Categories: ଜାତୀୟ

କର୍ନାଟକ କୃଷ୍ଣାନଦୀରୁ ମିଳିଲା ରାମଲାଲାଙ୍କ ଭଳି ଅବିକଳ ଦିଶୁଥିବା ପ୍ରାଚୀନ ବିଷ୍ଣୁ ମୂର୍ତ୍ତି, ଚାରିପାର୍ଶ୍ୱରେ ଦଶାବତାରର ଝଲକ…

ବାଙ୍ଗାଲୋର,୭।୨: କର୍ନାଟକ ରାଇଚୁର ଜିଲା କୃଷ୍ଣାନଦୀ ଗର୍ଭରୁ ବୁଧବାର ପ୍ରଭୁ ବିଷ୍ଣୁଙ୍କ ପ୍ରାଚୀନ ମୂର୍ତ୍ତି ମିଳିଛି। ଏହା ଅଯୋଧ୍ୟାର ନବନିର୍ମିତ ମନ୍ଦିରରେ ପୂଜା ପାଉଥିବା ରାମଲାଲାଙ୍କ ମୂର୍ତ୍ତି ଭଳି ଅବିକଳ ଦିଶୁଥିବା କୁହାଯାଉଛି। ମୂର୍ତ୍ତିଟି ବିଷ୍ଣୁଙ୍କ ଦଶାବତାର ପ୍ରତିମୂର୍ତ୍ତି ବୋଲି ଜଣାପଡିଛି। ତେବେ ଏହି ମୂର୍ତ୍ତିଟି ଖୁବ ପ୍ରାଚୀନ ହୋଇଥିବା ବେଳେ ଏହାକୁ ଇସଲାମିକ ଆକ୍ରମଣକାରୀଙ୍କଠାରୁ ରକ୍ଷା କରିବା ପାଇଁ ନଦୀ ଶଯ୍ୟାରେ ରଖାଯାଇଥିବା ଅନୁମାନ କରାଯାଉଛି।

ସୂଚନାନୁଯାୟୀ, ରାଇଚୁର ଜିଲାର ଶକ୍ତି ନଗର ନିକଟରେ କୃଷ୍ଣା ନଦୀ ଉପରେ ଏକ ସେତୁ ନିର୍ମାଣ କରାଯାଉଛି। ଏହି ସମୟରେ ନଦୀ ଶଯ୍ୟାରୁ ଭଗବାନ ବିଷ୍ଣୁଙ୍କ ମୂର୍ତ୍ତି ସହ ଏକ ଶିବଲିଙ୍ଗ ମିଳିଛି। ମିଳିଥିବା ବିଷ୍ଣୁ ମୂର୍ତ୍ତି ଅଯୋଧ୍ୟା ରାମ ମନ୍ଦିରରେ ପ୍ରତିଷ୍ଠା କରାଯାଇଥିବା ରାମଲାଲାଙ୍କ ପ୍ରତିମୂର୍ତ୍ତି ଭଳି ଦେଖାଯାଉଛି। ମିଳିଥିବା ମୂର୍ତ୍ତିର ଚାରିପାଖରେ ଦଶାବତାର ଚିତ୍ର ଖୋଦିତ ହୋଇଛି ଯାହାକି ଅବିକଳ ସେହି ପ୍ରତିମୂର୍ତ୍ତି ଭଳି ଦୃଶ୍ୟମାନ ହେଉଛି।

ପ୍ରତିମୂର୍ତ୍ତି ନେଇ ଐତିହାସିକ ପଦ୍ମଜା ଦେଶାଇ କହିଛନ୍ତି ଯେ, ମୂର୍ତ୍ତିଟି ଏକାଦଶ ଶତାବ୍ଦୀର। ମୂର୍ତ୍ତିର ଚାରିପାର୍ଶ୍ୱରେ ବିଷ୍ଣୁଙ୍କ ଦଶାବତାର- ମତ୍ସ୍ୟ, କଚ୍ଛପ, ବରାହ, ବାମନ, ନୃସିଂହ, ପର୍ଶୁରାମ, ରାମ, ବଳରାମ, ବୁଦ୍ଧ ଓ କଳ୍କୀଙ୍କ ଅବତାର ଖୋଦେଇ ହୋଇଛି। ପ୍ରତିମୂର୍ତ୍ତିରେ ବିଷ୍ଣୁଙ୍କର ଚାରିଟି ବାହୁ ଅଛି, ଉପର ଦୁଇ ହାତରେ ଶଙ୍ଖ ଏବଂ ଚକ୍ର ଥିବାବେଳେ ତଳ ହାତରେ ଆଶୀର୍ବାଦ ଦେବା ଭଳି ମୁଦ୍ରା ରହିଛି। ଏହି ମୂର୍ତ୍ତି ଭେଙ୍କଟେଶ୍ୱରଙ୍କ ସହିତ କିଛିଟା ମେଳ ଖାଉଥିଲେ ହେଁ ଏଥିରେ ସାମାନ୍ୟ ପାର୍ଥକ୍ୟ ଦେଖିବାକୁ ମିଳିଛି। ଏହି ପ୍ରତିମା ନିଶ୍ଚିତ ଭାବରେ ଗର୍ଭଗୃହରେ ସ୍ଥାପନ କରାଯାଇଥିଲା। ତେବେ ଆକ୍ରମଣକାରୀଙ୍କ ଠାରୁ ରକ୍ଷା କରିବା ପାଇଁ ଏହାକୁ ନଦୀ ଶଯ୍ୟାରେ ରଖାଯାଇଥାଇପାରେ। ଏହି ମୂର୍ତ୍ତି ଓ ଶିବଲିଙ୍ଗଙ୍କୁ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ଅଫ ଇଣ୍ଡିଆ(ଏଏସ୍‌ଆଇ)କୁ ହସ୍ତାନ୍ତର କରାଯାଇଛି।

Share