Categories: ଜାତୀୟ

ଆନ୍ଧ୍ରପ୍ରଦେଶ ଶିଳ୍ପମନ୍ତ୍ରୀଙ୍କ ହୃଦଘାତରେ ପରଲୋକ

ହାଇଦ୍ରାବାଦ,୨୧।୨: ହୃଦଘାତରେ ଆନ୍ଧ୍ରପ୍ରଦେଶର ଶିଳ୍ପମନ୍ତ୍ରୀ ମେକାପଟି ଗୌଥମ ରେଡ୍ଡୀଙ୍କ ସୋମବାର ପରଲୋକ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୫୦ ବର୍ଷ ବୟସ ହୋଇଥିଲା। ସୋମବାର ଘରେ ଥିବା ବେଳେ ସେ ଚେତାଶୂନ୍ୟ ହୋଇପଡିଥିଲେ। ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ସ୍ଥାନୀୟ ଆପୋଲୋ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତରୀ ଦଳ ତାଙ୍କର ଚିକିତ୍ସା ଆରମ୍ଭ କରିଥିଲେ। ହସ୍ପିଟାଲ ଆସିବା ସମୟରେ ଗୌଥମ ହୃଦଘାତର ଶିକାର ହୋଇଥିଲେ। ତାଙ୍କ ନିଃଶ୍ୱାସପ୍ରଶ୍ୱାସ ଚାଲୁ ନ ଥିଲା। ଡାକ୍ତରୀ ଟିମ୍‌ ତାଙ୍କ ଜୀବନ ବଞ୍ଚାଇବାକୁ ଚେଷ୍ଟା କରିଥିଲେ। ହେଲେ ତାଙ୍କର ମୃତ୍ୟୁ ଘଟିଥିବା ହସ୍ପିଟାଲ ପକ୍ଷରୁ କୁହାଯାଇଛି।

ସେ ଆନ୍ଧ୍ର ସରକାରରେ ଶିଳ୍ପ ମନ୍ତ୍ରୀସହ ଅତିରିକ୍ତ ଭାବେ ସୂଚନା ଓ ପ୍ରଯୁକ୍ତି ବିଭାଗ ଦାୟିତ୍ୱ ସମ୍ଭାଳୁ ଥିଲେ। ତାଙ୍କ ବିୟୋଗରେ ମୁଖ୍ୟମନ୍ତ୍ରୀ ଜଗନ ମୋହନ ରେଡ୍ଡୀ ଗଭୀର ଶୋକ ପ୍ରକାଶ କରିଛନ୍ତି। ସେ ଜଣେ ଯୁବ ସହଯୋଗୀଙ୍କୁ ହରାଇ ଥିବା କହିଛନ୍ତି।

ମନ୍ତ୍ରୀ ଗୌତମ ରେଡ୍ଡୀ ପୂର୍ବତନ ସାଂସଦ ମେକାପତି ରାଜମୋହନ ରେଡ୍ଡୀଙ୍କ ପୁଅ। ୨୦୧୪ରେ ଗୌଥମ ପ୍ରଥମଥର ପାଇଁ ଆତ୍ମାକୁର ବିଧାନସଭା ଆସନରୁ ନିର୍ବାଚିତ ହୋଇଥିଲେ। ୨୦୧୯ରେ ପୁଣି ଉକ୍ତ ଆସନରୁ ବିଜୟୀ ହୋଇଥିଲେ। ଜଗନ ମୋହନ ରେଡ୍ଡୀ ମୁଖ୍ୟମନ୍ତ୍ରୀ ହେବା ପରେ ଗୌଥମ ମନ୍ତ୍ରୀ ପଦ ପାଇଥିଲେ।

Share