Categories: ଜାତୀୟ

ଆନ୍ଧ୍ରପ୍ରଦେଶ ଜିଲା ସଂଖ୍ୟା ଦୁଇଗୁଣା, ୧୩ ରୁ୨୬ କୁ ବୃଦ୍ଧି…

ହାଇଦ୍ରାବାଦ୍‌, ୪।୪ : ଆନ୍ଧ୍ରପ୍ରଦେଶର ଜିଲ୍ଲା ସଂଖ୍ୟା ସୋମବାରଠାରୁ ଦୁଇଗୁଣା ହୋଇ ୧୩ ରୁ ୨୬କୁ ବୃଦ୍ଧି ପାଇବ। ରାଜ୍ୟରେ ନୂତନ ଜିଲା ଗଠନ ପ୍ରକ୍ରିୟା ଶେଷ ହୋଇଛି। ସୋମବାର ଏହି ୧୩ ଟି ନୂଆ ଜିଲାକୁ ମୁଖ୍ୟମନ୍ତ୍ରୀ ଓ୍ବାଇଏସ୍‌ ଜଗନ ମୋହନ ରେଡ୍ଡୀ ଲୋକାର୍ପିତ କରିବେ। ଶନିବାର ରାତିରେ ଜାରି କରାଯାଇଥିବା ବିଜ୍ଞପ୍ତିରେ କୁହାଯାଇଥିଲା ଯେ ଏପ୍ରିଲ ୪ (ସୋମବାର) ରୁ ସମସ୍ତ ନୂତନ ଜିଲା କାର୍ଯ୍ୟ କରିବ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ଏକ ବିବୃତ୍ତିରେ କହିଛି ଯେ ମୁଖ୍ୟମନ୍ତ୍ରୀ ଏହି ଅବସରରେ ଲୋକଙ୍କ ପାଇଁ ଜିଲା ପୋର୍ଟାଲ ଏବଂ ହ୍ୟାଣ୍ଡବୁକ ଲଞ୍ଚ କରିବେ।
ରାଜ୍ୟର ୨୪ଟି ଲୋକସଭା ନିର୍ବାଚନମଣ୍ଡଳୀ ଆଧାରରେ ନୂତନ ଜିଲା ଗଠନ କରାଯାଉଛି। ବିଶାଖାପଟ୍ଟନମ ଆରାକୁ ଲୋକସଭା ନିର୍ବାଚନମଣ୍ଡଳୀରେ ଅନ୍ତର୍ଭୁକ୍ତ। ଏହାକୁ ଦୁଇଟି ଜିଲ୍ଲାରେ ବିଭକ୍ତ କରାଯାଇଛି। ନୂତନ ଜିଲାଗୁଡ଼ିକର ନାମ ହେଉଛି ମନିଆମ, ଅଲୁରି ସୀତାରାମ ରାଜୁ, ଅନାକାପଲ୍ଲୀ, କାକିନାଡା, କୋନା ସେମା, ଏଲୁରୁ, ଏନଟିଆର, ବାପାଟିଆ, ପାଲନାଡୁ, ନନ୍ଦିଆଲ, ଶ୍ରୀ ସାଥାଇସାଇ, ଅନାମାୟା, ଶ୍ରୀ ବାଲାଜୀ। ପ୍ରଶାସନିକ ପ୍ରକ୍ରିୟାକୁ ସରଳ କରିବା ପାଇଁ ମୁଖ୍ୟମନ୍ତ୍ରୀ ଜଗନ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଦର୍ଶାଇଛନ୍ତି ଯେ ଅଧିକାରୀମାନଙ୍କୁ ଏପ୍ରିଲ ୪ ରେ ଜିଲା କାର୍ଯ୍ୟାଳୟରେ ପହଞ୍ଚିବାକୁ ପଡିବ। ନୂତନ ଭାବେ ସୃଷ୍ଟି ହୋଇଥିବା ଜିଲାଗୁଡ଼ିକରେ ଜିଲାପାଳ ଏବଂ ପୋଲିସ ଅଧୀକ୍ଷକଙ୍କୁ ନିଯୁକ୍ତି ଦିଆଯାଇଛି। ଜାନୁଆରୀରେ, ରାଜ୍ୟ ସରକାର ବିଦ୍ୟମାନ ୧୩ଟି ମଧ୍ୟରୁ ୨୬ଟି ଜିଲା ସୃଷ୍ଟି କରିବାକୁ ଏକ ଡ୍ରାଫ୍ଟ ବିଜ୍ଞପ୍ତି ଜାରି କରିଥିଲେ ଏବଂ ଏନେଇ ପରାମର୍ଶ ଓ ଆପତ୍ତି ମଧ୍ୟ ଲୋକଙ୍କଠାରୁ ଗ୍ରହଣ କରା ଯାଇଥିଲା।

ଏହାପୂର୍ବରୁ ୧୯୭୯ ରେ ଆନ୍ଧ୍ରପ୍ରଦେଶରେ ଏକ ନୂତନ ଜିଲା ବିଜୟନଗରମ୍‌ ଗଠନ କରାଯାଇଥିଲା।
ବର୍ତ୍ତମାନର ନୂଆ ଜିଲା ପାଇଁ ରାଜ୍ୟ ସରକାରଙ୍କ କ୍ୟାବିନେଟ ୨୫ ଜାନୁଆରୀରେ ନିଷ୍ପତ୍ତି ଗ୍ରହଣ କରିଥିଲେ। ଏହା ପରେ ଯୋଜନା ସଚିବ ଜିଏସଆରକେଆର ବିଜୟକୁମାର ମୁଖ୍ୟ ଶାସନ ସଚିବ ସମୀର ଶର୍ମାଙ୍କୁ ସୁପାରିଶ କରିଥିଲେ। ପରେ ସମସ୍ତ ଜିଲା ପାଇଁ ବିଜ୍ଞପ୍ତି ଜାରି କରାଯାଇଥିଲା।

Share