Advertisement

ଓଡ଼ିଶା ସୀମାନ୍ତ ଗ୍ରାମରେ ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ ପାଳିଲେ ଖ୍ରୀଷ୍ଟପର୍ବ

ପଟ୍ଟାଙ୍ଗି,୨୬ା୧୨(ଡି.ଏନ.ଏ.):୨୦୨୨ ଶେଷ ହେବାକୁ ଆଉ କେତୋଟି ଦିନ ବାକି ରହିଛି। ତଥାପି ପଡୋଶୀ ଆନ୍ଧ୍ର ପ୍ରଦେଶ ଓଡ଼ିଶାର ସୀମାନ୍ତ ଗ୍ରାମ ଉପରେ ନଜର ପକାଇବାକୁ ପଛଘୁଞ୍ଚା ଦେଇନି। ରବିବାର ଆନ୍ଧ୍ର ଉପମୁଖ୍ୟମନ୍ତ୍ରୀ ପିଡିକା ରାଜାନା ଦୋରା ଓଡ଼ିଶାର ଏକ ସୀମାନ୍ତ ଗ୍ରାମରେ ଅନୁପ୍ରବେଶ କରି ଗ୍ରାମବାସୀଙ୍କ ସହ ଖ୍ରୀଷ୍ଟପର୍ବ ପାଳନ କରିଛନ୍ତି। ଏହି ଖବର ଜଣାପଡିବା ପରେ ଓଡ଼ିଶାର କୋରାପୁଟ ଜିଲା ପ୍ରଶାସନ ଓ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛି।
ଖବରରୁ ଜଣାପଡିଛି, ପଟ୍ଟାଙ୍ଗି ବ୍ଲକ କୋଟିଆ ପଞ୍ଚାୟତର ତାଡିବାଲସା ଗ୍ରାମରେ ଖ୍ରୀଷ୍ଟମାସ୍‌ ଅବସରରେ ପାଷ୍ଟର ଗୁଡିୱାଡା ସୁରି ନାରାୟାଣାଙ୍କ ଅଧ୍ୟକ୍ଷତାରେ ଖ୍ରୀଷ୍ଟପର୍ବ ଆୟୋଜିତ ହୋଇଥିଲା। ଏଥିରେ ଆନ୍ଧ୍ର ଉପ ମୁଖ୍ୟମନ୍ତ୍ରୀ ଦୋରା ମୁଖ୍ୟଅତିଥି ଭାବେ ଯୋଗଦେଇ ଉପସ୍ଥିତ ଗ୍ରାମବାସୀ ଏବଂ ଗ୍ରାମର ଖ୍ରୀଷ୍ଟ ଧର୍ମାବଲମ୍ବୀ ପରିବାରଙ୍କୁ ଶୁଭେଚ୍ଛା ଜଣାଇଥିଲେ। ଏପରି ଏକ କାର୍ଯ୍ୟକ୍ରମରେ ମୁଁ ନିମନ୍ତ୍ରିତ ହୋଇଥିବାରୁ ନିଜକୁ ଧନ୍ୟ ମନେକରୁଛି ବୋଲି ଦୋରା କହିଥିଲେ। ଆନ୍ଧ୍ର ସରକାର ସୀମାନ୍ତ ଗ୍ରାମବାସୀଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ସବୁବେଳେ ଉଦ୍ୟମ ଜାରି ରଖିଛନ୍ତି। ସୀମାନ୍ତ ଗ୍ରାମଗୁଡିକରେ ଶିକ୍ଷାଠାରୁ ଆରମ୍ଭ କରି ପାନୀୟ ଜଳ, ରାସ୍ତାଘାଟ, ବାର୍ଦ୍ଧକ୍ୟ ଭର୍ତ୍ତା, ରାଶନ ସାମଗ୍ରୀ ଆଦି ଯୋଜନାର ସୁଫଳ କିପରି ପ୍ରତି ଘରେ ପହଞ୍ଚତ୍ବ ସେଥିପାଇଁ ଆନ୍ଧ୍ର ସରକାର ନିଜ ଚେଷ୍ଟା ଜାରି ରଖିଛନ୍ତି ବୋଲି ସେ ପ୍ରକାଶ କରିଥିଲେ। ଏହି କାର୍ଯ୍ୟକ୍ରମରେ କୋଟିଆ ପଞ୍ଚାୟତର ନେରିଡିବାଲସା, ଉପରସେମ୍ବି, ତଳସେମ୍ବି, ଧୂଳିପଦର, କୁମ୍ବିମାଡା ଆଦି ଗ୍ରାମରୁ ଶତାଧିକ ମହିଳା ପୁରୁଷ ଉପସ୍ଥିତ ଥିଲେ। ଉପ ମୁଖ୍ୟମନ୍ତ୍ରୀ ଦୋରା ମନ୍ତ୍ରିମଣ୍ଡଳରେ ଦାୟିତ୍ୱ ଗ୍ରହଣ କରିବା ପରଠାରୁ କୋଟିଆ ପଞ୍ଚାୟତ ପ୍ରତି ଅଧିକ ଗୁରୁତ୍ୱ ଦେଉଥିବା ଦେଖିବାକୁ ମିଳୁଛି। ଏ ସମ୍ପର୍କରେ ପଟ୍ଟାଙ୍ଗି ବିଡିଓ ସୌମ୍ୟସାର୍ଥକ ମିଶ୍ରଙ୍କୁ ପଚାରିବାରୁ ସେ କହିଲେ, ଏ ସମ୍ପର୍କରେ ମୋ ପାଖରେ କିଛି ଖବର ନାହିଁ। ତଥାପି ମୁଁ ଦେଖିବି। ଜିଲାପାଳଙ୍କୁ ଏନେଇ ରିପୋର୍ଟ କରିବି ବୋଲି କହିଥିଲେ।

Subscribe to Dharitri WhatsApp ChannelSubscribe to Dharitri WhatsApp Channel

Share