କୋଟିଆରେ ପୁଣି ପଶିଲେ ଆନ୍ଧ୍ର ଅଧିକାରୀ

କୋରାପୁଟ,୧୯। ୧୦ସ୍ବ.ପ୍ର.): କୋରାପୁଟ ଜିଲାର କୋଟିଆ ପଞ୍ଚାୟତରେ ଆନ୍ଧ୍ରର ଅଧିକାରୀମାନେ ପଶି ବିଭିନ୍ନ କାର୍ଯ୍ୟ କରୁଥିବା ଘଟଣା ନେଇ ଗତ ବୁଧବାର ଆନ୍ଧ୍ରର ପାର୍ବତୀପୁରମ ପିଓ ଆଇଟିଡିଏ କୋର୍ମନାଥ ଫଗୁଣସିନେରି ଗ୍ରାମରେ ପହଞ୍ଚତ୍ ଗ୍ରାମବାସୀଙ୍କ ସହ ଆଲୋଚନା କରୁଥିବା ବେଳେ ପଟ୍ଟାଙ୍ଗୀ ବିଧାୟକ ପ୍ରୀତମ ପାଢ଼ୀଙ୍କ ସହ ମୁହାଁମୁହିଁ ହୋଇଥିଲା। ଆଉ ଏଠିକୁ ନ ଆସିବାକୁ ବିଧାୟକ ପାଢୀ ଆନ୍ଧ୍ର ଅଧିକାରୀମାନଙ୍କୁ ତାଗିଦ କରିଥିଲେ। ଏହାର କୌଣସି ପ୍ରଭାବ ଆନ୍ଧ୍ର ଉପରେ ପଡିନାହିଁ। ସୋମବାର ଆନ୍ଧ୍ରର ଅଧିକାରୀ ଓ କର୍ମଚାରୀମାନେ କୋଟିଆର ଫାଟୁସିନେରି ଗ୍ରାମକୁ ଆସି ପେନ୍‌ସନ ଓ ଖାଉଟି କାର୍ଡ ବଣ୍ଟନ କରିଛନ୍ତି। ଆନ୍ଧ୍ର ଅଧିକାରୀ ୱାଇ. ସତ୍ୟମ ଓ ଅନ୍ୟ ଅଧିକାରୀମାନେ ଫାଟୁସିନେରି ଗ୍ରାମରେ ଏକ ବୈଠକ କରି ସ୍ବୟଂ ସହାୟିକା ଗୋଷ୍ଠୀର ମହିଳାଙ୍କୁ ୱାଇଏସ୍‌ଆର୍‌ ଭେଲୁଗୁ ଯୋଜନାରେ ଋଣ ପ୍ରଦାନ କରିଥିବା ଜଣାପଡିଛି। ୨ଟି ଚାଉଳ କାର୍ଡ, ୬ଜଣଙ୍କୁ ପେନ୍‌ସନ କାର୍ଡ ଓ ୩୩ ଜଣଙ୍କୁ ଗୃହଋଣ ପ୍ରଦାନ କରାଯାଇଛି। ବାହାରୁ ଋଣ ନ ଆଣିବାକୁ ଅଧିକାରୀମାନେ ଗ୍ରାମବାସୀଙ୍କୁ ପରାମର୍ଶ ଦେଇଛନ୍ତି। ଆଗାମୀ ଦିନରେ ଆନ୍ଧ୍ର ସରକାରଙ୍କ ପକ୍ଷରୁ ଏଠାକାର ଚାଷୀମାନଙ୍କୁ ସମସ୍ତ ପ୍ରକାର ସହାୟତା ପ୍ରଦାନ କରାଯିବ ବୋଲି ସେମାନେ ଚାଷୀମାନଙ୍କୁ ପ୍ରତିଶ୍ରୁତି ଦେଇଛନ୍ତି। ଏହି ବୈଠକରେ ଫାଟୁସିନେରି, ଉପର ମାଣ୍ଡିଙ୍ଗି ଓ ସଲପଗୁଡା ଗ୍ରାମର ମହିଳା ସ୍ବୟଂ ସହାୟିକା ଗୋଷ୍ଠୀର ସଦସ୍ୟାମାନେ ଉପସ୍ଥିତ ଥିଲେ।

Share