ହାଇଦ୍ରାବାଦ,୧।୩: ଆନ୍ଧ୍ରପ୍ରଦେଶ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ପ୍ରତିଟି ଜିଲାରେ ମନ୍ଦିର ଥିବା ନିଶ୍ଚିତ କରିବାକୁ ଯୋଜନା ପ୍ରସ୍ତୁତ କରାଯାଇଛି। ଏଥିଲାଗି ରାଜ୍ୟରେ ୩ ହଜାର ମନ୍ଦିର ନିର୍ମାଣ କରାଯିବ। ମୁଖ୍ୟମନ୍ତ୍ରୀ ଜଗନ୍ ମୋହନ ରେଡ୍ଡୀଙ୍କ ନିର୍ଦ୍ଦେଶରେ ହିନ୍ଦୁ ଧର୍ମ ସୁରକ୍ଷା ତଥା ପ୍ରଚାର ଲାଗି ଏହି ପଦକ୍ଷେପ ଗ୍ରହଣ କରାଯାଇଥିବା ଡେପୁଟି ସିଏମ୍ କୋଟୁ ସତ୍ୟନାରାୟଣ କହିଛନ୍ତି।
ତିରୁମାଲା ତିରୁପତି ଦେବସ୍ତାନମ୍ର ଶ୍ରୀ ବାଣୀ ଟ୍ରଷ୍ଟ ମନ୍ଦିର ନିର୍ମାଣ ପାଇଁ ପ୍ରତ୍ୟେକଙ୍କୁ ୧୦ ଲକ୍ଷ ଟଙ୍କା ଆବଣ୍ଟନ କରିଛନ୍ତି। ୧,୩୩୦ ମନ୍ଦିର ନିର୍ମାଣ ଆରମ୍ଭ ସହିତ, ଏହି ତାଲିକାରେ ଆଉ ୧,୪୬୫କୁ ଯୋଡ଼ା ଯାଇଛି। ସେହିଭଳି କିଛି ବିଧାୟକଙ୍କ ଅନୁରୋଧ କ୍ରମେ ଆହୁରି ୨୦୦ଟି ନିର୍ମାଣ କରାଯିବ। ଅବଶିଷ୍ଟ ମନ୍ଦିର ନିର୍ମାଣ ଅନ୍ୟ ସ୍ବେଚ୍ଛାସେବୀ ସଂଗଠନର ସହଯୋଗରେ କରାଯିବ ବୋଲି ସତ୍ୟନାରାୟଣ କହିଛନ୍ତି। ଏଣ୍ଡୋମେଣ୍ଟସ ବିଭାଗର ତତ୍ତ୍ୱାବଧାନରେ ୯୭୮ ମନ୍ଦିର ନିର୍ମାଣ କାର୍ଯ୍ୟ ଦ୍ରୁତ ଗତିରେ ଚାଲିଥିବାବେଳେ ପ୍ରତି ୨୫ ମନ୍ଦିରର କାର୍ଯ୍ୟ ସହକାରୀ ଇଞ୍ଜିନିନିୟରଙ୍କୁ ଦିଆଯାଇଥିବା ସେ ମଧ୍ୟ କହିଛନ୍ତି ।