ଦଶାଶ୍ୱମେଧ ଘାଟ ନିକଟରୁ ପ୍ରାଚୀନ ମୂର୍ତ୍ତି ଉଦ୍ଧାର

ଯାଜପୁର ଟାଉନ,୪ା୪(ଡି.ଏନ୍‌.ଏ.): ଯାଜପୁର ସହରସ୍ଥିତ ଦଶାଶ୍ୱମେଧ ଘାଟ ନିକଟ ବୈତରଣୀ ନଦୀରୁ ରବିବାର ସ୍ଥାନୀୟ ଲୋକଙ୍କ ଦ୍ୱାରା ବହୁ ପ୍ରାଚୀନ ମୂର୍ତ୍ତି ଉଦ୍ଧାର କରାଯାଇଛି। ଯାଜପୁର ସପ୍ତମାତୃକା ପୂଜକ ଭୋଳାନାଥ ପଣ୍ଡା ନଦୀରେ ଗାଧୋଉଥିବାବେଳେ ଏକ ଶିବଲିଙ୍ଗ ଉପରେ ତାଙ୍କ ଗୋଡ଼ ପଡ଼ି ଯାଇଥିଲା। ସେ ମୂର୍ତ୍ତିଟିକୁ ଉଦ୍ଧାର କରିବା ପରେ ସେହିଠାରେ ବିଭିନ୍ନ ପ୍ରାଚୀନ ମୂର୍ତ୍ତି ମିଳିଥିଲା। ଭଗ୍ନାଂଶ ମୂର୍ତ୍ତିଗୁଡ଼ିକ ମଧ୍ୟରୁ କାଳୀୟ ଦଳନ, ନରସିଂହ ଅବତାର, ନାରାୟଣ, ଚାମୁଣ୍ଡା କୃଷ୍ଣକାଳୀ ଓ ଭୈରବୀ ମୂର୍ତ୍ତି ଉଦ୍ଧାର କରାଯାଇଛି।
ସୂଚନାଯୋଗ୍ୟ, ଏଠାରେ ବ୍ୟାରେଜ୍‌ ନିର୍ମାଣ ହେଉଥିବା ବେଳେ ପୂର୍ବରୁ ବହୁ ପ୍ରାଚୀନ ମୂର୍ତ୍ତି ଉଦ୍ଧାର କରାଯାଇଥିଲା। ଏନେଇ ସ୍ଥାନୀୟ ଲୋକେ ପ୍ରଶାସନର ଦୃଷ୍ଟିଗୋଚର କରିଥିଲେ। ଫଳରେ ଜିଲା ପ୍ରଶାସନ ପ୍ରତ୍ନତାତ୍ତ୍ୱିକ ବିଭାଗକୁ ମୂର୍ତ୍ତି ଉଦ୍ଧାର କରିବା ସହ ଏହାର ତଦନ୍ତ କରିବା ପାଇଁ କହିଥିଲା। ମାତ୍ର ଏଦିଗରେ ପ୍ରତ୍ନତାତ୍ତ୍ୱିକ ବିଭାଗ କୌଣସି ପଦକ୍ଷେପ ଗ୍ରହଣ କରିନାହିଁ। ଏପରି କି ଉଦ୍ଧାର ମୂର୍ତ୍ତିିଗୁଡ଼ିକୁ ସଂଗ୍ରହାଳୟରେ ରଖିବା ବ୍ୟବସ୍ଥା ମଧ୍ୟ କରାଯାଇନାହିଁ। ତେଣୁ ଏଦିଗରେ ଜିଲାପାଳ ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକେ ଦାବି କରିଛନ୍ତି।

Share