Categories: Uncategorized

ଆଉ ୪ ଦିନିଆ ରିମାଣ୍ଡରେ ୩ ଅଭିଯୁକ୍ତ

ଭୁବନେଶ୍ୱର,୧୨।୭(ସତ୍ୟଜିତ୍‌ ରାଉତ):  ବାଲେଶ୍ୱର ଜିଲାର ବହୁ ଚର୍ଚ୍ଚିତ ବାହାନଗା ଟ୍ରେନ ଦୁର୍ଘଟଣା ମାମଲାରେ ସିବିଆଇ ଅଧିକ ଖୋଳତାଡ଼ ଚଳାଇଛି। ତେବେ ଗିରଫ ହୋଇଥିବା ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ, ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାନ୍‌ ଏବଂ ଟେକ୍ନିସିଆନ୍‌ ପପୁ କୁମାରଙ୍କ ୫ ଦିନିଆ ରିମାଣ୍ଡ ଅବଧି ମଙ୍ଗଳବାର ସରିଛି। ପରେ ପୁଣି ଥରେ ୩ ଅଭିଯୁକ୍ତଙ୍କୁ ଦ୍ୱିତୀୟ ପର୍ଯ୍ୟାୟରେ ୪ ଦିନିଆ ରିମାଣ୍ଡରେ ଆଣିଛି ସିବିଆଇ। ଶୁକ୍ରବାରଠାରୁ ୫ ଦିନିଆ ରିମାଣ୍ଡରେ ଆସିଥିବା ୩ ଅଭିଯୁକ୍ତଙ୍କ ରିମାଣ୍ଡ ଅବଧି ମଙ୍ଗଳବାର ସରିବା ପରେ ସିବିଆଇ ଟିମ୍‌ ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ସେମାନଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲା। ପରେ ସମସ୍ତଙ୍କୁ ସ୍ବତନ୍ତ୍ର ସିବିଆଇ କୋର୍ଟରେ ହାଜର କରାଯାଇଥିଲା। ତେବେ ଆଉ କିଛି ତଥ୍ୟ ହାସଲ ପାଇଁ ୩ ଅଭିଯୁକ୍ତଙ୍କୁ ପୁନର୍ବାର ୫ ଦିନିଆ ରିମାଣ୍ଡରେ ନେବା ପାଇଁ ସିବିଆଇ ଓକିଲ ଆବେଦନ କରିଥିଲେ। ଏହି ଆବେଦନକୁ କୋର୍ଟ ଗ୍ରହଣ କରି ୪ ଦିନିଆ ରିମାଣ୍ଡ ଅନୁମତି ଦେଇଥିଲେ। ତେବେ ସମନ ହୋଇଥିବା ଷ୍ଟେଶନ ମାଷ୍ଟରଙ୍କ ସମେତ ୩ ଅଭିଯୁକ୍ତଙ୍କୁ ମୁହାଁମୁହିଁ ଜେରା କରିବାକୁ ସିବିଆଇ ଯୋଜନା କରିଥିବା ସୂଚନା ମିଳିଛି। ଅପରପକ୍ଷରେ ସିନିୟର ସେକ୍ସନ ଇଞ୍ଜିନିୟର ଅରୁଣ କୁମାର ମହାନ୍ତ ଓ ସେକ୍ସନ ଇଞ୍ଜିନିୟର ମହମ୍ମଦ ଅମିର ଖାନ୍‌ଙ୍କ ପକ୍ଷରୁ କୋର୍ଟରେ ଜାମିନ ଆବେଦନ କରାଯାଇଛି। ତେବେ ଏହି ଜାମିନ ଆବେଦନକୁ ସିବିଆଇ ପକ୍ଷରୁ ବିରୋଧ କରାଯାଇ ବିଭିନ୍ନ ଦିଗକୁ ନେଇ ଯୁକ୍ତି ଉପସ୍ଥାପନ କରାଯାଇଛି। ଜାମିନ ଆବେଦନର ଶୁଣାଣି କୋର୍ଟ ପରବର୍ତ୍ତୀ ସମୟରେ କରିବେ। ଦ୍ୱିତୀୟ ପର୍ଯ୍ୟାୟରେ ଅଭିଯୁକ୍ତଙ୍କଠାରୁ ଦୁର୍ଘଟଣା ପଛର ପ୍ରକୃତ ସତ ଜାଣିବା ପାଇଁ ସିବିଆଇ ଟିମ୍‌ ପ୍ରୟାସ କରିବ। ଏହି ଦୁର୍ଘଟଣାକୁ ସେମାନେ ଜାଣିଜାଣି କରିଥିଲେ କି, ଏହା ପଛରେ ବଡ଼ ଷଡ଼ଯନ୍ତ୍ର ରହିଛି କି, ଆଉ କେତେଜଣ ରେଲଓ୍ବେ ଅଧିକାରୀ ଏହି ଦୁର୍ଘଟଣାରେ ସମ୍ପୃକ୍ତ ଅଛନ୍ତି ଏଭଳି ବିଭିନ୍ନ ପ୍ରଶ୍ନ ଓ ଦିଗକୁ ନେଇ ସିବିଆଇ ତଥ୍ୟ ହାସଲ କରିବାକୁ ଆଶା ରଖିଛି। ସେପଟେ ଅଭିଯୁକ୍ତମାନେ ଗଣମାଧ୍ୟମର ପ୍ରଶ୍ନରେ ଚୁପ୍‌ ରହିବା ନେଇ ଉକ୍ତ ଘଟଣାରେ ସେମାନଙ୍କ ସମ୍ପୃକ୍ତି ଥିବା ସନ୍ଦେହକୁ ଦୃଢ କରୁଛି। ଅଭିଯୁକ୍ତମାନଙ୍କ ନାମରେ ପ୍ରାଥମିକ ତଦନ୍ତ ଆଧାରରେ ଆଇପିସି ଦଫା ୩୦୪ (ହତ୍ୟା ଉଦ୍ଦେଶ୍ୟ ନ ଥାଇ ମରଣ ମୁହଁକୁ ଠେଲିଦେବା), ୨୦୧ (ପ୍ରମାଣ ନଷ୍ଟ) ଏବଂ ୧୫୩ ରେଲ୍‌ୱେ ଆକ୍ଟ ରୁଜୁ କରାଯାଇଛି। ଯଦି ଦୁର୍ଘଟଣା ସେମାନଙ୍କ ଜାଣତରେ ହୋଇଥିବ ତେବେ ଚାର୍ଜଶିଟ୍‌ ଦାଖଲ ସମୟରେ ସେମାନଙ୍କ ବିରୋଧରେ ଆଇପିସିର ହତ୍ୟା ଦଫା ମଧ୍ୟ ଲାଗିପାରିବ ବୋଲି ଜଣେ ବରିଷ୍ଠ ପୋଲିସ ଅଧିକାରୀ କହିଛନ୍ତି। ସୂଚନାଯୋଗ୍ୟ, ଜୁନ ୨ ତାରିଖ ସାରେ ଏହି ଭୟଙ୍କର ଟ୍ରେନ୍‌ ଦୁର୍ଘଟଣା ଘଟିଥିଲା। ଏଥିରେ ମୃତ୍ୟୁ ସଂଖ୍ୟା ୨୯୩ ଛୁଇଁଥିବାବେଳେ ଏବେ ବି ଅନେକ ଆହତ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଚିକିତ୍ସାଧୀନ ଅଛନ୍ତି।