ଥମୁନି ଫଳକ ବିବାଦ, ଜୋଲାପୁଟରେ ପୁଣି ଆନ୍ଧ୍ର ଅଧିକାରୀ

ନନ୍ଦପୁର, ୨।୮୨୦୨୩(ଶଙ୍କର ପୂଜାରୀ): କୋରାପୁଟ ଜିଲା ନନ୍ଦପୁର ବ୍ଲକ ସୀମାନ୍ତ ଜଲାପୁଟ ରିଜର୍ଭରରେ ଥମୁନି ଫଳକ ବିବାଦ। ମଙ୍ଗଳବାର ପୁୁଣି ଆନ୍ଧ୍ର ମୁଚିମପୁଟ ରାଜସ୍ବ ଓ ପୋଲିସ ଅଧିକାରୀ ପହଞ୍ଚତ୍ ଡ୍ୟାମ ନିକଟରେ ସ୍ଥାପିତ କୋରାପୁଟ ଜିଲା ପ୍ରଶାସନର ଫଳକ ଉପାଡିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ସେମାନଙ୍କୁ ତୀବ୍ର ବିରୋଧର ସମ୍ମୁଖୀନ ହେବାକୁ ପଡିଛି।
ଆନ୍ଧ୍ର ଅଧିକାରୀମାନେ ଆସିଥିବା ଖବର ପାଇ ବିଲାପୁଟ ସରପଞ୍ଚ ରାଜେଶ ଲେନ୍ଦ୍ରୁ, ସମିତିସଭ୍ୟ ଯୋଗେଶ୍ୱର ଖେମୁଣ୍ଡୁ, ଜଲାପୁଟ ଫାଣ୍ଡି ଅଧିକାରୀ ଓ ଜଲାପୁଟ ପ୍ରକଳ୍ପର ସିଭିଲ ଡିଭିଜନ ନିର୍ବାହୀଯନ୍ତ୍ରୀ ଆଦିତ୍ୟ ସାମନ୍ତରାୟ, ସହକାରୀ ଯନ୍ତ୍ରୀ ସନ୍ତୋଷ ପଣ୍ଡା ପ୍ରମୁଖ ଘଟଣା ସ୍ଥଳରେ ପହଞ୍ଚତ୍ ଆନ୍ଧ୍ର ଅଧିକାରୀ ଓ ପୋଲିସକୁ ଦୃଢ ବିରୋଧ କରିଥିଲେ। ଅପରପକ୍ଷରେ ଜଲାପୁଟ ପ୍ରକଳ୍ପ ଆନ୍ଧ୍ର ଓ ଓଡ଼ିଶା ଦୁଇରାଜ୍ୟର। ପ୍ରକଳ୍ପ ନିକଟରେ କାହିଁକି କେବଳ କୋରାପୁଟ ଜିଲାପାଳଙ୍କ ନିର୍ଦ୍ଦେଶନାମା ଥିବା ସୂଚନାଫଳକ ରହିବ। ଉକ୍ତ ଫଳକକୁ ହଟାଯାଉ ନଚେତ୍‌ ଆନ୍ଧ୍ର ଜିଲାପାଳଙ୍କ ନିର୍ଦ୍ଦେଶନାମା ଥିବା ସୂଚନା ଫଳକ ମଧ୍ୟ ଏଠାରେ ସ୍ଥାପନ କରାଯାଉ ବୋଲି ଆନ୍ଧ୍ରର ଅଧିକାରୀମାନେ ଦାବି କରିଥିଲେ। ଏହାକୁ ଉପସ୍ଥିତ ଓଡ଼ିଶା ଜନ ପ୍ରତିନିଧି ଓ ଜଲାପୁଟ ପ୍ରକଳ୍ପ ଅଧିକାରୀ ବିରୋଧ କରି ପ୍ରତିବାଦ କରିଥିଲେ। ପ୍ରକଳ୍ପ କର୍ତ୍ତୃପକ୍ଷ କହିଥିଲେ, ପ୍ରକଳ୍ପ ଅଞ୍ଚଳର ନିୟମ ବହୁ ପୂର୍ବରୁ ନିର୍ଦ୍ଧରିତ। ସେଥିରେ କୌଣସି ପରିବର୍ତ୍ତନ କରାଯାଇପାରିବ ନାହିଁ। ଏଥିପାଇଁ ଦୁଇ ରାଜ୍ୟର ସମ୍ପୃକ୍ତ ଜିଲାପାଳ ଏବଂ ଦୁଇ ରାଜ୍ୟ ପାଇଁ ପ୍ରତିନିଧିତ୍ତ୍ୱ କରୁଥିବା ପ୍ରକଳ୍ପ ଅଧିକାରୀଙ୍କ ସହ ଆଲୋଚନା ଆବଶ୍ୟକ। ଏନେଇ ପ୍ରଥମେ ଆନ୍ଧ୍ର ନିଜ ଜିଲାପାଳଙ୍କୁ ଅବଗତ କରାନ୍ତୁ। ଆଲୋଚନା ପାଇଁ ଦିନ ଓ ତାରିଖ ଧାର୍ଯ୍ୟ କରନ୍ତୁ। ଓଡ଼ିଶା ପକ୍ଷରୁ କୋରାପୁଟ ଜିଲାପାଳ ବୈଠକରେ ଉପସ୍ଥିତ ରହିବେ। ବୈଠକରେ ଯାହା ନିଷ୍ପତ୍ତି ହେବ ତାହାକୁ କାର୍ଯ୍ୟକାରୀ କରାଯିବ ବୋଲି ଆନ୍ଧ୍ର ଅଧିକାରୀ ମାନଙ୍କୁ କୁହାଯାଇଥିଲା। ଫଳରେ ଶେଷରେ ସେମାନେ ନିରାଶ ହୋଇ ଫେରିଯାଇଥିଲେ। ସୂଚନାଯୋଗ୍ୟ, ନିକଟରେ ପାଡୁଆ ଗେଷ୍ଟ ହାଉସରେ ସୀମା ଚିହ୍ନଟ ନେଇ ଆନ୍ଧ୍ର-ଓଡ଼ିଶା ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ବୈଠକ ବସିଥିଲା। ସବୁ ପ୍ରମାଣପତ୍ର ସହ ମ୍ୟାପ ଧରି ଆସିବାକୁ ଆନ୍ଧ୍ରକୁ କୁହାଯାଇଥିଲେ ମଧ୍ୟ ସେମାନେ ମ୍ୟାପ ନ ଆଣି ଅଳ୍ପ କିଛି କାଗଜପତ୍ର ଧରି ଆସିଥିଲେ। ଫଳରେ ଉକ୍ତ ବୈଠକରେ ବିଶେଷ ଆଲୋଚନା ହୋଇ ପାରି ନ ଥିଲା।

Share