କୋଟିଆରେ ଆନ୍ଧ୍ର ପାଳିଲା ପୁଷ୍ଟି ଦିବସ

ପଟ୍ଟାଙ୍ଗୀ,୨୩ା୯(ଡି.ଏନ୍‌.ଏ.): କୌଣସି ନୀତି ନିୟମ ମାନିବାକୁ ପ୍ରସ୍ତୁତ ନୁହେଁ ଆନ୍ଧ୍ର। କୋରାପୁଟ ଜିଲା ପଟ୍ଟାଙ୍ଗୀ ବ୍ଲକ ଅଧୀନ କୋଟିଆ ପଞ୍ଚାୟତ ଯେ ଓଡ଼ିଶାର ଏହା ସ୍ବୀକାର କରିବାକୁ ଆନ୍ଧ୍ର ନାରାଜ। ତାହା ଆମ ପଞ୍ଚାୟତ ବୋଲି ଜାହିର କରିବାକୁ ଆନ୍ଧ୍ର ବିଭିନ୍ନ ସମୟରେ ଏଠାରେ ଅନୁପ୍ରବେଶ କରି କାର୍ଯ୍ୟକ୍ରମ କରୁଛି।

ଗୁରୁବାର ମଧ୍ୟ କୋଟିଆ ପଞ୍ଚାୟତ ସଦର ମହକୁମାରେ ଆନ୍ଧ୍ର ଅନୁପ୍ରବେଶ କରି ପୁଷ୍ଟିକର ଦିବସ ପାଳନ କରିଛି। ଆନ୍ଧ୍ରର ଆଇସିଡିଏସ୍‌ କାର୍ଯ୍ୟାଳୟ ପକ୍ଷରୁ ଏହି ଦିବସ ପାଳନ କରି ଅଙ୍ଗନଓ୍ବାଡି କର୍ମୀମାନେ ଗ୍ରାମର ମହିଳାମାନଙ୍କୁ ସଚେତନ କରୁଥିବା ଦେଖିବାକୁ ମିଳିଥିଲା। ସେମାନେ କୋଟିଆ ପଞ୍ଚାୟତ ସଦର ମହକୁମାରେ ଏକ ଘରେ ମହିଳାମାନଙ୍କୁ ଏକାଠି କରି ପୁଷ୍ଟିକର ଦିବସ ପାଳନ କରି ଏକ ଶୋଭାଯାତ୍ରା କରିଥିଲେ। ପ୍ରସୂତିମାନେ କିପରି ପୁଷ୍ଟିକର ଖାଦ୍ୟ ଖାଇବା ଉଚିତ ସେନେଇ ସଚେତନ କରିଥିଲେ। ଏହି ଅବସରରେ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତି ନେଇ ଏକ ପ୍ରତିଯୋଗିତା କରି କେତେଜଣ ମହିଳାଙ୍କୁ ପୁରସ୍କୃତ କରିଥିଲେ। ସେହିପରି କୋଟିଆ ପଞ୍ଚାୟତର ଫାଟୁ ସିନେରି ଗ୍ରାମରେ ଆନ୍ଧ୍ରର ବିଜୟନଗରମ ଡିଆର୍‌ଡିଏ କାର୍ଯ୍ୟାଳୟ ପକ୍ଷରୁ ଏସ୍‌ଏଚ୍‌ଜି ମହିଳାମାନଙ୍କୁ ନେଇ ଏକ ବୈଠକ ହୋଇଥିଲା। ମହିଳାମାନେ କିପରି ସ୍ବାବଲମ୍ବୀ ହୋଇ ରୋଜଗାର କରିପାରିବେ ସେନେଇ ଆନ୍ଧ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନା ଆରମ୍ଭ ହୋଇଥିବା ସେମାନଙ୍କୁ ଅବଗତ କରାଯାଇଥିଲା।

ସୂଚନାଯୋଗ୍ୟ, କୋଟିଆ ପଞ୍ଚାୟତ ଓଡ଼ିଶାର ଦାବିକରି ରାଜ୍ୟ ସରକାର ସୁପ୍ରିମକୋର୍ଟର ଆଶ୍ରୟ ନେଇଛନ୍ତି। ଏହାର ଶୁଣାଣି କରି ସୁପ୍ରିମକୋର୍ଟ ଉଭୟ ରାଜ୍ୟର ରାଜନୈତିକ ସ୍ତରରେ ଆଲୋଚନାକରି ୬ ସପ୍ତାହ ମଧ୍ୟରେ ସମାଧାନ ରାସ୍ତା ବାହାର କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏ ଦିଗରେ କୌଣସି ପଦକ୍ଷେପ ନ ନେଇ ଆନ୍ଧ୍ର କୋଟିଆରେ ନିଜ କାର୍ଯ୍ୟକ୍ରମ ଜାରି ରଖିଛି।

Share