ସୀମାନ୍ତରେ ଆନ୍ଧ୍ର ଅଧିକାରୀ-ପଟ୍ଟାଙ୍ଗୀ ବିଧାୟକ ମୁହାଁମୁହିଁ

ପଟ୍ଟାଙ୍ଗୀ,୧୪।୧୦ (ଡି.ଏନ.ଏ.): କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅନ୍ତର୍ଗତ ତଥା ଆନ୍ଧ୍ର ସୀମାନ୍ତ କୋଟିଆ ପଞ୍ଚାୟତ ଉପରୁ ନଜର ହଟାଉନି ଆନ୍ଧ୍ର। ବାରମ୍ବାର ଓଡ଼ିଶାର ଏହି ସୀମାନ୍ତ ଗ୍ରାମରେ ପ୍ରବେଶ କରି ବିଭିନ୍ନ କାର୍ଯ୍ୟକ୍ରମ କରୁଛି। ଏପରିକି ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରୁଛି ଏହି ରାଜ୍ୟ। ବୁଧବାର ଆନ୍ଧ୍ରର ପାର୍ବତୀପୁରମ ପ୍ରଶାସନ କୋଟିଆର ଫଗୁଣସିନେରି ଗ୍ରାମରେ ପହଞ୍ଚତ୍ ଅଙ୍ଗନଓ୍ବାଡି ଗୃହ ନିର୍ମାଣ ସମ୍ପର୍କରେ ଗ୍ରାମବାସୀଙ୍କ ସହ ଆଲୋଚନା କରୁଥିବା ବେଳେ ପଟ୍ଟାଙ୍ଗୀ ବିଧାୟକ ପ୍ରୀତମ ପାଢୀଙ୍କ ସହ ମୁହାଁମୁହିଁ ହୋଇଛି। ଆନ୍ଧ୍ରର ଏପରି କାର୍ଯ୍ୟକୁ କଡା ସମାଲୋଚନା କରିଛନ୍ତି ବିଧାୟକ।
ଖବରରୁ ଜଣାପଡିଛି, ଆନ୍ଧ୍ରର ପାର୍ବତୀପୁରମ ପିଓ ଆଇଟିଡିଏ କୋର୍ମନାଥ ଫଗୁଣସିନେରି ଗ୍ରାମରେ ପହଞ୍ଚତ୍ ଗ୍ରାମବାସୀଙ୍କୁ ନେଇ ଏକ ବୈଠକ କରି ନୂତନ ଅଙ୍ଗନଓ୍ବାଡ଼ି ଗୃହ ନିର୍ମାଣ ଲାଗି ଜାଗା ଚିହ୍ନଟ ସମ୍ପର୍କରେ ଆଲୋଚନା କରୁଥିଲେ। ଏହି ସମୟରେ ପଟ୍ଟାଙ୍ଗୀ ବିଧାୟକ ପାଢ଼ୀ ସେଠାରେ ପହଞ୍ଚତ୍ଥିଲେ। ସେ ପିଓ ଆଇଟିଡିଏ କୋର୍ମନାଥଙ୍କୁ ଏହି ବୈଠକର ଉଦ୍ଦେଶ୍ୟ ବିଷୟରେ ପଚାରିଥିଲେ। ତୁମେମାନେ କାହିଁକି ସୁପ୍ରିମକୋର୍ଟଙ୍କ ସ୍ଥିତାବସ୍ଥା ମାନୁନାହଁ ବୋଲି ପ୍ରଶ୍ନ କରିଥିଲେ। ଯଦି କୌଣସି ଉନ୍ନୟନମୂଳକ କାର୍ଯ୍ୟ କରିବାର ଅଛି ତୁମ ରାଜ୍ୟ ଭିତରେ କର। ଅଯଥା ଆମ ଓଡ଼ିଶା ସୀମା ଭିତରେ ଅନୁପ୍ରବେଶ କରି ବିବାଦ ସୃଷ୍ଟି କରନାହିଁ ବୋଲି କହିଥିଲେ। ଅନ୍ୟପକ୍ଷରେ ବିଧାୟକଙ୍କ ଏପରି ମତ ନେଇ ସେଠାରେ ଉପସ୍ଥିତ ଗ୍ରାମବାସୀ ପ୍ରତିବାଦ କରିଥିଲେ। ଆମେ ଆନ୍ଧ୍ର ସହ ଅଛୁ ଏବଂ ରହିବୁ ବୋଲି କହି ପାଟିତୁଣ୍ଡ କରିଥିଲେ। ବିଧାୟକ ପାଢୀ ଏହାକୁ ଖାତିର ନ କରି ଆନ୍ଧ୍ର ଗୋବ୍ୟାକ ସ୍ଲୋଗାନ ଦେଇ ଘଟଣା ସ୍ଥଳରୁ କୋର୍ମନାଥଙ୍କୁ ଚାଲିଯିବାକୁ କହିଥିଲେ। ସେଠାରେ ଉପସ୍ଥିତ ଥିବା ଆନ୍ଧ୍ରର କେତେଜଣ ଏଜେଣ୍ଟ ଗ୍ରାମବାସୀଙ୍କୁ ଓଡ଼ିଶାର ପଞ୍ଚାୟତ ନିର୍ବାଚନ ବର୍ଜନ କରିବାକୁ କହୁଥିବା ବେଳେ ଏହା ଶୁଣି ବିଧାୟକ ପାଢ଼ୀ ପ୍ରତିବାଦ କରିଥିଲେ। ତୁରନ୍ତ ଘଟଣା ସ୍ଥଳ ଛାଡ଼ି ଚାଲିଯିବାକୁ ସେମାନଙ୍କୁ କଡା ଚେତାବନୀ ଦେଇଥିଲେ। ବିଧାୟକଙ୍କ ଏପରି ପ୍ରତିବାଦକୁ କୋରାପୁଟ ଜିଲାର ବିଭିନ୍ନ ସଙ୍ଗଠନ ସ୍ବାଗତ କରିଛନ୍ତି।

Share