ବେଜିଂ,୨୫।୧୨: ଚାଇନାରେ କରୋନାର ପ୍ରଭାବ ପୁଣି ଥରେ ଦେଖିବାକୁ ମିଳିଛି। ଏଠାରେ କରୋନା ସଂକ୍ରମଣର ଗତି ଦ୍ରୁତ ଗତିରେ ବୃଦ୍ଧି ପାଉଛି। ପରିସ୍ଥିତି ଏପରି ହୋଇଛି ଯେ କରୋନା କାରଣରୁ ମୃତ୍ୟୁ ହେତୁ ଚାଇନା ଶ୍ମଶାନ ଘାଟ ୨୪ ଘଣ୍ଟା କାମ କରୁଛି। ଏଠାରେ ମଧ୍ୟ କୋଭିଡର ନୂତନ ସବ-ଭାରିଆଣ୍ଟ JN.1ର ପ୍ରକୋପ ଦେଖାଯାଉଛି। ଭାରତରେ JN.1 ର ବୃଦ୍ଧି ମାମଲା ମଧ୍ୟ ଚିନ୍ତାର କାରଣ ପାଲଟିଛି।
କୋଭିଡର ଏହି ଭାରିଆଣ୍ଟର ବୃଦ୍ଧି ଯୋଗୁ ଚାଇନାରେ ମୃତ୍ୟୁ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ଶ୍ମଶାନରେ ପୁଣି ଥରେ ଭିଡ଼ ଦେଖିବାକୁ ମିଳୁଛି। ନୂତନ ସବ-ଭାରିଆଣ୍ଟ JN.1କୁ ବିଶ୍ୱ ସ୍ବାସ୍ଥ୍ୟ ସଂଗଠନ ଦ୍ୱାରା ‘ଭାରିଆଣ୍ଟ ଅଫ ଇଣ୍ଟରେଷ୍ଟ’ ବର୍ଗରେ ସ୍ଥାନିତ କରାଯାଇଛି। ଡବ୍ଲୁଏଚ୍ଓ କହିଛି ଯେ, ବିଗତ ଦିନରେ ଅନେକ ଦେଶରେ JN.1 ମାମଲା ସାମ୍ନାକୁ ଆସିଛି। ଏହା ସମଗ୍ର ବିଶ୍ୱରେ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି।
ଚାଇନାର ହେନାନ ପ୍ରଦେଶରେ କୋଭିଡ କାରଣରୁ ଅବସ୍ଥା ବିଗିଡି ଯାଉଛି। ସରକାରୀ ଶବଦାହ କେନ୍ଦ୍ରକୁ ଏତେ ସଂଖ୍ୟକ ମୃତଦେହ ଅଣାଯାଇଛି ଯେ ୨୪ ଘଣ୍ଟା ମୃତଦେହ ପୋଡା ଯାଉଛି। କେବଳ ଏତିକି ନୁହେଁ, ଜଳାଯିବାକୁ ଥିବା ମୃତଦେହଗୁଡ଼ିକୁ ଫ୍ରିଜରେ ରଖାଯାଉଛି। ଏଭଳି ପରିସ୍ଥିତିରେ ଲୋକଙ୍କୁ ଶବଦାହ ପାଇଁ ଘଣ୍ଟା ଘଣ୍ଟା ଅପେକ୍ଷା କରିବାକୁ ପଡୁଛି।