ଲୁଧିଆନା, ୨।୧:ଲୋକପ୍ରିୟ ଗାୟକ ଏବଂ ଅଭିନେତା ଦିଲଜିତ୍ ଦୋସାଞ୍ଜ ପୁଣି ବିବାଦରେ ଫସିଛନ୍ତି। ଜିରୋନାଇଟ ଉପଲକ୍ଷେ ମଙ୍ଗଳବାର ରାତିରେ ପଞ୍ଜାବ ଏଗ୍ରିକଲ୍ଚର ୟୁନିଭର୍ସିଟିରେ ହେଉଥିବା ଲୁଧିଆନା କନ୍ସର୍ଟରେ ଦୋସାଞ୍ଜ ଗାଇଥିବା କେତେକ ଗୀତରେ ଆପତ୍ତି ଦର୍ଶାଇ ଚଣ୍ଡିଗଡ଼ର ଜଣେ ଆସିଷ୍ଟାଣ୍ଟ ପ୍ରଫେସର ପଣ୍ଡିତ ରାଓ ଧରେନଓ୍ବର ଦୋସାଞ୍ଜଙ୍କ ବିରୋଧରେ ପଞ୍ଜାବ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ବିଭାଗର ଉପନିର୍ଦ୍ଦେଶକଙ୍କୁ ଅଭିଯୋଗ କରିଛନ୍ତି। ବିଭିନ୍ନ କମିଶନ ଦ୍ୱାରା ବାରମ୍ବାର ମନା କରାଯାଉଥିବା ସତ୍ତ୍ୱେ ମଧ୍ୟ ଦୋସାଞ୍ଜ ‘୫ ତେରେ ଠେକେ’, ‘କେସ୍’, ‘ପଟିଆଲା ପେଗ୍’ ପରି ଗୀତକୁ ଲୁଧିଆନା କନ୍ସର୍ଟରେ ଗାଇଥିଲେ। ସାର୍ବଜନୀନ କାର୍ଯ୍ୟକ୍ରମରେ ଏପରି ଗୀତ ମଦ୍ୟପାନ, ଡ୍ରଗ୍ସ ଏବଂ ହିଂସାକୁ ପ୍ରୋତ୍ସାହିତ କରୁଥିବା ଦର୍ଶାଇ ଘଟଣା ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି ଲୁଧିଆନା ଜିଲା କମିଶନରଙ୍କୁ ନୋଟିସ୍ କରିବା ପାଇଁ ପଣ୍ଡିତ ରାଓ ଧରେନଓ୍ବର ନିଜ ଅଭିଯୋଗ ପତ୍ରରେ ପଞ୍ଜାବ ସରକାରଙ୍କ ମହିଳା ଏବଂ ଶିଶୁ ବିକାଶ ବିଭାଗର ଉପନିର୍ଦ୍ଦେଶକଙ୍କୁ ଦାବି କରିଛନ୍ତି।