ବାଲସୁବ୍ରମଣ୍ୟମଙ୍କୁ ଭିନ୍ନ ଢଙ୍ଗରେ ସମ୍ମାନ ଜଣାଇଲେ ଆନ୍ଧ୍ରପ୍ରଦେଶ ସରକାର

ଚେନ୍ନାଇ: ବଲିଉଡ୍ ତଥା ସାଉଥ୍ ଫିଲ୍ମ ଦୁନିଆର ବେଶ୍ ପରିଚିତ ଗାୟକ ଏସ୍ ପି ବାଲସୁବ୍ରମଣ୍ୟମଙ୍କର ସେପ୍ଟେମ୍ବର ୨୫ରେ ପରଲୋକ ହୋଇଛି । ତାଙ୍କ ବିୟୋଗରେ ମନୋରଞ୍ଜନ ଦୁନିଆରେ ଶୋକର ଛାୟା ଖେଳି ଯାଇଥିଲା । ଏବେ ବାଲସୁବ୍ରମଣ୍ୟମଙ୍କୁ ଆନ୍ଧ୍ରପ୍ରଦେଶ ସରକାର ବିଶେଷ ଭାବେ ତଥା ଭିନ୍ନ ଢଙ୍ଗରେ ସମ୍ମାନ ଦେବେ ବୋଲି ନିଷ୍ପତ୍ତି ନେଇଛନ୍ତି । ଯାହାକୁ ନେଇ ଏବେ ଚର୍ଚ୍ଚା ଯୋର ଧରିଛି । ବାଲସୁବ୍ରମଣ୍ୟମ ତାଙ୍କ କ୍ୟାରିୟରରେ ଅନେକ ସୁମଧୁର ଗୀତ ଭେଟି ଦେଇଛନ୍ତି ଶ୍ରୋତା ତଥା ଦର୍ଶକଙ୍କୁ । ସିନେମା ଜଗତକୁ ତାଙ୍କର ଅବଦାନକୁ ଦେଖି ଆନ୍ଧ୍ରପ୍ରଦେଶ ସରକାର ଏକ ସ୍କୁଲର ନାମ ତାଙ୍କ ନାମ ଅନୁସାରେ ରଖିବେ ବୋଲି ସ୍ଥିର କରିଛନ୍ତି । ଏହି ସୂଚନା ଆନ୍ଧ୍ରପ୍ରଦେଶ ସରକାରରେ ଉଦ୍ୟୋଗ, ବାଣିଜ୍ୟ ଓ ସୂଚନା ପ୍ରାଦ୍ୟୋଗିକ ମନ୍ତ୍ରୀ ଥିବା ମେକପାଟି ଗୌତମ ରେଡ୍ଡି ତାଙ୍କ ସୋସିଆଲ ମଡିଆ ଆକାଉଣ୍ଟ ମାଧ୍ୟମରେ ଜଣାଇଛନ୍ତି । ସେ ଲେଖିଛନ୍ତି ନିଲ୍ଲୋରରେ ଥିବା ଗମେଣ୍ଟ ସ୍କୁଲ ଅଫ୍ ମ୍ୟୁଜିକ ଆଣ୍ଡ ଡ୍ୟାନ୍ସର ନାମ ପରିବର୍ତ୍ତନ କରି ବାଲସୁବ୍ରମଣ୍ୟମଙ୍କ ନାମରେ ନାମିତ କରାଯିବ । ସରକାର ସ୍ଥିର କରିଛନ୍ତି ଏହି ସ୍କୁଲର ନାମ ଡା. ଏସ୍ ପି ବାଲସୁବ୍ରମଣ୍ୟମ ଗମେଣ୍ଟ ସ୍କୁଲ ଅଫ୍ ମ୍ୟୁଜିକ ଆଣ୍ଡ ଡ୍ୟାନ୍ସ ରଖାଯିବ । ଏବେ ମନ୍ତ୍ରୀ ମେକପାଟିଙ୍କ ଏହି ଟୁଇଟ୍ ଭାଇରାଲ ହେବାରେ ଲାଗିଛି । ବାଲସୁବ୍ରମଣ୍ୟମଙ୍କ ପ୍ରଶଂସକ ଏହାକୁ ଖୁବ୍ ପସନ୍ଦ କରିଛନ୍ତି । ସୂଚନାଯୋଗ୍ୟ, ୭୪ ବର୍ଷ ବୟସରେ ବାଲସୁବ୍ରମଣ୍ୟମଙ୍କର ଦେହାନ୍ତ ହୋଇଥିଲା । ରାଜକୀୟ ସମ୍ମାନ ସହ ତାଙ୍କର ଅନ୍ତିମ ସଂସ୍କାର କରାଯାଇଥିଲା ।

Share