Advertisement
Categories: ଜାତୀୟ

ଆଣ୍ଡାମାନକୁ ସାମୁଦ୍ରିକ ଓଏଫ୍‌ସି ସଂଯୋଗ

ନୂଆଦିଲ୍ଲୀ, ୧୧।୮(ଆଇଏଏନ୍‌ଏସ୍‌): ଚେନ୍ନାଇରୁ ପୋର୍ଟ ବ୍ଲେୟାରକୁ ସଂଯୋଗ କରୁଥିବା ସାମୁଦ୍ରିକ ଅପ୍ଟିକାଲ ଫାଇବର କେବୁଲ (ଓଏଫ୍‌ସି)କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସୋମବାର ଉଦ୍‌ଘାଟନ କରିଛନ୍ତି। ଏହି ସଂଯୋଗ ଫଳରେ ଆଣ୍ଡାମାନ ନିକୋବର ଦ୍ୱୀପପୁଞ୍ଜକୁ ମୋବାଇଲ ଓ ଲ୍ୟାଣ୍ଡଲାଇନ ମୋବାଇଲ ଟେଲିଫୋନ ସେବା ଦେଶର ଅନ୍ୟ ଅଞ୍ଚଳ ଭଳି ଦ୍ରୁତତର ଓ ଅଧିକ ନିର୍ଭରଯୋଗ୍ୟ ହୋଇପାରିବ। ସ୍ବାଧୀନତା ଦିବସ ଅବ୍ୟବହିତ ପୂର୍ବରୁ ଆଣ୍ଡାମାନ ଜନସାଧାରଣଙ୍କୁ ଏହି ଅପ୍ଟିକାଲ ଫାଇବର କେବୁଲ୍‌ ପ୍ରକଳ୍ପ ଏକ ଭେଟି। ଆଣ୍ଡାମାନ ନିକୋବରର ଜନସାଧାରଣ ଏବେ ଅନ୍‌ଲାଇନ ପାଠପଢ଼ାଠାରୁ ଆରମ୍ଭ କରି ପର୍ଯ୍ୟଟନ, ବ୍ୟାଙ୍କିଙ୍ଗ, ଶପିଂ, ଟେଲିମେଡିସିନ ଆଦି ବିଭିନ୍ନ ସୁବିଧା ପାଇପାରିବେ ବୋଲି ମୋଦି କହିଛନ୍ତି। ଏହି କେବୁଲ ପ୍ରକଳ୍ପ ସ୍ଥାନୀୟ ଅର୍ଥନୀତିକୁ ସୁଦୃଢ଼ କରିବା ସହ ଲୋକମାନଙ୍କୁ ଇ-ଗଭର୍ନାନ୍ସ, ଟେଲିମେଡିସିନ୍‌ ଓ ଅନ୍‌ଲାଇନ ଶିକ୍ଷା ସେବା ମିଳିପାରିବ। ଭାରତ ସରକାରଙ୍କ ପକ୍ଷରୁ ଟେଲିକମ୍‌ ବିଭାଗ ଅଧୀନରେ ଥିବା ୟୁନିଭର୍ସାଲ ସର୍ଭିସ ଓବ୍ଲିଗେଶନ ଫଣ୍ଡ୍‌ (ୟୁଏସ୍‌ଓଏଫ୍‌) ଜରିଆରେ ଏଥିପାଇଁ ପୁଞ୍ଜିନିବେଶ ହୋଇଥିଲା। ମୋଟ ୧,୨୨୪ କୋଟି ଟଙ୍କା ବ୍ୟୟରେ ୨୩୦୦ କିଲୋମିଟର ଦୀର୍ଘ କେବୁଲ ସମୁଦ୍ର ଗର୍ଭରେ ବିଛାଯାଇଛି। ଏହି କେବୁଲ ପୋର୍ଟ ବ୍ଲେୟାର ସହ ସ୍ବରାଜ ଦ୍ୱୀପ, ଲିଟଲ୍‌ ଆଣ୍ଡାମାନ, କାର୍‌ ନିକୋବର, କାମୋର୍ତା, ଗ୍ରେଟ୍‌ ନିକୋବର, ଲଙ୍ଗ୍‌ ଆଇଲାଣ୍ଡ ଏବଂ ରଙ୍ଗଟ୍‌କୁ ମଧ୍ୟ ସଂଯୋଗ କରିବ। ୨୦୧୮ ଡିସେମ୍ବର ୩୦ରେ ପୋର୍ଟ ବ୍ଲେୟାରରେ ପ୍ରଧାନମନ୍ତ୍ରୀ ଏହି ପ୍ରକଳ୍ପର ଶିଳାନ୍ୟାସ କରିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share