଥର ଉପକରଣ ଦ୍ୱାରା କରାଯାଇଥିବା ଦାଗ ସହିତ ମେଳ ହୋଇଥିବାବେଳେ ଅନ୍ୟ ଚିହ୍ନଗୁଡିକ ଦାନ୍ତ ଚିହ୍ନ ବୋଲି ଅନୁମାନ କରାଯାଉଛି।

ପ୍ରକଳ୍ପର ମୁଖ୍ୟ ଗବେଷକ ବ୍ରିଆନା ପୋବିନର୍‌ କହିଛନ୍ତି କଟା ଚିହ୍ନ ହତ୍ୟାକାରୀ ମାଂସ ଖାଇଥିବାର ପ୍ରମାଣ କରୁ ନାହିଁ, କିନ୍ତୁ ଏହା ଏକ ସମ୍ଭାବନା ହୋଇଥାଇପାରେ । ଏହି ଅସ୍ଥି ୧୯୭୦ରେ ପାଲୋଓଣ୍ଟ୍ରୋପୋଲୋଜିଷ୍ଟ ମେରି ଲିକିଙ୍କ ଦ୍ୱାରା ଆବିଷ୍କୃତ ହୋଇଥିଲା ଏବଂ ଏହା ପରେ କେନିଆର ନାଇରୋବି ସଂଗ୍ରହାଳୟରେ ରଖାଯାଇଥିଲା। ସମ୍ପ୍ରତି, ଯେତେବେଳେ ପୋବିନର୍‌ ପଶୁ କାମୁଡ଼ିବା ଚିହ୍ନ ଖୋଜି ଟିବିଆକୁ ପୁନଃ ସମୀକ୍ଷା କଲେ, ସେତେବେଳେ ସେ ନୂତନ ଏବଂ ରହସ୍ୟମୟ ଚିହ୍ନ ପାଇଲେ ।

ସେ ଏକ ବିବୃତ୍ତିରେ କହିଛନ୍ତି, ଆମକୁ ମିଳିଥିବା ସୂଚନାରୁ ଆମେ ଅନୁମାନ କରୁଛୁ ଆଜିକୁ ଅତି କମରେ ୧୪-୧୫ ଲକ୍ଷ ବର୍ଷ ପୂର୍ବେ ହୋମିନିନମାନେ ଅନ୍ୟ ହୋମିନିନଙ୍କୁ ଖାଉଥିଲେ। ପୋବିନର୍‌ କହିଛନ୍ତି, ହୁଏତ ଜୀବିତ ରହିବା ପାଇଁ ପ୍ରାଚୀନ ମାନବ ଅନ୍ୟ ମାନବଙ୍କ ମାଂସ ଖାଉଥାଇପାରେ।

ହାଡ଼ରେ ଥିବା ଏହି କଟା ଚିହ୍ନଗୁଡିକ ଖାଇବା ସମୟରେ ଦାନ୍ତ ଦ୍ୱାରା ସୃଷ୍ଟି ହୋଇଥିବା ପରି ଦେଖାଯାଉଛି। ଏଥିରୁ ଅନୁମାନ କରାଯାଉଛି ଗୋଡର ମାଂସ ଖିଆଯାଇଥିଲା। ତେଣୁ ଏହି ଜୀବାଶ୍ମ ପ୍ରାଚୀନ ମାନବର କ୍ୟାନିବ୍ୟାଲିଜିମର ଏକ ପ୍ରମାଣ ହୋଇପାରେ। ଗବେଷକମାନେ ପ୍ରମାଣ ପାଇଛନ୍ତି ଏହି ଜୀବାଶ୍ମ ମିଳିଥିବା ଅଞ୍ଚଳରେ ଅତି କମରେ ତିନିଟି ହୋମିନିନ ପ୍ରଜାତି ବାସ କରୁଥିଲେ। ସେଥିମଧ୍ୟରେ ହୋମୋ ଇରେକ୍ଟସ, ହୋମୋ ହାବିଲିସ ଏବଂ ପାରାଣ୍ଟ୍ରୋପସ ବୋଇସେ ସାମିଲ ଥିଲେ।

Share