କୋଟିଆରେ ଆନ୍ଧ୍ରର ସାଲୁର ବିଧାୟକ କଲେ ନିର୍ମାଣାଧିନ କାର୍ଯ୍ୟର ତଦାରଖ

ପଟ୍ଟାଙ୍ଗୀ,୨୧ା୧(ଡି.ଏନ.ଏ.): କୋଟିଆ ପଞ୍ଚାୟତରେ ସର୍ବସମ୍ମତି ଭିତ୍ତିରେ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରାର୍ଥୀ ଦେବାକୁ କୋରାପୁଟରେ ସର୍ବଦଳୀୟ ବୈଠକ ବସିଥିବା ବେଳେ ଏପଟେ ଆନ୍ଧ୍ରର ସାଲୁର ବିଧାୟକ ପିଡିକା ରାଜନା ଦୋରା ନେରିଡିବାଲସା ଗ୍ରାମରେ ଅନୁପ୍ରବେଶ କରି ଆନ୍ଧ୍ର ପକ୍ଷରୁ ଚାଲିଥିବା ବିଭିନ୍ନ ନିର୍ମାଣାଧୀନ କାର୍ଯ୍ୟର ତଦାରଖ କରିଛନ୍ତି।

ତାଙ୍କ ସହ ଓ୍ବାଇସିପିର ପି. ପ୍ରମିଳା, ଗୁର୍ଲି ରାଜାରାଓ ଏବଂ କୁରୁକୁଟି ପଞ୍ଚାୟତର ଡେପୁଟି ସରପଞ୍ଚ ସାମ୍ବା ମୃର୍ତ୍ତି ପ୍ରମୁଖ ଉପସ୍ଥିତ ଥିଲେ। ସେମାନେ ନିର୍ମାଣାଧୀନ କାର୍ଯ୍ୟର ତଦାରଖ କରି ଗ୍ରାମବାସୀଙ୍କ ସହ ଆଲୋଚନା କରି ଫେରିଛନ୍ତି। କୋରାପୁଟରେ ଅନୁଷ୍ଠିତ ସର୍ବଦଳୀୟ ବୈଠକରେ ବିଜେଡି ଜିଲା ସଭାପତି ଈଶ୍ୱର ପାଣିଗ୍ରାହୀ, ବିଧାୟକ ପିତମ ପାଢ଼ୀ, ଭାଜପାର ବରିଷ୍ଠ ନେତା ତଥା ପୂର୍ବତନ ଏମ୍‌ପି ଜୟରାମ ପାଙ୍ଗି, ଭାଜପା ସାଧାରଣ ସମ୍ପାଦକ ଦେବେନ୍ଦ୍ର ମହାନ୍ତି, ପୁର୍ଣ୍ଣମା ନାୟକ, କଂଗ୍ରେସର ଜିଲା ସଭାପତି ମିନାକ୍ଷୀ ବାହିନୀପତି, ପୂର୍ବତନ ବିଧାୟକ ରାମଚନ୍ଦ୍ର କାଡାମ, ପ୍ରଫୁଲ୍ଲ ପାଙ୍ଗି, କୃଷ୍ଣ କୁଲଦୀପ ପ୍ରମୁଖ ଉପସ୍ଥିତ ଥିଲେ। ବୈଠକରେ ସମସ୍ତଙ୍କ ସହମତିରେ କୋଟିଆ ପଞ୍ଚାୟତ ପାଇଁ ପ୍ରାର୍ଥୀ ଚୟନ କରାଯିବ ବୋଲି ସ୍ଥିର ହୋଇଛି। ସୂଚନାଯୋଗ୍ୟ, ନାମାଙ୍କନପତ୍ର ଦାଖଲର ଚତୁର୍ଥ ଦିବସରେ କୋଟିଆ ପଞ୍ଚାୟତ ପାଇଁ ୬ ଜଣ ସରପଞ୍ଚ ପ୍ରାର୍ଥୀ ନାମାଙ୍କନପତ୍ର ଦାଖଲ କରିଥିବା ବେଳେ ଓ୍ବାର୍ଡସଭ୍ୟ ପାଇଁ ୮ ଓ ସମିତିସଭ୍ୟ ପାଇଁ ଜଣେ ପ୍ରାର୍ଥୀ ନାମାଙ୍କନ ପତ୍ର ଦାଖଲ କରିଛନ୍ତି।