ଓ୍ବାଶିଂଟନ,୭ା୧: ଆମେରିକାର ହାଓ୍ବାଇସ୍ଥିତ କିଲାଉଆ ଆଗ୍ନେୟଗିରିରୁ ପୁଣି ଲାଭା ଉଦ୍ଗିରଣ ହୋଇଛି। ମାସକ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଉଦ୍ଗିରଣ। ଏହି ଆଗ୍ନେୟଗିରିର ଶିଖରରେ ଥିବା ହାଲେମାଉମାଉ ମୁଖରୁ ଲାଭା ନିର୍ଗତ ବେଳର ଦୃଶ୍ୟକୁ ଓ୍ବେବ୍କ୍ୟାମ୍ କଏଦ୍ କରିଥିବା ହାଓ୍ବାଇର ଭୋଲ୍କାନୋ ଅବ୍ଜର୍ଭେଟୋରି ପକ୍ଷରୁ କୁହାଯାଇଛି। ଲାଭା ନିମ୍ନଗାମୀ ହୋଇ ବହିବାରେ ଲାଗିଥିବାରୁ ଆମେରିକାର ଜିଓଲୋଜିକାଲ ସର୍ଭେ ପକ୍ଷରୁ ଆଲର୍ଟ ଜାରି କରାଯାଇଛି।
୨୭ରୁ ଦୁଇ ସପ୍ତାହ ଧରି ହାଓ୍ବାଇରେ ଦୁଇଟି ଆଗ୍ନେୟଗିରିରୁ ଲାଭା ଉଦ୍ଗିରଣ ହୋଇ ସମାନ ସମୟରେ ବନ୍ଦ ହୋଇଥିଲା। କିଲାଉଆ ହେଉଛି ବିଶ୍ୱର ଅନ୍ୟତମ ସକ୍ରିୟ ଆଗ୍ନେୟଗିରି। ମଉନାଲୋଆକୁ ପୃଥିବୀର ବୃହତ୍ତମ ଆଗ୍ନେୟଗିରି କୁହାଯାଏ। ଏହା ୩୮ ବର୍ଷରେ ପ୍ରଥମ ଥର ପାଇଁ ଲାଭା ଓକାଳିଥିଲା। ଟୁଇନ୍ ଇରପ୍ସନ ବେଳେ ଏହାକୁ ଦେଖିବା ପାଇଁ ଅନେକ ପର୍ଯ୍ୟଟକ ହାଓ୍ବାଇ ଭୋଲ୍କାନୋସ୍ ନ୍ୟାଶନାଲ ପାର୍କରେ ଭିଡ଼ ଜମାଇଥିଲେ। ୨୦୧୮ରେ ହୋଇଥିବା ଉଦ୍ଗିରଣରେ ହଓ୍ବାଇ ଦ୍ୱୀପରେ ଥିବା ୭୦୦ ଘର ଧ୍ୱଂସ ହୋଇଯାଇଥିଲା। ଦୁଇ ଆଗ୍ନେୟଗିରି ମଧ୍ୟରେ ଥିବା ସମ୍ପର୍କ ଅନୁଧ୍ୟାନ ପାଇଁ ବୈଜ୍ଞାନିକମାନେ ଡେଟା ଦେଖୁଛନ୍ତି।