ଆନ୍ଧ୍ର-ମୋଟୁ ଯୋଗାଯୋଗ ବିଚ୍ଛିନ୍ନ

ମାଲକାନଗିରି, ୧୩ା୯(ଡି.ଏନ.ଏ.):୪ ଦିନ ଧରି ଲାଗି ରହିଥିବା ଲଗାଣ ବର୍ଷା ଯୋଗୁ ମାଲକାନଗିରି ଜିଲାରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡିଛି। ଜିଲାର ସିଲେରୁ, ସାବେରୀ, ପୋଟେରୁ କାଙ୍ଗୁରୁକୋଣ୍ଡା ସହ ଗୋଦାବରୀ ନଦୀରେ ଜଳସ୍ତର ବିପଦ ସଙ୍କେତ ଛୁଇଁଛି। ବର୍ଷା ପ୍ରଭାବରେ ମାଲକାନଗିରି ଜିଲାର ମୋଟୁ ସୀମାନ୍ତଠାରୁ ୨ କି.ମି. ଦୂର ଆନ୍ଧ୍ର ପ୍ରଦେଶର କାଲେରୁ ଗ୍ରାମ ନିକଟରେ ୩୨୬ ନମ୍ବର ଜାତୀୟ ରାଜପଥ ଉପରେ ୫ ଫୁଟ ଉଚ୍ଚତାରେ ବର୍ଷାଜଳ ପ୍ରବାହିତ ହେଉଛି। ଫଳରେ ମୋଟୁ ଓ ଆନ୍ଧ୍ର ପ୍ରଦେଶର ଚିନ୍ତୁର ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ହୋଇପଡିଛି। ବର୍ଷାଜଳ ଅଧିକ ପ୍ରବାହିତ ହେବାରୁ ମୋଟୁ ସୀମାନ୍ତରେ ରବିବାରଠାରୁ ଅନେକ ଗାଡିମୋଟର ଅଟକି ରହିଛି। ମୋଟୁ ନିକଟରେ ଥିବା ତଳିଆ ଗ୍ରାମଗୁଡିକରେ ବନ୍ୟା ଆଶଙ୍କା ସୃଷ୍ଟି ହୋଇଛି। ପରିସ୍ଥିତି ଉପରେ ନଜର ରଖିବା ଲାଗି ବିଡିଓ ଓ ତହସିଲଦାରଙ୍କୁ ମାଲକାନଗିରି ଜିଲା ପ୍ରଶାସନ ନିର୍ଦ୍ଦେଶ ଦେଇଛି। ସୂଚନାଯୋଗ୍ୟ, ଗତ ଲଘୁଚାପ ବର୍ଷା ପ୍ରଭାବରେ ପୋଲାଭରମର ପଛୁଆ ଜଳ ସହ ଚୀନା ଗୋଦାବରୀ, ସାବେରୀ ଓ ସିଲେରୁ ନଦୀର ଜଳସ୍ତର ବୃଦ୍ଧି ପାଇ ମୋଟୁ ଅଞ୍ଚଳରେ ବନ୍ୟା ପରିସ୍ଥିତି ସୃଷ୍ଟି କରିଥିଲା। ଶତାଧିକ ହେକ୍ଟର ଚାଷଜମି ଜଳମଗ୍ନ ହୋଇପଡିଥିଲା।

Share