Advertisement

ବାଲି ଚୋରାଚାଲାଣର ମାଧ୍ୟମ ଗ୍ରାମାଞ୍ଚଳ ରାସ୍ତା

ହାଟଡିହୀ,୩।୭(ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ନନ୍ଦିପଦା ପୋଲିସ ପକ୍ଷରୁ ଯାଞ୍ଚ ପ୍ରକ୍ରିୟାକୁ କଡ଼ାକଡ଼ି କରାଯାଉଛି। ଫଳରେ ବେଆଇନ ବାଲି ଚୋରାଚାଲାଣ କିଛି ମାତ୍ରାରେ ହ୍ରାସ ପାଇଥିଲେ ବି ବାଲି ମାଫିଆ ଗଳାବାଟରେ ଚୋରାଚାଲାଣ କରୁଛନ୍ତି। ପୋଲିସ ଭୟରେ ବାଲି ଗାଡି ରାସ୍ତା ପରିବର୍ତ୍ତନ କରି ହାଟଡିହୀ ବ୍ଲକ୍‌ ଭଦ୍ରକ, ବାଲେଶ୍ୱର ଏବଂ ଯାଜପୁର ଜିଲାକୁ ସଂଲଗ୍ନ କରୁଥିବା ସୀମାନ୍ତ ଗାଁ ରାସ୍ତାରେ ପରିବହନ କରୁଛନ୍ତି। ଫଳରେ ଗ୍ରାମ୍ୟ ରାସ୍ତା ଏବେ ଶୋଚନୀୟ ହୋଇ ବିପଦ ସଙ୍କୁଳ ହୋଇପଡ଼ିଛି। ପ୍ରଶାସନ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ଡଅଁର ପଞ୍ଚାୟତ ପୂର୍ବତନ ସମିତି ସଭ୍ୟ ବୀରେନ୍ଦ୍ର ବିଶ୍ୱାଳ ଦାବି କରିଛନ୍ତି।
ପ୍ରକାଶ ଯେ, ଆନନ୍ଦପୁର-ଭଦ୍ରକ ୫୩ ନଂ. ରାଜ୍ୟ ରାଜପଥର ଛେନାପଦୀରୁ ମରୈଗାଁ ମଧ୍ୟରେ ନନ୍ଦିପଦା ପୋଲିସ ବେଆଇନ ବାଲି ବୋଝେଇ ଗାଡ଼ି ଜବତ କରୁଛି। ଏବେ ବାଲିମାଫିଆ ପୋଲିସ ଭୟରେ ହାଟଡିହୀ ବ୍ଲକ୍‌ ଡଅଁର ପଞ୍ଚାୟତ ସରଳା ଗ୍ରାମ ଓ ଭଦ୍ରକ ଜିଲା ବନ୍ତ ବ୍ଲକ୍‌କୁ ସଂଲଗ୍ନ ରାସ୍ତାରେ ବାଲି ଚୋରାଚାଲାଣ କରୁଛନ୍ତି। ରାସ୍ତା ଦେଇ ଭଦ୍ରକ ମେଡିକାଲ, ବନ୍ତ ବଜାର, କଟକ, ଭୁବନେଶ୍ୱରକୁ ଯିବା ପାଇଁ ଲୋକେ ନିର୍ଭର କରିଥାନ୍ତି। ଦୈନିକ ଅନେକ ଶହ ବାଲି ବୋଝେଇ ଟ୍ରକ୍‌, ହାଇୱା, ଟ୍ରାକ୍ଟର ଯାତାୟାତ ଫଳରେ ରାସ୍ତାଟି ଖାଲଖମାରେ ଭର୍ତ୍ତି ହୋଇଛି। ବନ୍ତକୁ ଯାଇଥିବା ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି। ୨, ୪ ଚକିଆ ଗାଡ଼ି ଯିବା କଷ୍ଟକର ହୋଇପଡିଛି। ଅସରାଏ ବର୍ଷା ହେଲେ ଖାଲଖମାରେ ପାଣି ଜମି ଦୁର୍ଘଟଣା ଘଟୁଛି। ଅନ୍ୟପକ୍ଷେ ସରଳା ଗ୍ରାମରୁ ବନ୍ତ ଅଞ୍ଚଳକୁ ଯିବା ବେଳେ ସରଳା ଏବଂ ଓଳମ ମଝିରେ ଥିବା ରେବ ନାଳ ଉପରେ ଏକ ପୋଲ ରହିଛି। ପୋଲଟି ଦୀର୍ଘ ବର୍ଷ ହେବ ମରାମତି ହୋଇ ନ ଥିବାରୁ ଭୁଶୁଡ଼ି ପଡ଼ିବା ଆଶଙ୍କା ରହିଛି। ବାଲି ଚୋରାଚାଲାଣ ଉପରେ କଟକଣା, ରାସ୍ତା, ପୋଲ ମରାମତି ଏବଂ ଦ୍ୱିତୀୟ ପୋଲ ନିର୍ମାଣ ଦିଗରେ ପ୍ରଶାସନିକ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପୂର୍ବତନ ସମିତି ସଭ୍ୟଙ୍କ ସମେତ ପୂର୍ବତନ ସରପଞ୍ଚ ବୈଲୋଚନ ନାୟକ, ଆନନ୍ଦପୁର ସିଭିଲ ସୋସାଇଟି ସମ୍ପାଦକ ଭଗବାନ ମଲିକ ପ୍ରମୁଖ ଦାବି କରିଛନ୍ତି। ନନ୍ଦିପଦା ଥାନା ଅଧିକାରୀ ରବୀନ୍ଦ୍ର ପାତ୍ର କହିଛନ୍ତି, ସୀମାନ୍ତ ରାସ୍ତାରେ ଯାଉଥିବା ବାଲିଗାଡ଼ି ଉପରେ ନଜର ରଖାଯାଇ ଯାଞ୍ଚ କରାଯିବ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share