ମୁଖ୍ୟମନ୍ତ୍ରୀଙ୍କୁ ଧର୍ମେନ୍ଦ୍ରଙ୍କ ଚିଠି: ରାଜ୍ୟରେ ଲାଗୁ ହେଉ ଆୟୁଷ୍ମାନ୍‌ ଭାରତ

ଭୁବନେଶ୍ୱର,୧୩।୯(ବ୍ୟୁରୋ): କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ରାଜ୍ୟରେ ଜାତୀୟ ଡିଜିଟାଲ ସ୍ବାସ୍ଥ୍ୟ ମିଶନ(ଏନ୍‌ଡିଏଚ୍‌ଏମ୍‌) ଏବଂ ଆୟୁଷ୍ମାନ ଭାରତ ଯୋଜନା ଲାଗୁ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି। ଧର୍ମେନ୍ଦ୍ର ଚିଠିରେ ଉଲ୍ଲେଖ କରିଛନ୍ତି ଯେ, ଏହି ଯୋଜନାଗୁଡିକ ରାଜ୍ୟବାସୀଙ୍କ ଜୀବନରେ ଉନ୍ନତି ଆଣିବ। ଚଳିତ ବର୍ଷ ସ୍ବାଧୀନତା ଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନୂଆଦିଲ୍ଲୀର ଲାଲକିଲ୍ଲାରୁ ଜାତୀୟ ଡିଜିଟାଲ ସ୍ବାସ୍ଥ୍ୟ ମିଶନ ଶୁଭାରମ୍ଭ କରିଥିଲେ। ଏହି ମିଶନ ଟେକ୍ନୋଲୋଜି ମାଧ୍ୟମରେ ରାଜ୍ୟର ପ୍ରବାସୀଙ୍କ ସମେତ ଦେଶର ସମସ୍ତ ନାଗରିକଙ୍କୁ ସ୍ବାସ୍ଥ୍ୟ ସୁବିଧା ଯୋଗାଇଦେବାରେ ସହାୟକ ହେବ। ସ୍ବତନ୍ତ୍ର ସ୍ବାସ୍ଥ୍ୟସେବା ଆଇଡି ଦ୍ୱାରା ଦେଶର ପ୍ରତ୍ୟେକ ନାଗରିକ ସବୁ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ସୂଚନା ଯଥା ମେଡିକାଲ ପରୀକ୍ଷା, ପୂର୍ବ ଔଷଧୀୟ ସୂଚୀ, ରୋଗ ନିରାକରଣ, ଚିକିତ୍ସା ଉପଚାର, ସବୁ ସ୍ବାସ୍ଥ୍ୟସେବା ରେକର୍ଡର ସୁବିଧା ପାଇପାରିବେ। ସମସ୍ତଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଦିଆଯିବା ଦିଗରେ ମଧ୍ୟ ଜାତୀୟ ଡିଜିଟାଲ ସ୍ବାସ୍ଥ୍ୟ ମିଶନ ଅଗ୍ରସର ହେବ ବୋଲି ସେ କହିଛନ୍ତି। କୋଭିଡ୍‌-୧୯ ମହାମାରୀରେ ବାହାରେ କାମ କରୁଥିବା ଲୋକମାନେ ଏହି ସାମାଜିକ କଲ୍ୟାଣକାରୀ ଯୋଜନା ପାଇବାରେ ଅସୁବିଧା ଭୋଗୁଛନ୍ତି। ଦେଶବ୍ୟାପୀ ସ୍ବତନ୍ତ୍ର ସ୍ବାସ୍ଥ୍ୟସେବା ପରିଚୟ ପ୍ରବାସୀ ତଥା ବାହାରେ କାମ କରୁଥିବା ଲୋକଙ୍କୁ ଲାଭ ଦେବ। ଏହାଦ୍ୱାରା ସ୍ବାସ୍ଥ୍ୟସେବା ପାଉ ନ ଥିବା ଦୁର୍ଗମ ଅଞ୍ଚଳରେ ରହୁଥିବା ଲୋକମାନେ ମଧ୍ୟ କମ୍‌ ମୂଲ୍ୟରେ ଉତ୍ତମ ସ୍ବାସ୍ଥ୍ୟସେବାର ସୁବିଧା ପାଇପାରିବେ। ଜାତୀୟ ଡିଜିଟାଲ ସ୍ବାସ୍ଥ୍ୟ ମିଶନ ସ୍ବାସ୍ଥ୍ୟସେବା ପ୍ରଦାନ କରୁଥିବା ସଂସ୍ଥାକୁ ମଧ୍ୟ ସଶକ୍ତ କରିବ। ଏହାକୁ କେନ୍ଦ୍ରଶାସିତ ଅଞ୍ଚଳ ଯଥା ଚଣ୍ଡିଗଡ଼, ଲଦାଖ, ଦାଦ୍ରା ଏବଂ ନଗର ହାବେଳି, ଡାମନ ଏବଂ ଡିଉ, ପୁଡୁଚେରୀ, ଆଣ୍ଡାମାନ ଏବଂ ନିକୋବର ଦ୍ୱୀପପୁଞ୍ଜ ଲାକ୍ଷାଦ୍ୱୀପରେ ପାଇଲଟ୍‌ ମୋଡ୍‌ରେ ଲାଗୁ କରାଯାଉଛି। ଏହାଦ୍ୱାରା ଓଡ଼ିଶାର ୬୦ ଲକ୍ଷରୁ ଊର୍ଦ୍ଧ୍ୱ ହିତାଧିକାରୀଙ୍କ ସମେତ ଦେଶର ୫୦ କୋଟି ଲୋକଙ୍କୁ ଅନ୍ତର୍ଭୁକ୍ତ କରିବାର ଯୋଜନା ରହିଛି। ଏହାକୁ ଲାଗୁ କରାଗଲେ ଓଡ଼ିଶାର ଲୋକମାନେ ଠିକ୍‌ ସମୟରେ କମ୍‌ ମୂଲ୍ୟରେ ସ୍ବାସ୍ଥ୍ୟସେବା ପାଇପାରିବେ ବୋଲି ଧର୍ମେନ୍ଦ୍ର ଉଲ୍ଲେଖ କରିଛନ୍ତି।

Share