ପୁଣି ବିଦ୍ୟୁତ୍‌ ଫାଶରେ ହାତୀ

ଢେଙ୍କାନାଳ ଅଫିସ୍‌/ ସାତମାଇଲ(ଡି.ଏନ୍‌.ଏ.), ୪।୯: ବନ୍ୟପ୍ରାଣୀ ଶିକାର ପାଇଁ ବିଛାଯାଇଥିବା ବିଦ୍ୟୁତ୍‌ ଫାଶରେ ପଡ଼ି ପୁଣି ଏକ ମାଈ ହାତୀର ଜୀବନ ଯାଇଛି। ଏକ ବାର୍‌ହା ମଧ୍ୟ ମରିଛି। ଢେଙ୍କାନାଳ ଜିଲା ହିନ୍ଦୋଳ ରେଞ୍ଜ୍‌ ବାଘଧରିଆ ଗ୍ରାମ ନିକଟ ଶାଳ ଜଙ୍ଗଲରେ ଶନିବାର ଘଟିଥିବା ଏହି ଘଟଣା ଆଲୋଡ଼ନ ସୃଷ୍ଟି କରିଛି। ଗତ ୨ ମାସ ମଧ୍ୟରେ ହିନ୍ଦୋଳ ରେଞ୍ଜ୍‌ରେ ଏହା ହେଉଛି ତୃତୀୟ ଘଟଣା। ବନାଞ୍ଚଳ ଦେଇ ଯାଇଥିବା ୧୧ କେଭି କ୍ଷମତା ବିଶିଷ୍ଟ ବିଦ୍ୟୁତ୍‌ ତାରକୁ ବିଦ୍ୟୁତ୍‌ ବିଭାଗ କେବୁଲିଂ କରୁ ନ ଥିବାରୁ ଶିକାରୀମାନେ ଏହାର ସୁଯୋଗ ନେଉଛନ୍ତି। ଅନେକ ସମୟରେ ଏଥିରେ ହାତୀ ଭଳି ବିଶାଳକାୟ ପ୍ରାଣୀ ଛନ୍ଦି ହୋଇ ମୃତ୍ୟୁମୁଖରେ ପଡୁଥିବା ବନ ବିଭାଗ ପକ୍ଷରୁ କୁହାଯାଇଛି।
ଗ୍ରାମ ନିକଟ ଜଙ୍ଗଲରେ ହାତୀ ଓ ବାର୍‌ହା ମରି ପଡ଼ିଥିବା ସୂଚନା ମିଳିବା ପରେ ଅନୁଗୋଳସ୍ଥିତ ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ (ଆର୍‌ସିସିଏଫ୍‌) ଏମ୍‌. ଯୋଗୟାନନ୍ଦ, ଜିଲା ବନଖଣ୍ଡ ଅଧିକାରୀ ଡା. ପ୍ରକାଶଚାନ୍ଦ ଗୋଗିନେନି ସଦଳବଳ ପହଞ୍ଚତ୍ ତଦନ୍ତ କରିଛନ୍ତି। ମୃତହାତୀର ଆନୁମାନିକ ବୟସ ୧୦ ବର୍ଷ ହୋଇଥିବାବେଳେ ବ୍ୟବଚ୍ଛେଦ ପରେ ଜେସିବି ସହାୟତାରେ ଗାତଖୋଳି ପୋତି ଦିଆଯାଇଛି। ବାଘଧରିଆ ଜଙ୍ଗଲ ଦେଇ ଟଣାଯାଇଥିବା ମୁକୁଳା ୧୧ କେଭି ତାରରେ ହୁକିଂ କରି ଶିକାରୀମାନେ ବନ୍ୟପ୍ରାଣୀ ଶିକାର କରୁଛନ୍ତି। ଶନିବାର ଘଟଣାରେ ମଧ୍ୟ ବୋତଲ, କାଠ ସହାୟତାରେ ଶିକାରୀମାନେ ବିଦ୍ୟୁତ୍‌ ତାର ବିଛାଇଥିଲେ। ତେଣୁ ହାତୀ ଏବଂ ବାର୍‌ହାର ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ଗତ ୫ବର୍ଷରେ ଜିଲାର ବିଭିନ୍ନ ସ୍ଥାନରେ ବିଦ୍ୟୁତ୍‌ ଆଘାତରେ ୨୦ ହାତୀଙ୍କ ଜୀବନ ଗଲାଣି। ଗତ ମାସ ୨୮ ତାରିଖରେ ମହାବିରୋଡ ରେଞ୍ଜ୍‌ ଘାଗରାମୁଣ୍ଡା ଗ୍ରାମ ପାଖ ଖେସରା ଜଙ୍ଗଲରେ ଅନୁରୂପ ଭାବେ ଏକ ମାଈହାତୀର ମୃତ୍ୟୁ ଘଟିଥିଲା। ଏହି ଘଟଣାରେ ୨ଜଣ ଶିକାରୀ ଗିରଫ ହୋଇଛନ୍ତି।
ଏ ସଂକ୍ରାନ୍ତରେ ଜିଲା ବନଖଣ୍ଡ ଅଧିକାରୀ ଡା. ଗୋଗିନେନି କୁହନ୍ତି, ବାଘଧରିଆ ହାତୀମୃତ୍ୟୁ ଘଟଣାରେ ୩ଜଣଙ୍କ ନାମରେ ମାମଲା ରୁଜୁ ହୋଇଛି। ସମସ୍ତ ଅଭିଯୁକ୍ତ ଫେରାର ଅଛନ୍ତି। ଶୁକ୍ରବାର ରାତି ୧ଟା ଯାଏ ବନ କର୍ମଚାରୀମାନେ ପାଟ୍ରୋଲିଂ କରିଥିବାବେଳେ ଏଭଳି ଘଟଣା ନଜରକୁ ଆସି ନ ଥିଲା। ହଏତ ପାହାନ୍ତା ସମୟରେ ଏହି ଘଟଣା ଘଟିଛି। ହିନ୍ଦୋଳ ରେଞ୍ଜ୍‌ ଦେଇ ଯାଇଥିବା ୧୧ କେଭି ତାର କେବୁଲିଂ କାମ ସେପ୍ଟେମ୍ବର ସୁଦ୍ଧା ଶେଷ ହେବ ବୋଲି ବିଦ୍ୟୁତ୍‌ ବିଭାଗ ପକ୍ଷରୁ କୁହାଯାଇଥିଲା। ତେବେ ଅଦ୍ୟାବଧି କାମ ଆରମ୍ଭ ମଧ୍ୟ ହୋଇ ନ ଥିବା ଡିଏଫ୍‌ଓ ସୂଚନା ଦେଇଛନ୍ତି।