ଭୁବନେଶ୍ୱର,୧୫।୭(ବ୍ୟୁରୋ): ପୁରୀ ଜିଲା କଣାସ ବ୍ଲକ ଅନ୍ତର୍ଗତ ସେବତୀପୁର-ପଶ୍ଚିମପାରି ଗ୍ରାମରେ ଅବହେଳିତ ଅବସ୍ଥାରେ ଥିବା ଏକ ପ୍ରାଚୀନ ମନ୍ଦିରର ସନ୍ଧାନ ମିଳିଛି। ରିଡିସ୍କଭର ଲଷ୍ଟ ହେରିଟେଜ ଗ୍ରୁପ୍ ଓ ହେରିଟେଜ ଆଣ୍ଡ କଲ୍ଚର କ୍ଲବ, ଆଇଆଇଟିଟିଏମ୍ ଅନୁଷ୍ଠାନର ଏକ ମିଳିତ ଐତିହ୍ୟ-ଅନୁସନ୍ଧାନକାରୀ ଦଳ ଏହି ପୁରାତନ ମନ୍ଦିରରେ ପହଞ୍ଚତ୍ ପ୍ରାଥମିକ ପର୍ଯ୍ୟବେକ୍ଷଣ କରିଛନ୍ତି। ଏ ନେଇ ହେରିଟେଜ ଗ୍ରୁପ ସଦସ୍ୟ ତଥା ଐତିହ୍ୟ ଗବେଷକ ଦୀପକ କୁମାର ନାୟକଙ୍କ ମତରେ ଗଠନଶୈଳୀ ଦୃଷ୍ଟିରୁ ଏହି ମନ୍ଦିରଟି ପ୍ରାୟ ୩୦୦ରୁ ୪୦୦ ବର୍ଷ ତଳେ ନିର୍ମାଣ ହୋଇଥିବା ପରି ମନେ ହୁଏ। ଖୋର୍ଦ୍ଧାଗଡ଼ ଅଞ୍ଚଳରେ ଭୋଇବଂଶୀୟ ରାଜାଙ୍କ ସମୟରେ ନିର୍ମିତ ମନ୍ଦିର ସମୂହ ସହିତ ଏହି ମନ୍ଦିରର ନିର୍ମାଣ ଶୈଳୀ ତୁଳନୀୟ। ବର୍ତ୍ତମାନ ଏହା ପରିତ୍ୟକ୍ତ ଅବସ୍ଥାରେ ଅଛି, ଏହାର ପୁନରୁଦ୍ଧାର କରିବା ଜରୁରୀ ହୋଇପଡ଼ିଛି। ଅନ୍ୟପଟେ ସ୍ଥାନୀୟ ଲୋକେ ଏହାକୁ ‘ଅମୁହଁା ଦେଉଳ’ ବୋଲି କୁହନ୍ତି। ମନ୍ଦିରରେ କୌଣସି ଦେବଦେବୀ ପୂଜା ପାଉନାହାନ୍ତି। ତେବେ ପାର୍ଶ୍ୱ ଦେବତା ଭାବେ ନୃସିଂହ, ବରାହ ଓ ତ୍ରିବିକ୍ରମଙ୍କ ଉପସ୍ଥିତି ଏହାକୁ ଏକ ବୈଷ୍ଣବ ମନ୍ଦିର ବୋଲି ସୂଚନା ଦେଉଛି। ମନ୍ଦିରରେ କେଉଁ କାରଣରୁ ମୁଖ୍ୟ ଦେବତା ଅନୁପସ୍ଥିତ ଠିକ୍ ଭାବେ କହିବା କଷ୍ଟକର।
ତେବେ ଭୋଇ ରାଜୁତି ସମୟରେ ବାରମ୍ବାର ମୋଗଲ ସେନାମାନଙ୍କ ଆକ୍ରମଣ ଭୟରେ ହୁଏତ ମୁଖ୍ୟ ବିଗ୍ରହକୁ କେଉଁଠି ଲୁଚାଇ ଦିଆଯାଇଥିଲା ବୋଲି ଗବେଷକ ନାୟକ କହିଛନ୍ତି। ବର୍ତ୍ତମାନ ଏହି ମନ୍ଦିରର ସ୍ଥିତି ଅତ୍ୟନ୍ତ ଦୟନୀୟ। ମନ୍ଦିର ଶିଖର ଦେଶରେ ଅନେକ ଗୁଡିଏ ଗଛ ଉଠିରହିଛି। ଯାହାକି ଏହା ମନ୍ଦିରର ସ୍ଥିତି ଉପରେ ବିପଦ ସୃଷ୍ଟି କରିଛି।
