ମୁମ୍ବାଇ,୧୮।୧୦: ମୁମ୍ବାଇ ଅନ୍ଧେରି ଇଷ୍ଟ ବିଧାନସଭା ଆସନରେ ନଭେମ୍ବର ୩ରେ ଉପନିର୍ବାଚନ ହେବାକୁ ଥିବା ବେଳେ ନାମାଙ୍କନପତ୍ର ଦାଖଲର ଶେଷ ଦିନରେ ଭାଜପା ପ୍ରାର୍ଥୀ ପ୍ରତ୍ୟାହାର କରିନେଇଛି। ଫଳରେ ଉଦ୍ଧବ ଠାକ୍ରେଙ୍କ ନେତୃତ୍ୱାଧୀନ ଶିବସେନା ଗୋଷ୍ଠୀର ପ୍ରାର୍ଥୀ ଋତୁଜା ଲାଟ୍କେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହେବା ନେଇ ସ୍ପଷ୍ଟ ହୋଇଯାଇଛି। ନାମାଙ୍କନପତ୍ର ଦାଖଲ କରିଥିବା ଭାଜପା ପ୍ରାର୍ଥୀ ମୁର୍ଜୀ ପଟେଲ ନିର୍ବାଚନରୁ ଓହରିଯିବା ନେଇ ମହାରାଷ୍ଟ୍ର ଭାଜପା ସଭାପତି ଚନ୍ଦ୍ରଶେଖର ବଓ୍ବାଙ୍କୁଲେ କହିଛନ୍ତି।
ସୂଚନା ଯୋଗ୍ୟ, ଉପନିର୍ବାଚନରୁ ଓହରିଯିବା ଲାଗି ମହାରାଷ୍ଟ୍ର ନବନିର୍ମାଣ ସେନା ମୁଖ୍ୟ ରାଜ ଠାକ୍ରେ ଭାଜପାକୁ ଅନୁରୋଧ କରିଥିଲେ। ସେ ଉପମୁଖ୍ୟମନ୍ତ୍ରୀ ଦେବେନ୍ଦ୍ର ଫଡ୍ନବିସ୍ଙ୍କୁ ପତ୍ର ଲେଖି ରାଜ୍ୟର ପରମ୍ପରା ଅନୁଯାୟୀ ଦିବଂଗତ ବିଧାୟକଙ୍କ ସ୍ତ୍ରୀଙ୍କୁ ନିର୍ବାଚନ ଜିତିବା ଲାଗି ଛାଡ଼ିଦେଲେ ଏହା ଉପଯୁକ୍ତ ଶ୍ରଦ୍ଧାଞ୍ଜଳି ହେବ ବୋଲି ରାଜ ଠାକ୍ରେ କହିଥିଲେ।