ଭଦ୍ରକ ଅଫିସ,୧୫।୪: ଭଦ୍ରକ ରାନ୍ଦିଆସ୍ଥିତ ଫେକର କମ୍ପାନୀରେ ଗତ ମଙ୍ଗଳବାର ଫର୍ନେସ ଚାର୍ଜିଂ ବେଳେ ନିଅଁା ଲାଗି ୨ ଅପରେଟର ଗୁରୁତର ହେବା ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଆଇନ ଶୃଙ୍ଖଳା ପରିସ୍ଥିତି ପାଇଁ ପ୍ରଶାସନ ପକ୍ଷରୁ ଗତ ୧୨ ତାରିଖ ସକାଳ ୬ଟାରୁ ଜାରି କରାଯାଇଥିବା ୧୪୪ ଧାରାକୁ ଆଉ ୪୮ ଘଣ୍ଟା ବୃଦ୍ଧି କରାଯାଇଛି। ଶୁକ୍ରବାର ସକାଳ ୬ଟାରୁ ଆସନ୍ତା ୧୬ ତାରିଖ ସକାଳ ୬ଟା ପର୍ଯ୍ୟନ୍ତ ୧୪୪ ଧାରା ବଳବତ୍ତର ରହିବ ବୋଲି ସବ୍ଡିଭିଜନାଲ ମାଜିଷ୍ଟ୍ରେଟ ମନୋଜ ପାତ୍ର ନିର୍ଦ୍ଦେଶ ଦେଇଛନ୍ତି।
ପ୍ରକାଶଥାଉ କି, କମ୍ପାନୀରେ ଘଟିଥିବା ଦୁର୍ଘଟଣା ପାଇଁ କର୍ତ୍ତୃପକ୍ଷଙ୍କ ଅବହେଳାକୁ ଦାୟୀ କରି ଉତ୍ତ୍ୟକ୍ତ ଲୋକେ ଫାଟକ ଆଗରେ ଟାୟାର ଜାଳିବା, ରାସ୍ତା ଅବରୋଧ କରିବା ସହ ପୋଲିସ ଓ ଜନତା ମୁହଁାମୁହିଁ ସ୍ଥିତି ସୃଷ୍ଟି ହୋଇଥିଲା। ଆଇନଶୃଙ୍ଖଳା ପରିସ୍ଥିତିକୁ ଲକ୍ଷ୍ୟ କରି ଜିଲା ପ୍ରଶାସନ ପକ୍ଷରୁ ଗତ ୧୨ ତାରିଖ ସକାଳ ୬ଟାରୁ ଶୁକ୍ରବାର ସକାଳ ୬ଟା ପର୍ଯ୍ୟନ୍ତ କମ୍ପାନୀ ଫାଟକ ଓ ପାଚେରୀର ୨୦୦ ମିଟର ପରିଧି ମଧ୍ୟରେ ୧୪୪ ଧାରା ଜାରି କରାଯାଇଥିଲା। ଏସ୍ଡିପିଓ ସୌରଭ ଓତା, ସିଟି ଡିଏସ୍ପି ଅଂଶୁମାନ ଦ୍ୱିବେଦୀ, ଡିଏସ୍ପି ଡିଆଇବି କମଳ ଲୋଚନ ଭୂୟଁା, ଗ୍ରାମାଞ୍ଚଳ ଥାନାଧିକାରୀ ଅମିତାଭ ଦାଶଙ୍କ ନେତୃତ୍ୱରେ ପୋଲିସ ଫୋର୍ସ ମୁତୟନ ରହିଛନ୍ତି।