ନୀଳମାଧବଙ୍କ ଚନ୍ଦନ ପୁଷ୍କରିଣୀରୁ ମିଳିଲା ପୁରାତନ ଚକ୍ର

ଖଣ୍ଡପଡ଼ା,୧ା୫(ସ୍ବ.ପ୍ର.): କଣ୍ଟିଲୋ ଶ୍ରୀ ନୀଳମାଧବଙ୍କ ଚନ୍ଦନ ପୁଷ୍କରିଣୀରୁ ରବିବାର ଶହେ ବର୍ଷର ପୁରାତନ ମଣିଖମ୍ବର ଚକ୍ର ଉଦ୍ଧାର କରାଯାଇଛି। ଚନ୍ଦନ ପୋଖରୀର ନବୀକରଣ କାମ ଚାଲିଛି। ରବିବାର ଅପରାହ୍ନରେ ପୁଷ୍କରିଣୀ ପାର୍ଶ୍ୱରେ ବାସ କରୁଥିବା ହାଟମୁଣ୍ଡ ପାଟଣା ଗ୍ରାମର ଜଣେ କଂସା ପିତଳ କାରିଗର ପ୍ରଦୀପ କୁମାର ମହାପାତ୍ର କୌଣସି କାମରେ ପୁଷ୍କରିଣୀକୁ ଯାଇଥିଲେ। ସେଠାରେ ପଙ୍କରେ ପୋତି ହୋଇ ରହିଥିବା ଚକ୍ରର କିଛି ଅଂଶ ଦେଖିବାକୁ ପାଇଥିଲେ। କୌତୁହଳ ବଶତଃ ସେ ଉକ୍ତ ଚକ୍ରକୁ ବାହାର କରିଥିଲେ। ଏହାପରେ ଉକ୍ତ ଚକ୍ର ସହ ଦଧିନଉତିକୁ ଉଦ୍ଧାର କରିଥିଲେ। ଚକ୍ରଟିକୁ ସଫା କରିବା ପରେ ତାହା ଅଷ୍ଟଧାତୁରେ ନିର୍ମିତ ହୋଇଥିବା ମହାପାତ୍ର ସୂଚନା ଦେଇଥିଲେ। ପରେ ସେ ନୀଳମାଧବ ପୂଜକ ସମାଜର ସଭାପତି ସଚ୍ଚିଦାନନ୍ଦ ମିଶ୍ର, ସମ୍ପାଦକ ନୀଳମାଧବ ମିଶ୍ରଙ୍କୁ ଅବଗତ କରିବା ସହ ନୀଳମାଧବ ମନ୍ଦିର ଦେବୋତ୍ତର ମ୍ୟାନେଜର ହରିହର ଦାଶଙ୍କୁ ଅବଗତ କରାଇଥିଲେ।ଉକ୍ତ ଚକ୍ରକୁ ଦେଖିବାକୁ ଭିଡ଼ ଲାଗି ରହିଥିଲା। ଉଦ୍ଧାର ପରେ ଉକ୍ତ ଚକ୍ରକୁ ସନ୍ଧ୍ୟାରେ ପୋଖରୀ ପାର୍ଶ୍ୱ ନୀଳମାଧବ ଜୀଉଙ୍କ ଚନ୍ଦନ ଚକଡା (ଚାପ ମନ୍ଦିର)ରେ ରଖାଯାଇଛି।
ସୂଚନାଯୋଗ୍ୟ ଉକ୍ତ ଚକ୍ର ୧୯୬୫ରେ ଭାଙ୍ଗି ପୋଖରୀରେ ପଡ଼ିଥିଲା।

Share