ଅବସରରେ ଆଇଆଇଟିଟିଏମ୍ର ଆସୋସିଏଟ ପ୍ରଫେସର ଡ. ଆଦ୍ୟାଶା ଦାଶ କହିଛନ୍ତି, ସ୍ଥାନୀୟ ଅଧିବାସୀଙ୍କ ମଧ୍ୟରେ ଐତିହ୍ୟ ପ୍ରତି ସଚେତନତା ସୃଷ୍ଟି କରିବା ପାଇଁ ଆମେ ଏଭଳି କାର୍ଯ୍ୟକ୍ରମ ହାତକୁ ନେଇଛୁ। ଅନୁଷ୍ଠାନର ଛାତ୍ରୀଛାତ୍ର ଓ ରିଡିସ୍କୋଭର ଲଷ୍ଟ ହେରିଟେଜ ଗ୍ରୁପର ସଦସ୍ୟମାନେ ମିଶି ଏହିପରି ଆହୁରି ଅନେକ ଅଜଣା ଐତିହ୍ୟସମ୍ପନ୍ନ ସ୍ଥାନ ସବୁକୁ ଚିହ୍ନଟ କରିଛୁ, ସେ ସବୁର ସଂରକ୍ଷଣ ଓ ପ୍ରଚାର ପ୍ରସାର ପାଇଁ ଯଥାସମ୍ଭବ ପ୍ରୟାସ କରିବୁ। ଏହିପରି ସ୍ଥାନ ସବୁର ଉନ୍ନତୀକରଣ ହୋଇପାରିଲେ ପରୋକ୍ଷରେ ସ୍ଥାନୀୟ ଅଧିବାସୀଙ୍କ ପାଇଁ ମଧ୍ୟ ରୋଜଗାରର ପନ୍ଥା ସୃଷ୍ଟି କରିପାରିବ। କାର୍ଯ୍ୟକ୍ରମରେ ଇନ୍ଟାକର ପ୍ରକଳ୍ପ ସଂଯୋଜକ ଐତିହାସିକ ଅନିଲ ଧୀର ଯୋଗଦେଇ କହିଛନ୍ତି, ତୁରନ୍ତ ରାଜ୍ୟ ସରକାର ପ୍ରତ୍ନତତ୍ତ୍ୱ ବିଭାଗକୁ ସ୍ଥାନଟିର ପ୍ରତ୍ନତାତ୍ତ୍ୱିକ ସର୍ଭେ କରୁ। ଏହି ମନ୍ଦିରକୁ ଅତି ସହଜରେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ପୁନରୁଦ୍ଧାର କରିପାରିବ। ମନ୍ଦିରର ଗର୍ଭଗୃହ ଓ ଜଗମୋହନର ସ୍ଥିତି ବିଶେଷ ଖରାପ ନାହିଁ, ସେଥିପାଇଁ କାର୍ଯ୍ୟ କରିବା ସେତେଟା କଷ୍ଟକର ହେବ ନାହିଁ ବୋଲି ସେ କହିଛନ୍ତି। ରାଜ୍ୟରେ ପ୍ରାୟ ୫୦୦୦ରୁ ଅଧିକ ଐତିହ୍ୟସଂପନ୍ନ ସ୍ଥାନ ଥିବାବେଳେ ରାଜ୍ୟ ପ୍ରତ୍ନତତ୍ତ୍ୱ ବିଭାଗ ମାତ୍ର ୩୦୦ରୁ କମ୍ କେତୋଟି ସ୍ଥାନକୁ ରାଜ୍ୟ-ସଂରକ୍ଷିତ ସ୍ଥାନର ମାନ୍ୟତା ଦେବା ଅତ୍ୟନ୍ତ ଉଦବେଗର ବିଷୟ ବୋଲି ଶ୍ରୀ ଧୀର ପ୍ରକାଶ କରିଛନ୍ତି।